ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସରିଲା ଅଧରପଣା ନୀତି; ଆଜି ନୀଳାଦ୍ରିବିଜେ, ରତ୍ନସିଂହାସନକୁ ଫେରିବେ ମହାବାହୁ

ପୁରୀ : ଆଜି ମହାବାହୁଙ୍କ ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟ । ଆଜି ସରିବ ମହାପ୍ରଭୁଙ୍କ ଜନ୍ମବେଦି ଲୀଳା । ରତ୍ନସିଂହାସନକୁ ଫେରିବେ ମହାବାହୁ । ଅପରାହ୍ନ ତିନିଟାରେ ପହଣ୍ଡି ହେବା ନେଇ ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ଦଇତାପତିମାନଙ୍କ ସହ ଆଲୋଚନା କରିଛନ୍ତି । ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରିବେ । ମଦନମୋହନ, ରାମକୃଷ୍ଣ, ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଶ୍ରୀମନ୍ଦିର ବିଜେ କରିବା ପରେ ଗୋଟି ପହଣ୍ଡିରେ ଯିବେ ଜଗତ ଠାକୁର । ରସଗୋଲା ଦେଇ ମାତା ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାବାହୁ । ଭଉଣୀ ଓ ଭାଇଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଯାଇଥିଲେ ଶ୍ରୀଜଗନ୍ନାଥ । ତେବେ ମହାପ୍ରଭୁଙ୍କ ଆସିବାରେ ବିଳମ୍ବ ହେବାରୁ ହେରା ପଞ୍ଚମୀ ଦିନ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଗୁଣ୍ଡିଚା ଅଭିମୂଖେ ଯାଇଥିଲେ । ପ୍ରଭୁଙ୍କ ଦର୍ଶନ ନପାଇ ରାଗରେ ନନ୍ଦିଘୋଷ ଭାଙ୍ଗି ଫେରିଥିଲେ ଠାକୁରାଣୀ । ତେଣୁ ଅଭିମାନିନୀ ମାଆ ଲକ୍ଷ୍ମୀଙ୍କ ମାନ ଭାଙ୍ଗିବାକୁ ଶ୍ରୀଜଗନ୍ନାଥ ରସଗୋଲା ସାଥିରେ ଆଣିଛନ୍ତି । ପତି-ପତ୍ନୀଙ୍କ ଏହି ମଧୂର ସମ୍ପର୍କକୁ ଶେଷ ଦିନରେ ପ୍ରତିପାଦନ କରିବେ ମହାପ୍ରଭୁ । ଲକ୍ଷ୍ମୀଙ୍କ ମାନ ଭଞ୍ଜନ ପରେ ରତ୍ନ ସିଂହାସନକୁ ଫେରିବେ ନୀଳାଦ୍ରିନାଥ ।

Leave A Reply

Your email address will not be published.