ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଲିଠୁ ଟ୍ୱିନ୍‍ ସିଟିରେ ନାଇଟ୍‍ କର୍ଫ୍ୟୁ, ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଟକଣା

ଭୁବନେଶ୍ୱର : ପାର୍ବଣ ଆରମ୍ଭ ହୋଇଯାଇଥିବାରୁ ଟ୍ୱିନ୍‍ ସିଟିରେ ହାଟ, ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। କୋଭିଡ୍‍ ସଂକ୍ରମଣ ୫ଶହ ଉପରେ ରହୁଥିବାରୁ ଏହାକୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ଅର୍ଥାତ ୧୧ ତାରିଖରୁ ଟ୍ୱିନ୍‍ ସିଟିରେ ରାତ୍ରିକାଳୀନ ନାଇଟ୍‍ କର୍ଫ୍ୟୁ ଜାରି ରହିବ। ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ଜାରି ରହିବ। ନାଇଟ୍‍ କର୍ଫ୍ୟୁ ସମୟରେ ଅମାନିଆଙ୍କ ଉପରେ ରହିବ ପୁଲିସର କଡ଼ା ନଜର। କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ପଡ଼ିଲେ ଅମାନିଆଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଅନ୍ୟପଟେ ରାତିପାହିଲେ ପୂଜା ମଣ୍ଡପରେ ଅନୁଷ୍ଠିତ ହେବ ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜା । ସଂଧ୍ୟାରେ ବିଲ୍ବ ବରଣୀ କରାଯାଇ ମା’ଙ୍କ ଆବାହନ କରାଯିବ । ମା’ଙ୍କ ପୂଜାକୁ ଦୃଷ୍ଟିରେ ରଖି ପୂଜା ମଣ୍ଡପ ଗୁଡିକରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ମୂର୍ତ୍ତିର ରଙ୍ଗ କାମ ସିରିଥିବା ବେଳେ, ମା’ଙ୍କୁ ବସ୍ତ୍ର ଓ ଆଭୂଷଣରେ ଭୂଷିତ କରାଯାଉଛି । ତେବେ ଚଳିତ ବର୍ଷ କରୋନା କଟକଣା ଅନୁଯାୟୀ ପୂଜା ପାଇବେ ମା’ । ମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି। ରାଜ୍ୟ ସରକାରଙ୍କ କଟକଣା ଅନୁଯାୟୀ ମଣ୍ଡପରେ ୭ ଜଣରୁ ଅଧିକ ଲୋକ ରହିବେ ନାହିଁ। ଚାରିପଟେ ସ୍କ୍ରିନ୍‍ ରହିବ। ପୂଜା ମଣ୍ଡପରେ ଡାକବାଜି ଯନ୍ତ୍ର ବାଜିବ ନାହିଁ। ପୂଜା ମଣ୍ଡପରେ ଲାଇଟ୍‍ ଲଗାଇବାରେ କଟକଣା ନାହିଁ, କିନ୍ତୁ ପୂଜା ମଣ୍ଡପ ବାହାରେ ଲଗାଇବାରେ କଟକଣା ରହିଛି। ଏହାସହ ମଣ୍ଡପରେ ଭୋଜିଭାତ ଉପରେ ମଧ୍ୟ କଟକଣା ରହିଛି। ଭସାଣି ଶୋଭାଯାତ୍ରା ହେବ ନାହିଁ। ସାମାଜିକ ଦୂରତ୍ୱ ଏବଂ ମାସ୍କ ପିନ୍ଧିବାର ନିୟମ କଡ଼ାକଡ଼ି କରାଯିବ। ମୂର୍ତ୍ତି ବିସର୍ଜନ କିଭଳି ହେବ ତାହାକୁ ସ୍ଥାନୀୟ ପ୍ରଶାସନ ସ୍ଥିର କରିବେ।

ଆସନ୍ତାକାଲିଠୁ ଟ୍ୱିନ୍‍ ସିଟି କଟକ-ଭୁବନେଶ୍ବରରେ ଆରମ୍ଭ ହେଉଥିବା ନାଇଟ୍‍ କର୍ଫ୍ୟୁ ପାଇଁ ସହରର ପ୍ରମୁଖ ଛକରେ ପୁଲିସ ମୁତୟନ ରହିବେ। ସେଠାରେ ଲୋକଙ୍କୁ ଯାଞ୍ଚ୍‍ କରିବେ। ଯେଉଁମାନେ ଜରୁରୀ ସେବା ଯୋଗାଇବେ ସେମାନଙ୍କ ପାଇଁ ଯାତାୟାତ କରିବା ପାଇଁ ସୁଯୋଗ ଦିଆଯିବ। ପୂର୍ବଭଳି ଯେଉଁମାନଙ୍କୁ ନାଇଟ୍‍ କର୍ଫ୍ୟୁ ସମୟରେ ଯାତାୟାତ କରିବାକୁ ଅନୁମତି ମିଳିଥିଲା ବର୍ତ୍ତମାନ ସେମାନଙ୍କୁ ପୁଣି ଅନୁମତି ମିଳିବ ବୋଲି ପୁଲିସ କହିଛି। ସେପଟେ କଟକରେ ଦୁର୍ଗା ପୂଜା ପାଇଁ ମୁତୟନ ହେବେ ୩୨ ପ୍ଲାଟୁନ ଫୋର୍ସ । ପୂଜା ସମୟରେ କଟକରେ ନିୟୋଜିତ ହେବେ ୧୦୦ ଅଧିକାରୀ ।

ପାର୍ବଣରେ କରୋନା ସଂକ୍ରମଣ ବଢିପାରେ ବୋଲି କୁହାଯାଉଛି। କଟକ ଓ ଭୁବନେଶ୍ବରରେ ବି ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି । ଏଣୁ ନିୟମ କଡ଼ାକଡି ପାଳନ ଉପରେ ଅଧିକ ଫୋକସ କରାଯାଇଛି । ଭିଡ଼ କିପରି ନହେବ ତାଉପରେ ନଜର ରଖାଯିବା ସହ ପାର୍ବଣରେ ନିୟମକୁ କଡ଼ାକଡି ପାଳନ କରିବାକୁ ଗୁରୁତ୍ବ ଦିଆଯାଉଛି । ତେଣୁ ଜନସାଧାରଣ ପୂର୍ବଭଳି ସରକାରଙ୍କ କଟକଣାକୁ ମାନି ପୁଲିସକୁ ସହଯୋଗ କରିବାକୁ  ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ନିବେଦନ କରିଛନ୍ତି।

Leave A Reply

Your email address will not be published.