ଆଜିଠୁ କଟକ-ଭୁବନେଶ୍ବରରେ ନାଇଟ୍ କର୍ଫ୍ୟୁ : ରାତି ୮ଟାରୁ ଦୋକାନବଜାର ବନ୍ଦ

ଭୁବନେଶ୍ୱର : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଟ୍ୱିନସିଟିରେ ୧୪୪ ଧାରା ଲାଗୁ କରାଯାଇଛି । ରାତି ୯ ଟାରୁ ସକାଳ ୫ ଟା ଯାଏଁ ୧୪୪ ଧାରା ବାଳବତ୍ତର ରହିବ । ଆଜି ଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବା ବେଳେ ଏହି ସମୟରେ ବି ୧୪୪ ଧାରା ଲାଗୁ ହେବ । ଏହା କଟକ ଓ ଭୁବନେଶ୍ୱର ପାଇଁ ଲାଗୁ କରାଯାଇଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦେଇଛନ୍ତି ସୂଚନା।
ସେ କହିଛନ୍ତି-“୧୪୪ ଲାଗୁ ହୋଇଥିବାରୁ ବାହାରେ ବୁଲିବାକୁ କଡ଼ା ବାରଣ କରାଯାଇଛି। ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ । ଅନ୍ୟ ସମସ୍ତ ସେବା ଉପରେ ରୋକ୍ ଲଗାଯାଇଛି । ରାତି ୮ଟାରୁ ଲୋକଙ୍କୁ କଟକଣା ନେଇ ସଚେତନ କରାଯିବ । ଏହାପରେ ରାତି ୯ଟା ପରେ କୌଣସି ଲୋକଙ୍କ ବାହାରେ ବୁଲିବା ଉପରେ କଟକଣା ଲାଗିବ । ଯଦି କେହି ବାହାରେ ବୁଲୁଥିବାର ଦେଖିବାକୁ ମିଳେ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।
Prohibitory Order U/S 144 CrPC from 09.00 PM to 05.00 AM w.e.f 17.04.2021 within @cpbbsrctc in view of #COVID19 Pandemic.@DGPOdisha @odisha_police @dcpbbsr @dcp_cuttack pic.twitter.com/H16ptBiXNS
— COMMISSIONERATE POLICE (@cpbbsrctc) April 17, 2021
ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଓ ୧୪୪ ଧାରା ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି-“ନାଇଟ କର୍ଫ୍ୟୁ ଓ ୧୪୪ ଧାରାକୁ କଡ଼ାକଡ଼ି ଭାବେ ଲାଗୁ ହେବ। କେବଳ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀଙ୍କୁ ଯା’ଆସ ପାଇଁ ଅନୁମତି ମିଳିବ। ଯଥା- ମେଡିକାଲ, ମିଡିଆ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଅନୁମତି ମିଳିବ। ସେମାନେ ସଂସ୍ଥା ପକ୍ଷରୁ ଦିଆଯାଇଥିବା ପରିଚୟପତ୍ର ଦେଖାଇ ଯାଇପାରିବେ।ରେଳ ଷ୍ଟେସନ ଓ ଏୟାରପୋର୍ଟ ଯାଉଥିବା ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି। ଜରୁରୀ ସ୍ଥିତିରେ ମେଡିକାଲ ଯିବାର ଥିଲେ ତତ୍ସମ୍ବନ୍ଧୀୟ କାଗଜପତ୍ର ଦେଖାଇବ।”
ଏଥିସହିତ ସହରର ଏଜି, କଳ୍ପନା, ମାଷ୍ଟରକ୍ୟାଣ୍ଟିନ, ରଘୁନାଥପୁର, କିଟ୍, ଡମଣା, ଚନ୍ଦ୍ରଶେଖରପୁର ଆଦି ଗୁରୁତ୍ୱପୂର୍ଣ୍ଣ ଛକର ୨୫ସ୍ଥାନରେ ନାକାବନ୍ଦୀ କରାଯିବ। ସେଥିରେ ଜଣେ ଲେଖାଏଁ ଅଧିକାରୀଙ୍କୁ ମୂତୟନ କରାଯିବା ସହ ସହରରେ ୧୫ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ସେହିପରି ମୋବାଇଲ ପାଟ୍ରୋଲିଂ ଓ ପିସିଆର୍ ଭ୍ୟାନ୍ ପୂରାସହରରେ ଚକ୍କର କାଟିବ। ବିନା କାରଣରେ ବାହାରକୁ ଆସୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି କଟକରେ ନାଇଟ୍ କର୍ଫ୍ୟୁ ସମୟରେ ୨୩ଟି ସ୍ଥାନରେ ଚେକିଂ ପୋଷ୍ଟ ହେବ। ଏଥିପାଇଁ ୧୦ ପ୍ଲାଟୁନ ପୁଲିସ ମୁତୟନ ହେବେ। ଅମାନିଆଙ୍କ ବିରୋଧରେ କାଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ସେହିପରି ରାତି ୮ଟାରୁ ବ୍ୟବସାୟୀମାନେ ଦୋକାନ ବନ୍ଦ କରିବା ଲାଗି କୁହାଯାଇଛି। କାରଣ ୮ଟାରୁ ବନ୍ଦ ଆରମ୍ଭ ହେଲେ ରାତି ୯ଟା ସୁଦ୍ଧା ସମସ୍ତେ ଘରେ ପହଞ୍ଚିପାରିବେ। ତେଣୁ ସନ୍ଧ୍ୟାରେ ସମସ୍ତ ଥାନା ଅଞ୍ଚଳରେ ପିସିଆର ସାଇରନ ମାରି ସଚେତନ କରିବ। ସେପଟେ କର୍ଫ୍ୟୁ କୌଣସି ବ୍ୟକ୍ତିର ବ୍ୟକ୍ତିଗତ ସ୍ୱାର୍ଥ ଲାଗି ନୁହେଁ, ଏହା କେବଳ ଜୀବନ ରକ୍ଷ ଲାଗି ଲାଗୁଛି। ଆବଶ୍ୟକ ପଡ଼ିଲେ ନାକବନ୍ଦୀ ବଢ଼ି଼ାଯିବା ସହ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।