ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏନଏମସି ବଦଳାଇଲା ନିୟମ : ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ଭାରତରେ କରିପାରିବେ ଇଣ୍ଟର୍ଣ୍ଣସିପ୍‌

ନୂଆଦିଲ୍ଲୀ : ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଯୋଗୁଁ କେବଳ ୟୁକ୍ରେନ ନୁହେଁ, ସାରା ବିଶ୍ବ ପ୍ରଭାବିତ ହୋଇଛି। ଭାରତ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଅନେକ ସାମଗ୍ରୀର ଦରଦାମ ବୃଦ୍ଧି ସହିତ ୟୁକ୍ରେନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାରରେ ରହିଛି। ଏପରି ସଙ୍କଟ ସମୟରେ ୟୁକ୍ରେନରେ ଅଧାରୁ ପାଠଛାଡି ଭାରତ ଫେରିଥିବା ଛାତ୍ରଛାତ୍ରୀଙ୍କୁ ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ବଡ଼ ଆଶ୍ବସ୍ତି ଦେଇଛି। ଡିଗ୍ରୀ ସମ୍ପୂର୍ଣ୍ଣ କରିସାରିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଭାରତରେ ଇଣ୍ଟର୍ଣ୍ଣସିପ୍‌ କରିବାକୁ ସୁଯୋଗ ମିଳିବ। ଏହି ଛାତ୍ରଛାତ୍ରୀଙ୍କ ଇଣ୍ଟର୍ଣ୍ଣସିପ ପାଇଁ ୭.୫ ପ୍ରତିଶତ ସିଟ୍‌ ଧାର୍ଯ୍ୟ କରାଯାଇଛି।

ଏନଏମସି ପକ୍ଷରୁ କୁହାଯାଇଛି ଯେ ଅଧାରୁ ଇଣ୍ଟର୍ଣ୍ଣସିପ ଛାଡିଥିବା ଛାତ୍ରଛାତ୍ରୀଙ୍କୁ ଏହା ସମ୍ପୂର୍ଣ୍ଣ କରିବା ପାଇଁ ସୁଯୋଗ ମିଳିବ। ଏ ପର୍ଯ୍ୟନ୍ତ କେବଳ ଦିଲ୍ଲୀରେ ଇଣ୍ଟର୍ଣ୍ଣସିପ କରିବାକୁ ଦେୟ (ଫି) ଦେବାକୁ ପଡୁନଥିଲା। କିନ୍ତୁ ଏବେଠାରୁ କୌଣସି ରାଜ୍ୟରେ ଦେୟ ଦେବାକୁ ପଡିବ ନାହିଁ। ଏଥିପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଫରେନ ମେଡିକାଲ ଗ୍ରାଜୁଏଟ (ଏଫଏମଜିଇ) ସ୍କ୍ରିନିଂ ପରୀକ୍ଷା ପାସ୍‌ କରିବାକୁ ପଡିବ।

ବିଦେଶୀ ମେଡିକାଲ କଲେଜରୁ ପ୍ରାଇମେରି ମେଡିକାଲ କ୍ବାଲିଫିକେସନ ପ୍ରାପ୍ତ କରିଥିବା ଛାତ୍ରଛାତ୍ରୀ ଯଦି ଭାରତୀୟ ମେଡିକାଲ କାଉନସିଲରୁ ପ୍ରୋଭିଜନାଲ (ଅସ୍ଥାୟୀ) ପ୍ରମାଣପତ୍ର ପାଇବାକୁ ଚାହାନ୍ତି ତେବେ ସେମାନଙ୍କୁ ଏଫଏମଜିଇ ସ୍କ୍ରିନିଂ ଟେଷ୍ଟ ପାସ୍‌ କରିବାକୁ ପଡିବ। ଏହି ପରୀକ୍ଷାରେ ମଲ୍ଟିପୁଲ ଚଏସ (ଏକାଧିକ ପସନ୍ଦ)ପ୍ରଶ୍ନ ପଡିଥାଏ। ପ୍ରଶ୍ନର ଭୂଲ୍‌ ଉତ୍ତର ଦେଲେ ଏଥିରେ ନେଗେଟିଭ ମାର୍କିଂ ହୋଇନଥାଏ।

ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟାସନାଲ ମେଡିକାଲ କମିଶନଙ୍କ ନିୟମ ୨୦୨୧ ଅନୁଯାୟୀ ଭାରତରେ ପଞ୍ଜିକରଣ ପାଇଁ ମେଡିକାଲ ଛାତ୍ରଛାତ୍ରୀଙ୍କୁ ଦୁଇ ଥର ଇଣ୍ଟର୍ଣ୍ଣସିପ କରିବାକୁ ପଡିଥାଏ। ପ୍ରଥମେ ଏମବିବିଏସ ଡିଗ୍ରୀ ନେଇଥିବା ସ୍ଥାନରେ ଏବଂ ପରେ ଭାରତରେ। ଏମବିବିଏସ ଡିଗ୍ରୀ ପାଇଁ ୟୁକ୍ରେନ ପ୍ରସିଦ୍ଧି ଅର୍ଜନ କରିଛି। ଅଧିକାଂଶ ଭାରତୀୟ ଛାତ୍ରଛାତ୍ରୀ ମେଡିକାଲ ପଢିବା ପାଇଁ ୟୁକ୍ରେନକୁ ପସନ୍ଦ କରୁଛନ୍ତି। ଶିକ୍ଷା ମନ୍ତ୍ରାଳୟ ଅନୁଯାୟୀ ୟୁକ୍ରେନରେ ପ୍ରାୟ ୧୮ ହଜାର ଭାରତୀୟ ଛାତ୍ରଛାତ୍ରୀ ପଢୁଛନ୍ତି। ଯୁଦ୍ଧ ଯୋଗୁଁ କିଛି ଛାତ୍ରଛାତ୍ରୀ ପଢାକୁ ସମ୍ପୂର୍ଣ୍ଣ କରି ଆଉ କିଛି ଅଧାରେ ଛାଡି ଭାରତ ଫେରିଛନ୍ତି। ଏନଏମସି ସେମାନଙ୍କୁ ଭାରତରେ ଇଣ୍ଟର୍ଣ୍ଣସିପ କରିବାର ସୁଯୋଗ ଦେଉଛି। ଏଫଏମଜିଇକୁ ନେଇ ଏନଏମସିର ନିୟମ କଠୋର ରହିଛି। ଏ ପର୍ଯ୍ୟନ୍ତ ବିଦେଶରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ଆସି ପଢା ସମ୍ପୂର୍ଣ୍ଣ କରିବା ପାଇଁ କୌଣସି ସୁଯୋଗ ଦିଆଯାଉନଥିଲା। ଏହା ସହିତ ଅନ୍ୟ କୌଣସି ଦେଶ କିମ୍ବା ୟୁନିଭର୍ସିଟିରେ ଏମବିବିଏସ ସମ୍ପୂର୍ଣ୍ଣ କରିବାରେ ମଧ୍ୟ ସମସ୍ୟା ରହୁଥିଲା। କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖି ଭାରତ ସରକାର ଛାତ୍ରଛାତ୍ରୀଙ୍କୁ ଏହି ସୁଯୋଗ ଦେଇଛନ୍ତି।

Leave A Reply

Your email address will not be published.