ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଢ଼ାବଳଙ୍ଗରୁ ବେଆଇନ ବାଲି ଉତ୍ତୋଳନକୁ ନେଇ ଏନଜିଟି ମାମଲା : ଲିଜଧାରୀ ଗିରଫ, ତହସିଲଦାରଙ୍କ ନାମରେ ମାମଲା ରୁଜୁ

ବାରିପଦା : ସଦର ଉପଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଭିଯୋଗ କ୍ରମେ ବଡସାହି ତହସିଲ ଅଧୀନ ପୃଥକ ବାଲି ସଇରାତ ପାଇଁ ୨ଟି ମାମଲା ରୁଜୁ ହୋଇଛି । ଲିଜଧାରୀଙ୍କ ସହିତ ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କ ନାମରେ ୧୧୪/୨୨ ଓ ୧୧୫/୨୨ରେ ଦୁଇଟି ମାମଲା ରୁଜୁ କରାଯାଇଛି।ଏହାକୁ ନେଇ ବଡସାହି ପୁଲିସ ଲିଜଧାରୀ ପ୍ରଦୀପ ବିନ୍ଧାଣିକୁ ଗିରଫ କରିଛି କୋର୍ଟ ଚାଲାଣ କରିଛି ।ତେବେ ଶନିବାର ଅପରାହ୍ନ ଠାରୁ ଜିଲ୍ଲା ଛାଡି ତହସିଲଦାର ପଳାଇଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, ବଡସାହି ତହସିଲ ଅଧୀନରେ ଥିବା ଡିଙ୍ଗିରା ଓ ଆରପଟା ବାଲି ସୈରାତକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ୟୁବନାଲ କଲିକତା ବେଂଚ ପକ୍ଷରୁ ପୄଥକ ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି କରି ଲିଜଧାରୀଙ୍କୁ ୧୭କୋଟି ୩ଲକ୍ଷ ୧୬ହଜାର ୨୭୨ଟଙ୍କା ଜରିମାନା କରିଛନ୍ତି । ଏହା ସହ ବଡସାହି ତହସିଲଦାର ମମତାଜ ମହାରଣା ଓ ଲିଜଧାରୀ ପ୍ରଦୀପ ବିନ୍ଧାଣିଙ୍କ ନାମରେ ଆଇପିସି,ସିଆରପିସି ଓ ପବ୍ଲିକ ଅର୍ଥ ହେରଫେର ଆକ୍ଟ ୨୦୦୨କୁ ନେଇ ମାମଲା ରୁଜୁ କରିବାକୁ ମୟୂରଭଞ୍ଜ ଜିଲାପାଳଙ୍କୁ ବ୍ୟକ୍ତିଗତ ଆଫିଡେଭିଟ ଦାଖଲ କରିବାକୁ ନିଦ୍ଦେଶ ଦିଆଯାଇଥିଲା । ଏହାକୁ ନେଇ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା ସଦର ଉପଜିଲ୍ଲାପାଳ ଥାନାରେ ଅଭିଯୋଗ ପରେ ପୄଥକ ମାମଲା ରୁଜୁ କରାଯାଇଛି । ତେବେ ମାମଲାରେ ଜଡ଼ିତ ଥିବା ତହସିଲଦାରଙ୍କୁ ଗିରଫ କରାଯାଇ ନଥିବା ବେଳେ ଜାଣିଶୁଣି ସୁରକ୍ଷା ପ୍ରଦାନ କରାଯାଉଛି ବୋଲି ଅଂଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଅଂଚଳବାସୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି କଡା ଚେତାବନୀ ଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ବୁଢାବଳଙ୍ଗ ନଦୀର ଦୁଇଟି ବାଲି ସୈରାତରୁ ୧୦୦କୋଟି ଟଙ୍କାର ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ଜାତୀୟ ସବୁଜ ପ୍ରାଧିକରଣ ବା ନ୍ୟାସନାଲ ଗ୍ରୀନ ଟ୍ୟୁବନାଲ(ଏନଜିଟି) ଇଷ୍ଟର୍ଣ୍ଣ ଜୋନ ବେଞ୍ଚ କଲିକତା ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ମୟୂରଭଞ୍ଜ ଜିଲ୍ଲାପାଳ ସମେତ ୧୬ଜଣଙ୍କୁ ଜବାବ ଦାଖଲ ପାଇଁ ନିର୍ଦେଶ ଦିଆଯାଇଥିଲା। ବଡ଼ସାହି ଥାନା ଛେଳିଆ-ପୁନ୍ଦାଳ ଗ୍ରାମର ରାଧା ମୋହନ ସିଂଙ୍କ ଅଭିଯୋଗ କ୍ରମେ ଜୁଡିସିଆଲ ମେମ୍ବର ଜଷ୍ଟିସ ବି.ସ୍ଥହଲେକାର ଓ ଏକ୍ସପୋର୍ଟ ମେମ୍ବର ସାଇବଲ ଦାସଗୁପ୍ତାଙ୍କ ଉପସ୍ଥିତିରେ ମାମଲା ବିଚାର ପରେ ଏପରି ନିର୍ଦେଶ ଦେଇଥିଲେ । ଏକ ଚାରିଜଣିଆ କମିଟି ଗଠନ କରାଯାଇ ୪ସପ୍ତାହ ମଧ୍ୟରେ ତଦନ୍ତ ପୂର୍ବକ ରିପୋର୍ଟ ପ୍ରଦାନ କରିବାକୁ ଜାତୀୟ ସବୁଜ ପ୍ରାଧିକରଣ ବା ନ୍ୟାସନାଲ ଗ୍ରୀନ ଟ୍ୟୁବନାଲ(ଏନଜିଟି)  ନିର୍ଦ୍ଦେଶ ଦିଆଯାଇଥିଲା।

ବିବାଦୀୟ ବାଲି ସୈରାତ ଦୁଇଟି ହେଲା ବଡ଼ସାହି ତହସିଲ ଅଧୀନ ବୁଢାବଳଙ୍ଗ ନଦୀର ଡିଙ୍ଗିରା ଓ ଆରପଟ୍ଟା। ସୈରାତ ଦୁଇଟିକୁ ବୈଶିଙ୍ଗା ଡାହିସାହିର ଆଜି ଗିରଫ ହୋଇଥିବା ପ୍ରଦୀପ ବିନ୍ଧାଣୀ ୫ବର୍ଷ ପାଇଁ ରାଜସ୍ୱ ବିଭାଗଠାରୁ ଲିଜ ସୁତ୍ରରେ ନେଇଥିଲେ । ଡିଙ୍ଗିରା ସୈରାତରେ ଥିବା ଖାତା ନଂ ୧୮୮, ପ୍ଳଟ ନଂ ୮୪୪,୮୬୨ରୁ ୧୬.୧୨ଏକର ସ୍ଥାନରୁ ପ୍ରତିଦିନ ୯ସିୟୁଏମ ବାଲି ଉତ୍ତୋଳନ ପାଇଁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପରିବେଶ ମଞ୍ଜୁରୀ ମିଳିଥିଲା। ମାତ୍ର ସମୟର ଅବଧି ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ଏକ ବର୍ଷଧରି ବାଲି ଉତ୍ତୋଳନ କରାଯାଉଥିଲା।ଏହା ଦ୍ୱାରା ସରକାର ଏହି ଘାଟରୁ ୪୩.୬୮କୋଟି ଟଙ୍କା ରାଜସ୍ୱ ହରାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା। ସେହିପରି ଆରପଟା ମୌଜା ଖାତା ନଂ ୨୬୧, ପ୍ଳଟ ନଂ ୫୫୪/୧ରୁ ୧୩ଏକର କ୍ଷେତ୍ର ବିଶିଷ୍ଟ ଅଞ୍ଚଳରୁ ପ୍ରତିଦିନ ୧୦ସିୟୁଏମ ବାଲି ଉତ୍ତୋଳନ ୨୦୨୧ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ପରିବେଶ ମଞ୍ଜୁରୀ ମିଳଥିଲା। ତେବେ ସେଠାରେ ମଧ୍ୟ ସମୟ ଅବଧି ଶେଷ ହେବା ବର୍ଷେ ପରେ ମଧ୍ୟ ମଞ୍ଜୁରୀକୁ ବିସ୍ତାର କରାନଯାଇ ବାଲି ଖନନ ଜାରି ରଖାଯାଇଥିଲା। ଯେଉଁଠୁ ବର୍ଷକୁ ୫୩.୨୬କୋଟି ଟଙ୍କାର ରାଜସ୍ୱ ହରାଇଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି। ଏଣୁ ଦୁଇଟି ସୈରାତରୁ ବେଆଇନ ଭାବେ ପାଖାପାଖି ୧୦୦କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି। ଉଭୟ ସୈରାତକୁ ନେଇ ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ୩୦/୨୦୨୨ ଓ ୩୧/୨୦୨୨ରେ ମାମଲା ରୁଜୁ ହୋଇଥିଲା।

Leave A Reply

Your email address will not be published.