ଓଡ଼ିଶାରେ ଖୋଲିବ ଏନ୍ଆଇଏ ଶାଖା; ଆତଙ୍କୀ ଓ ମାଓବାଦୀ ହାମ୍ଲାରେ ଲାଗିବ ଅଙ୍କୁଶ

ଭୁବନେଶ୍ୱର: ଓଡ଼ିଶାରେ ଜାତୀୟ ଗୁଇନ୍ଦା ସଂସ୍ଥା (ଏନ୍ଆଇଏ)ର ଏକ ଶାଖା ପ୍ରତିଷ୍ଠା କରାଯିବ। ଓଡ଼ିଶା ସମେତ ଆଖପାଖ ରାଜ୍ୟ ଏହି ଶାଖାର ପରିସୀମା ମଧ୍ୟରେ ରହିବ। ଏନ୍ଏଆଇଏ ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ବେଳେ ଏ ନେଇ ବିଧିବଦ୍ଧ ନିଷ୍ପତ୍ତି ନେବା ବାକି ଅଛି। ବିଶ୍ୱସ୍ତ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ, ଓଡ଼ିଶାରେ ଏନ୍ଆଇଏ ଶାଖା ଖୋଲିବା ପାଇଁ ଏହି କେନ୍ଦ୍ରୀୟ ସଂସ୍ଥା ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଛି। ନିକଟରେ ଏନ୍ଆଇଏର ଏକ ଟିମ୍ ଭୁବନେଶ୍ୱର ଗସ୍ତରେ ଆସିଥିବା ଅବସରରେ ରାଜ୍ୟର ଗୃହ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ମାଓ ମୁକାବିଲା ଏବଂ ଅନ୍ୟ ବେଆଇନ୍ କାର୍ଯ୍ୟକଳାପ ନିୟନ୍ତ୍ରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ନୂଆ ଶାଖା ଖୋଲିବା ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ଯୋଗାଇ ଦେବେ। ବିଭିନ୍ନ ଦୃଷ୍ଟିକୋଣରୁ ଓଡ଼ିଶାରେ ଏନ୍ଆଇଏର ଶାଖା ଖୋଲିବାର ଯଥେଷ୍ଟ ଆବଶ୍ୟକତା ରହିଛି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ସହ ଖୁବ୍ ଶୀଘ୍ର ଆଉ ଏକ ବୈଠକ ବସିବାକୁ ଯାଉଥିବା ଜଣାପଡ଼ିଛି।
ଏନ୍ଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କୁ ସକ୍ରିୟ କରିବା ଲାଗି ଆତଙ୍କବାଦୀ ସଂଗଠନ ଲକ୍ଷ୍ୟ ରଖିଛନ୍ତି। ଦେଶରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି କରିବା ଲାଗି ଆତଙ୍କବାଦୀ ଯୋଜନା କରୁଛନ୍ତି। ଏଣୁ ଓଡ଼ିଶାରେ ମାଓ ସଂଗଠନକୁ ସକ୍ରିୟ କରିବା ଲାଗି ଆତଙ୍କୀ ସଂଗଠନ ଆବଶ୍ୟକ ପାଣ୍ଠି ଯୋଗାଉଥିବାର ସୂଚନା ମିଳିଛି। ଏହା ଉପରେ ଅଧିକ ତଦନ୍ତ କରିବା ଲାଗି ଓଡ଼ିଶାକୁ ଘନ ଘନ ଆସୁଛନ୍ତି ଏନ୍ଆଇଏ ଟିମ୍। କୋଲକତାରେ ଏହି ଶାଖା ରହିଥିବାରୁ ଓଡ଼ିଶାକୁ ଆସି ତଦନ୍ତ କରିବାରେ ସମସ୍ୟା ଦେଖା ଦେଉଛି। ଏଣୁ ଓଡ଼ିଶା (ଭୁବନେଶ୍ୱର)ରେ ଏନ୍ଆଇଏ ଶାଖା ଖୋଲିବା ପାଇଁ ଯୋଜନା ହୋଇଛି। ଉକ୍ତ ଶାଖାରେ ଡିଏସ୍ପି ପାହ୍ୟାର ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। ତାଙ୍କ ନେତୃତ୍ୱରେ ଓଡ଼ିଶାରେ ଏନ୍ଆଇଏ ଶାଖା କାମ କରିବ ବୋଲି ସୂଚନା ମିଳିଛି।
କେବଳ ଆତଙ୍କୀ ଓ ମାଓ ଆକ୍ରମଣ ଯୋଜନା କିମ୍ବା ସେମାନଙ୍କ ବିଷୟରେ ତଥ୍ୟ ଯୋଗାଡ଼ ନୁହେଁ; ଅନେକ ମାମଲାରେ ଟଙ୍କା ନେଇ ଶତୃଦେଶକୁ ଗୁଇନ୍ଦା ତଥ୍ୟ ଦେଉଥିବା ସନ୍ଦିଗ୍ଧଙ୍କୁ ଓଡ଼ିଶାରୁ ଉଠାଇ ନେଉଛି ଏନ୍ଆଇଏ। ଆଉ ରାଜ୍ୟରେ ଆତଙ୍କୀ ହାମ୍ଲା ନ ଥିଲେ ମଧ୍ୟ ଏଥିରେ ସମ୍ପୃକ୍ତି ରହିଥିବା ସନ୍ଦିଗ୍ଧମାନେ ଓଡ଼ିଶାରେ ସୁରକ୍ଷିତ ଭାବେ ରହୁଛନ୍ତି। ଭୁବନେଶ୍ୱର, ରାଉରକେଲା, କଟକ ଓ ମାଲକାନାଗିରିରେ ଆତଙ୍କବାଦୀଙ୍କ ସକ୍ରିୟତା ବିଷୟରେ ପ୍ରମାଣ ମିଳିଛି। ଏପରିକି ମାଓବାଦୀ ଟେରର୍ ପାଣ୍ଠି ଯୋଗାଡ଼ ଓ ବେଆଇନ୍ ଅସ୍ତ୍ରଶସ୍ତ୍ର ଯୋଗାଣ ଆଦିର ଖୋଳତାଡ଼ କରି ପୁଳାପୁଳା ମାରଣାସ୍ତ୍ର ଓ ଟଙ୍କାକୁ ଜବତ କରୁଛି ଏନ୍ଆଇଏ। ରାଜ୍ୟରେ ଆତଙ୍କୀ ଓ ମାଓବାଦୀଙ୍କ କାର୍ଯ୍ୟାକଳାପ ବଢ଼଼ିବାରୁ ଓଡ଼ିଶାରେ ଏନ୍ଆଇଏର ଶାଖା ଖୋଲିବା ଲାଗି ପରିକଳ୍ପନା କରାଯାଇଛି। ଏ ସମ୍ପର୍କରେ ରାଜ୍ୟ ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଓଡ଼ିଶାରେ ଏନ୍ଆଇଏର ଶାଖା ଖୋଲିବା ସମ୍ପର୍କରେ ବିଚାର କରାଯାଉଛି। ତେବେ ଏ ନେଇ ବିଧିବଦ୍ଧ ନିଷ୍ପତ୍ତି ହୋଇ ନାହିଁ।
୨୦୧୫ ମସିହାରେ ଅଲ୍କାଏଦ୍ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତି ଅଭିଯୋଗରେ କଟକରୁ ସନ୍ଦିଗ୍ଧ ଅବଦୁଲ୍ ରେହମାନକୁ ଉଠାଇ ନେଇଥିଲା ଏନ୍ଆଇଏ। ଝାଡ଼ଖଣ୍ଡ, ବାଙ୍ଗାଲୁରୁ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରୁ ଗୁଇନ୍ଦା ତଥ୍ୟ ନେଇ ଅଲ୍କାଏଦ୍ ଆତଙ୍କୀ ସଂଗଠନକୁ ଯୋଗାଉଥିଲା ବୋଲି ଅଭିଯୋଗ ହୋଇଥିଲା। ରେହମାନ୍ର ଫୋନ୍ରୁ ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ଏନ୍ଆଇଏ। ସେହିପରି ସିମି ଆତଙ୍କୀ ସଂଗଠନ ଲାଗି କାମ କରୁଥିବା ଜଣେ ମହିଳାଙ୍କ ସମେତ ୫ଜଣ ଆତଙ୍କୀଙ୍କୁ ରାଉରକେଲାରୁ ଉଠାଇ ନେଇଥିଲା ତଦନ୍ତକାରୀ ସଂସ୍ଥା ଏନ୍ଆଇଏ। ତିନି ବର୍ଷ ପୂର୍ବେ ବାଲେଶ୍ୱରସ୍ଥିତ ପ୍ରତିରକ୍ଷା ଗବେଷଣା କେନ୍ଦ୍ର (ଡିଆରଡିଓ) ଜଣେ ଫଟୋଗ୍ରାଫର୍ ପାକିସ୍ତାନର ଆତଙ୍କବାଦୀ ସଂଗଠନକୁ ଗୁପ୍ତ ତଥ୍ୟ ଯୋଗାଉଥିବା ଜଣାପଡ଼ିଥିଲା।
ଅନ୍ୟପକ୍ଷରେ କିଛି ଦିନ ତଳେ ଓଡ଼ିଶାର ଦୁର୍ଦ୍ଦାନ୍ତ ମାଓବାଦୀ ରଞ୍ଜୁ ଖିଲ ଓରଫ ଚାଣ୍ଟିକୁ ଏନ୍ଆଇଏ ଗିରଫ କରିଥିଲା। ପରେ ଚାଣ୍ଟି ଠାରୁ ମାଓ ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲା ଏନ୍ଆଇଏ। ବିଏସ୍ଏଫ୍ ଯବାନଙ୍କୁ ହତ୍ୟା କରିବା ସହ ମୋଷ୍ଟ ୱାଣ୍ଟେଡ୍ ନକ୍ସଲଙ୍କ ସହ ଚାଣ୍ଟିର ସମ୍ପୃକ୍ତି ରହିଥିଲା। ସେ ଗିରଫ ହେବା ପରେ ଜେଲ୍ରୁ ଜାମିନ୍ରେ ମୁକୁଳି ଫେରାର୍ ହୋଇଯାଇଥିଲା। ସୁଦୃଢ଼ ମାଓ ସଂଗଠନ କୁହାଯାଇଥିବା ମାଓନେତା ଆର୍କେ, ଉଦୟ, ଅରୁଣର ସହଯୋଗୀ ହୋଇଥିବାରୁ ଚାଣ୍ଟିକୁ ଓଡ଼ିଶା ଆସି ଗିରଫ କରିଥିଲା ଏନ୍ଆଇଏ। ସେଭଳି ଡାର୍କନେଟ୍ ସହ ସମ୍ପୃକ୍ତି ରହିଥିବା ଖଣ୍ଡଗିରି ଥାନା ଅଞ୍ଚଳର ଜଣେ ସନ୍ଦିଗ୍ଧ ଗ୍ରାଜୁଏଟ୍ ଛାତ୍ରଙ୍କୁ ଥାନାକୁ ଆଣି ଏନ୍ଆଇଏ ପଚରାଉଚରା କରିଥିଲା। ଉକ୍ତ ଯୁବକ ଆମେରିକାରେ ବ୍ୟାନ୍ ହୋଇଥିବା ବନ୍ଧୁକ ବିଷୟରେ ତଥ୍ୟ ସଂଗ୍ରହ କରୁଥିବାରୁ ଏନ୍ଆଇଏ ଓଡ଼ିଶା ଆସି ଉକ୍ତ ଛାତ୍ରଙ୍କୁ ୩ ଘଣ୍ଟା ଜେରା କରିଥିଲା। ସେଭଳି ଆତଙ୍କୀ ଲିଙ୍କ୍ ସନ୍ଦେହରେ ରାଜଧାନୀର ସାମନ୍ତରାପୁର ଅଞ୍ଚଳରେ ରହୁଥିବା ଅଖତର ହୁସେନ୍ ଖାନ୍ ଉଠାଇନେଇଥିଲା ଏନ୍ଆଇଏ। ଏମିତି ଅନେକ ସମ୍ବେଦନଶୀଳ ଘଟଣାରେ ଓଡ଼ିଶାକୁ ଆସି ତଦନ୍ତ କରିଛି ଏନ୍ଆଇଏ। ଏବେ ଓଡ଼ିଶାରେ ଏନ୍ଆଇଏ ଶାଖା ଖୋଲିବା ପରେ ଆତଙ୍କୀ ଓ ମାଓବାଦୀଙ୍କୁ ମୁକାବିଲା କରିବା ସହ ଅନ୍ୟାନ୍ୟ ତଦନ୍ତ ପ୍ରଣାଳୀ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।