ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଣିଷ ମା’ର ସ୍ନେହ ଆଗରେ ହାର ମାନିଥିଲା ପଶୁତ୍ୱର ହିଂସ୍ରତା : ୧୯୮୧ରେ ଖଇରୀ ଚାଲିଯାଇଥିଲା, ଆଜି ନିହାର ନଳିନୀ ବି ଚାଲିଗଲେ …..

କଟକ : ବାଘୁଣୀ ଖଇରୀକୁ ଘରେ ଲାଳନପାଳନ କରି ବେଶ୍ ଚର୍ଚ୍ଚିତ ହୋଇଥିବା ସାହସୀ ମହିଳା ନିହାର ନଳିନୀ ସ୍ୱାଇଁଙ୍କ ମୃତ୍ୟୁ ହୋଇଛି । କଟକ ସହର ସିଦ୍ଧେଶ୍ୱର ସାହିଠାରେ ଥିବା ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ଆଖି ବୁଜିଛନ୍ତି ନିହାରୀ ନଳିନୀ । ମୃତ୍ୟୁ ବେଳେକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।

ଆଜିକୁ ୪୭ ବର୍ଷ ତଳେ ନିଜ ଝିଅଭଳି ଖଇରୀକୁ ସେ ଲାଳନପାଳନ କରିଥିଲେ ନିହାର ନଳିନୀ। ମଣିଷ ମେଳରେ ବାଘ ରହିବା ନେଇ ସେତେବେଳ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ୧୯୭୪ ମସିହାରେ ନିହାର ନଳିନୀଙ୍କ ସ୍ୱାମୀ ସରୋଜ ରାୟ ଚୌଧୁରୀ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ଥିଲେ । ସେହି ସମୟରେ ଖଡ଼ିଆ ଜନଜାତି ସମ୍ପ୍ରଦାୟର ଲୋକମାନେ ପାହାଡ଼ ଉପରୁ ଏକ ବାଘ ଛୁଆକୁ ପାଇ ଯଶୀପୁର ଫରେଷ୍ଟ ବଙ୍ଗଳାରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦେଶକ ସରୋଜରାଜ ଚୌଧୁରୀଙ୍କୁ ଦେଇଥିଲେ। ଖଇରୀ ନଦୀକୂଳରୁ ଉଦ୍ଧାର ହୋଇଥିବାରୁ ତାହାର ନାମ ରଖାଯାଇଥିଲା ‘ଖଇରୀ’। ବାଘଛୁଆର ଲାଳନପାଳନ ଦାୟିତ୍ୱରେ ଥିଲେ ସରୋଜରାଜଙ୍କ ସ୍ତ୍ରୀ ନିହାରନଳିନୀ ଦେବୀ। ମାଂସରେ ଅମୁଲ ଗୋଲାଇ ତାକୁ ଖାଇବାକୁ ଦେଉଥିଲେ ତ ପୁଣି ବୋତଲରେ କ୍ଷୀର ପିଆଇ ଦେଉଥିଲେ। ମଣିଷ ଛୁଆଙ୍କ ପରି ହାତରୁ ଖାଦ୍ୟ ଖାଉଥିଲା ଖଇରୀ। କୋଳରେ ଶୋଉଥିଲା। ବେଳେବେଳେ ଗାଲରେ ମୁହଁ ଘସି ଗେଲ ହେଉଥିଲା। ଜଙ୍ଗଲରେ ବୁଲୁଥିବା ବେଳେ ଡାକ ଛାଡ଼ିଲେ ପୁଣି ଆସି ହାଜର ହୋଇଯାଉଥିଲା। କ୍ରମେ ଖଇରୀ ବଡ଼ ହେଲା। ସେ ହିଂସ୍ର ନଥିଲେ ବି କାଳେ କେତେବେଳେ ଅଘଟଣ ଘଟାଇବ, ସେଥିପାଇଁ ତାକୁ ଜଙ୍ଗଲରେ ଛାଡ଼ିବା ପାଇଁ ମନସ୍ଥ କରାଗଲା। ହେଲେ ମଣିଷଠାରୁ ସ୍ନେହ ଆଦର ପାଇ ବଡ଼ ହୋଇଥିବା ଖଇରୀ ଆଉ ଜଙ୍ଗଲକୁ ଯିବାକୁ ପସନ୍ଦ କଲାନାହିଁ।

ଯେତେବାର ତାକୁ ଜଙ୍ଗଲରେ ଛଡ଼ାଗଲା, ସେ ପୁଣି ଫେରି ଆସୁଥିଲା ନଳିନୀଦେବୀଙ୍କ ପାଖକୁ। ସବୁ ଉଦ୍ୟମ ନିରାଶ ପରେ ଖଇରୀ ରହିଲା ନିହାରନଳିନୀଙ୍କ ପାଖରେ। ନିହାରନଳିନୀ ଏବଂ ସରୋଜରାଜଙ୍କ ଗେହ୍ଲାଝିଅ ପାଲଟିଯାଇଥିଲା ଖଇରୀ। ଏମିତିକି ସରୋଜରାଜ ନିଜ ଡ୍ୟୁଟି ସମୟରେ ଜଙ୍ଗଲ ପରିଦର୍ଶନରେ ଯିବାବେଳେ ଖଇରୀ ତାଙ୍କ ସହିତ ଜିପ୍‍ରେ ଯାଉଥିଲା। ଖଇରୀକୁ ନିଜ ଜିପ୍‌ରେ ବସାଇ କଟକକୁ ଆଣିବା ସହିତ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କୁ ମଧ୍ୟ ଭେଟିଥିଲେ ତାଙ୍କ ସରକାରୀ ବାସଭବନରେ। ଏ ଖଇରୀକୁ ଲାଳନପାଳନ କରିବା ଠାରୁ ତାର ମୃତ୍ୟୁ ପର୍ଯ୍ୟନ୍ତ ନିହାରନଳିନୀ ଦେବୀ କେବେବି ତାକୁ ପାଖରୁ ଦୂରେଇ ଦେଇନଥିଲେ। ଜଣେ ମଣିଷ ମା’ର ସ୍ନେହ ଆଗରେ ହାର ମାନିଥିଲା ପଶୁତ୍ୱର ହିଂସ୍ରତା। ଦେଶ ବିଦେଶରୁ ପର୍ଯ୍ୟଟକ ଛୁଟି ଆସୁଥିଲେ ଶିମିଳିପାଳ ଖାସ୍‍ ଖଇରୀ ପାଇଁ। ନାନା ଜାତିର ପଶୁପକ୍ଷୀ ସହିତ ସବୁଠୁ ବଡ଼ ଆକର୍ଷଣ ଥିଲା ଖଇରୀ। ନିହାରନଳିନୀଙ୍କ ବାତ୍ସଲ୍ୟ ମମତା ଆଗରେ ହାର ମାନିଥିଲା ଖାଦ୍ୟ ଆଉ ଖାଦକର ଭେଦଭାବ। ଖଇରୀକୁ ଯେତେବେଳେ ୭ବର୍ଷ ହେଲା, ତା ଜୀବନରେ ମାଡ଼ିଆସିଲା ବିପଦ। ଏକ ପାଗଳ କୁକୁର କାମୁଡ଼ାରେ ଖଇରୀ ରୋଗାକ୍ରାନ୍ତ ହୋଇପଡ଼ିଥିଲା। କିଛିଦିନ ପରେ ଜଳାନ୍ତକ ରୋଗରେ ଆକ୍ରାନ୍ତ ହେଲା। ଆଉ ବୋଲ ମାନିଲା ନାହିଁ। ଏଣେତେଣେ ଧାଇଁଲା। ତା’କୁ କାବୁ କରିବା ପାଇଁ ମାତ୍ରାଧିକ ଟ୍ରାଙ୍କୁଲାଇଜର ଦିଆଗଲା। ୧୯୮୧ ମାର୍ଚ୍ଚ ୨୮ ତାରିଖରେ ସବୁଦିନ ପାଇଁ ଆଖିବୁଜି ଦେଇଥିଲା ଖଇରୀ। ଏଭଳି ପରିସ୍ଥିତିରେ ଭାଙ୍ଗିପଡ଼ିଥିଲେ ସରୋଜରାଜ ଚୌଧୁରୀ। ଖଇରୀକୁ ଝୁରିଝୁରି ବର୍ଷକ ପରେ ସରୋଜରାଜ ଚୌଧୁରୀଙ୍କର ମଧ୍ୟ ଦେହାନ୍ତ ହୋଇଥିଲା।

 

ସ୍ୱାମୀ ସରୋଜରାଜ ଚୌଧୁରୀ ଓ ନିଜ ଝିଅ ପରି ପାଳନ କରିଥିବା ବାଘୁଣୀ ‘ଖଇରୀ’ର ମୃତ୍ୟୁ ପରେ ଏକା ହୋଇଯାଇଥିଲେ। ନିହାରନଳିନୀ। ଏହାପରେ ସେ ଶିମିଳିପାଳରୁ ଭୁବନେଶ୍ବର ଫେରିଆସିଥିଲେ। ଭୁବନେଶ୍ବର ୨ ନମ୍ବର ବାଳିକା ବିଦ୍ୟାଳୟରୁ ଶିକ୍ଷକତା ଚାକିରି ଛାଡ଼ି ଛାଡି ସ୍ବାମୀ ସରୋଜରାଜ ଚୌଧୁରୀଙ୍କ ସହ ଶିମିଳିପାଳ ଚାଲିଯାଇଥିବା ନିହାରନଳିନୀ ସ୍ୱାମୀଙ୍କ ପରଲୋକ ପରେ ପୁଣିଥରେ ଛାଡିଯାଇଥିବା ଶିକ୍ଷୟିତ୍ରୀ ଚାକିରିରେ ଯୋଗ ଦେଇଥିଲେ। ଅବସର ପରେ ସ୍କାଉଟ୍‍ ଏବଂ ଗାଇଡ୍ସରେ ପ୍ରଶିକ୍ଷିକା ଭାବେ କାର୍ଯ୍ୟ ତୁଲାଇଥିଲେ। ବୟସ ବଢିବା କାରଣରୁ ସେ  କଟକ ସହର ସିଦ୍ଧେଶ୍ୱର ସାହିଠାରେ ରହୁଥିଲେ। କୌଣସି ପିଲାଛୁଆ ନଥିବା କାରଣରୁ ଚାକିରିରୁ ଅବସର ପରେ ନିହାରନଳିନୀ କଟକ ସହର ସିଦ୍ଧେଶ୍ୱର ସାହିଠାରେ ଥିବା ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ରହୁଥିଲେ। ଗତକାଲି ସେ ଖାଇ ସାରି ଶୋଇ ପଡିଥିଲେ । କିନ୍ତୁ ଆଉ ଉଠି ନ ଥିଲେ ।

Leave A Reply

Your email address will not be published.