ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚିରନିଦ୍ରାରେ ସାରସ୍ୱତ ସାଧିକା ନିର୍ମଳପ୍ରଭା

ଭୁବନେଶ୍ୱର: ବିଶିଷ୍ଟ ସାରସ୍ୱତ ସାଧିକା ଶ୍ରୀମତୀ ନିର୍ମଳପ୍ରଭା ନାୟକଙ୍କର ସୋମବାର ୮୩ ବର୍ଷ ବୟସରେ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ସାହିତ୍ୟ, ରାଜନୀତି ଓ ସମାଜସେବା ସହ ଜଡ଼ିତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଶ୍ରୀମତୀ ନାୟକ ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକଙ୍କର ପତ୍ନୀ ଥିଲେ। ବିବାହ ପରେ ପାଠ ପଢ଼ି ସେ ଶିକ୍ଷୟିତ୍ରୀ ଭାବେ ୩୫ ବର୍ଷରୁ ଅଧିକ ସମୟ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ। ତାଙ୍କ ଲିଖିତ ‘ସାୟାହ୍ନର ସ୍ମୃତି ପୁସ୍ତକ’ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛି। ଏହାର ଇଂରାଜୀ ଅନୁବାଦ ‘ଟୁଇଲାଇଟ୍‌‌ ମେମୋରିଜ୍‌‌’ ମଧ୍ୟ ଇତି ମଧ୍ୟରେ ବେଶ୍‌‌ ଚର୍ଚ୍ଚିତ ହୋଇଛି। ପୁରସ୍କାର ବାବଦରେ ତାଙ୍କୁ ମିଳିଥିବା ଲକ୍ଷାଧିକ ଟଙ୍କା ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଦେଇଥିଲେ। ‘ଅସୁରେଶ୍ୱର ଗୋରକ୍ଷଣୀ’ରେ ଅର୍କମଣ୍ୟ ଗୋମାତାମାନଙ୍କ ସେବାରେ ନିଜ ପେନ୍‌ସନ ଅର୍ଥ ସମ୍ପୂର୍ଣ୍ଣ ବ୍ୟୟ କରୁଥିଲେ।

ଏହାଛଡା ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଓ ଅନ୍ୟ ସମୟରେ ମଧ୍ୟ ଶ୍ରୀମତୀ ନାୟକ ତାଙ୍କ ସେବା କାର୍ଯ୍ୟର ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି। ସର୍ବୋଦୟ ନେତ୍ରୀ ମା’ ରମାଦେବୀ, ଅନ୍ନପୂର୍ଣ୍ଣା ମହାରଣାଙ୍କ ନିକଟତର ହୋଇ ସେ କାମ କରିବା ସହ ୱର୍ଦ୍ଧା ଓ ସେବାଗ୍ରାମ ଆଶ୍ରମରେ ତାଲିମ ନେଇଥିଲେ। ସ୍ୱାମୀ ରାଜକିଶୋର ନାୟକ ଦୁଇ ଦୁଇଥର ବିଧାୟକ ଓ ରାଜ୍ୟ ଖଦିବୋର୍ଡର ଅଧ୍ୟକ୍ଷ ଥିଲେ। ଗାନ୍ଧୀ ଆଦର୍ଶରେ ପ୍ରଭାବିତ ହେବା ସହ ଶ୍ରୀମତୀ ନାୟକ ଠାକୁର ନିଗମାନନ୍ଦଙ୍କ ଆଧ୍ୟାତ୍ମିକ ମାର୍ଗର ଅନୁଗାମୀ ଥିଲେ। ତାଙ୍କର ଦୁଇ ପୁଅ ଓ ତିନି ଝିଅ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ। ସାନ ପୁଅ ଅତନୁ ସବ୍ୟସାଚୀ ନାୟକ ଏବେ ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟତମ ସଦସ୍ୟ ରହିଛନ୍ତି। ନିର୍ମଳପ୍ରଭା କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ସମସ୍ୟା ଭୋଗୁଥିଲେ ଏବଂ ଚାରି ଦିନ ତଳେ ତାଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖା ଦେବାରୁ ତାଙ୍କୁ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ପ୍ରାୟ ସାଢେ ୯ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୋମବାର ରାତିରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Leave A Reply

Your email address will not be published.