ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେପି ବିରୋଧରେ ଏକାଠି ହେବାକୁ ନୀତୀଶଙ୍କ ଆହ୍ବାନ, କହିଲେ ବିରୋଧୀ ଏକଜୁଟ ହେଲେ ୨୦୨୪ରେ ହାରିବ ବିଜେପି

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ ପ୍ରାୟ ସବୁ ରାଜନୈତିକ ଦଳ ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ବିଜେପିକୁ  କିଭଳି ମୁକାବିଲା କରାଯିବ ତାହା ହିଁ ସବୁ ବିରୋଧୀ ଦଳ ପାଇଁ ସବୁଠୁ ବଡ଼ ପ୍ରଶ୍ନ ହୋଇଛି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ଆଉ ପାଦେ ଆଗେଇ ସବୁ ବିରୋଧୀଙ୍କୁ ଏକାଠି କରିବାକୁ ଅଣ୍ଟା ଭିଡିଛନ୍ତି। ଦିଲ୍ଲୀରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଦଳର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗ ଦେଇ ୨୦୨୪ ମିଶନ ପାଇଁ  ପ୍ରସ୍ତୁତି ଆରମ୍ଭ କରିବାକୁ  ଦଳୀୟ କର୍ମକର୍ତ୍ତାଙ୍କୁ କହିଥିବା ବେଳେ  ଅନ୍ୟ ବିରୋଧୀ ଦଳଙ୍କୁ ମଧ୍ୟ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି।

ସେ ୫ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନ୍ୟ କିଛି ଦଳର ନେତାଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି।  ଏନଡିଏ ଠାରୁ ଅଲଗା ହୋଇ ନୀତୀଶ ମହାମେଣ୍ଟ ସରକାର ଗଠନ କରିବା ପରେ ପ୍ରଥମଥର ପାଇଁ ଦିଲ୍ଲୀ ଆସିଥିଲା ବେଳେ ଏଠାରେ ତିନି ଦିନ ରହି ବିରୋଧୀ ଦଳର ନେତାମାନଙ୍କୁ ଏକାଠି କରିବେ ବୋଲି କୁହାଯାଇଛି। ସବୁ ବିରୋଧୀ ଏକାଠି ହେଲେ ୨୦୨୪ରେ ବିଜେପିକୁ ଉଚିତ୍ ଶିକ୍ଷା ଦିଆଯାଇପାରିବ ବୋଲି ସେ କହିଛନ୍ତି। ଅନ୍ୟପଟେ ନିଜ ଦଳର  ମଣିପୁରର ୫ ବିଧାୟକ ବିଜେପିରେ ମିଶିଥିଲା ବେଳେ ସେ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ,  ବିଜେପି କେବଳ ଅନ୍ୟ ଦଳରେ ଫାଟ ସୃଷ୍ଟି କରିବା ଜାଣିଛି। ଏହା ଗଣତନ୍ତ୍ରର ମୂଲ୍ୟବୋଧ ପ୍ରତି ଉପହାସ ବୋଲି ସେ କହିଛନ୍ତି।

ମଣିପୁର ଘଟଣାକୁ ନେଇ ନୀତିଶ କହିଛନ୍ତି, ଯେଉଁ ଜେଡିୟୁ ବିଧାୟକଙ୍କୁ ବିଜେପି ନିଜ ଦଳରେ ସାମିଲ କରିଛି । ସେହି ବିଧାୟକ ମାନେ ଏନଡିଏ ସହ ସମ୍ପର୍କ ଛିନ୍ନ କରିବା ସପକ୍ଷରେ ଥିଲେ । ଏପରିକି ଯେତେବେଳେ ମହାଗଠନବନ୍ଧନ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲି ସେତେବେଳେ ଏହି ବିଧାୟକ ମାନେ ଖୁସି ଜାହିର କରିଥିଲେ । କିନ୍ତୁ ଏବେ ଦେଶରେ ଯାହା ହେଉଛି ତାହା ଲୋକତନ୍ତ୍ର ପାଇଁ ଆଦୌ ଭଲ ସଂକେତ ନୁହେଁ । କୌଣସି ଦଳକୁ ଭାଙ୍ଗି ନିଜ ସପକ୍ଷକୁ ନେତାଙ୍କୁ ନେବା ଆଦୌ ଠିକ୍ ନୁହେଁ । ଏହାସହ ନୀତିଶ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ବିଜେପି ଏଭଳି ଅନେକ ରାଜ୍ୟରେ ଅନ୍ୟ ଦଳ ସହ ମିଶି ସରକାର ଗଢିଛି ଯେଉଁମାନଙ୍କ ଉପରେ ପୂର୍ବରୁ ଦଳ ପକ୍ଷରୁ ଦୁର୍ନୀତି ଅଭିଯୋଗ ଆଣିଥିଲା । ଏଭଳି ସ୍ଥଳେ ଦୁର୍ନୀତିଖୋରଙ୍କୁ କିଏ ଘଣ୍ଟ ଘୋଡାଉଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦଳୀୟ କର୍ମୀଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇ କହିଛନ୍ତି ଯେ, ସମସ୍ତ ମତଭେଦ ଭୁଲି ଲୋକସଭା ନିର୍ବାଚନ ପାଇଁ କାର୍ୟ୍ୟ କରନ୍ତୁ। ମୁଁ ୨ଦିନ ପରେ ଦିଲ୍ଲୀ ଯିବି। ସେଠାରେ ବିଭିନ୍ନ ଦଳର ନେତାଙ୍କ ସହ କଥା ହେବି। ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ବିରୋଧୀଙ୍କୁ ଏକଜୁଟ କରିବାକୁ ହେବ। ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଏକଜୁଟ ହେଲେ ସହଜରେ ବିଜେପିକୁ ପରାସ୍ତ କରି ହେବ। ସେଥିପାଇଁ ଏବେଠୁ ପ୍ରସ୍ତୁତି ଜରୁରୀ।

ସେପଟେ ରାଜ୍ୟସଭା ସାଂସଦ ତଥା ବିହାର ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦୀ କହିଥିଲେ ଯେ ବର୍ତ୍ତମାନ ଅରୁଣାଚଳ ପ୍ରଦେଶ ପରେ ମଣିପୁର ମଧ୍ୟ ଜେଡି(ୟୁ) ମୁକ୍ତ ହୋଇଛି। ଖୁବ୍ ଶୀଘ୍ର ଆମେ ବିହାରରେ ଜେଡିୟୁ-ଆରଜେଡି ଗଠବନ୍ଧନ ଭାଙ୍ଗି ରାଜ୍ୟକୁ ଜେଡିୟୁ ମୁକ୍ତ କରିବୁ। ନୀତୀଶଙ୍କୁ ଟା‌ର୍ଗେଟ କରି ସେ କହିଥିଲେ ଯେ, ହୋର୍ଡିଙ୍ଗ ଏବଂ ପୋଷ୍ଟର ଲଗାଇ କେହି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।

Leave A Reply

Your email address will not be published.