ନୂଆ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ : ଘରେ ନେଉଳ ରଖିଲେ ହେବ ୭ ବର୍ଷ ଜେଲ୍,ବାଦୁଡ଼ି ମାରି ଖାଇବା ବନ୍ୟପ୍ରାଣୀ ଅପରାଧ
ଅଭୟାରଣ୍ୟ ଅଞ୍ଚଳରେ ମିଳିବନି ବନ୍ଧୁକ ଲାଇସେନ୍ସ, କାଉ, କୋଇଲି ଓ ବିଲୁଆଙ୍କ ସଂରକ୍ଷଣକୁ ଗୁରୁତ୍ୱ
ଭୁବନେଶ୍ୱର : ବନ୍ୟପ୍ରାଣୀଙ୍କ ଶିକାର କରୁଥିବା ବା ଏ ସମ୍ପର୍କିତ ଅପରାଧରେ ଜଡ଼ିତ ରହୁଥିବା ଲୋକଙ୍କ ଉପରେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ପୂର୍ବ ତୁଳନାରେ ଏଣିକି ବିଭିନ୍ନ ମାମଲା ପାଇଁ ୪ ଗୁଣା ଅଧିକ ଅର୍ଥ ଦଣ୍ଡ ସହ ଜେଲ ମଧ୍ୟ ଭୋଗିବାକୁ ପଡ଼ିବ। ଏହା ସହିତ ଜଙ୍ଗଲ କିମ୍ବା ଗାଁ ଆଖ ପାଖରେ ବୁଲୁଥିବା ବହୁ ପଶୁ ପକ୍ଷୀଙ୍କୁ ଆକ୍ରମଣ କଲେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। କାରଣ ଏପ୍ରିଲ୍ ୧ ତାରିଖଠାରୁ ସାରା ଦେଶରେ ସଂଶୋଧିତ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ୍ ୨୦୨୨ ଲାଗୁ ହେଉଛି। ଏହି ସଂଶୋଧିତ ଆଇନ୍ରେ ବହୁ କଡ଼ା କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା କରାଯାଇଥିବାରୁ ବନ୍ୟପ୍ରାଣୀ ସୁରକ୍ଷା କ୍ଷେତ୍ରରେ ଏହା ପ୍ରଭାବୀ ହେବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି।
ସଂଶୋଧିତ ଆଇନ୍ରେ ସିଡ୍ୟୁଲ (ଅନୁସୂଚିତ) ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ସିଡ୍ୟୁଲ୍-୧ ଓ ୨ ରେ ଭାରତୀୟ ବନ୍ୟପ୍ରାଣୀମାନଙ୍କୁ ରଖାଯାଇଥିବା ବେଳେ ସିଡ୍ୟୁଲ୍-୩ରେ ଗଛ ଓ ସିଡ୍ୟୁଲ୍-୪ରେ ବିଦେଶୀ ପଶୁ ପକ୍ଷୀଙ୍କୁ ସାମିଲ୍ କରାଯାଇଛି। ସିଡ୍ୟୁଲ-୧ର ପାର୍ଟ-ଏ’ରେ ସ୍ତନ୍ୟପାୟୀ ପ୍ରାଣୀ ରହିଛନ୍ତି। ଏଥିରେ ବାଦୁଡ଼ି, ଭାଲୁ, ବିଲୁଆ, ବଣଭୁଆଁ, ନେଉଳ, ଶାଳଆପତନି, ଝିଙ୍କ ଆଦି ରହିଛନ୍ତି। ସିଡ୍ୟୁଲ୍-୧ର ପାର୍ଟ-ବି’ ପକ୍ଷୀଙ୍କୁ ସାମିଲ କରାଯାଇଛି। ଏଥିରେ ପେଚାଙ୍କ ସୁରକ୍ଷା ପାଇଁ ଗୁରୁତ୍ୱ ଦିଆଯାଇଛି। ଯାହାଦ୍ୱାରା ମୟୂର ଭଳି ପେଚାଙ୍କୁ ମଧ୍ୟ ଶିକାର କିମ୍ବା ଆକ୍ରମଣ କଲେ ଅର୍ଥଦଣ୍ଡ ସାଙ୍ଗକୁ ଜେଲ୍ର ମଧ୍ୟ ବ୍ୟବସ୍ଥା ହୋଇଛି।
ସେହିପରି ଶଙ୍ଖଚିଲ, ଛଞ୍ଚାଣ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ପାର୍ଟ-ସି’ରେ ସାପଙ୍କୁ ରଖାଯାଇଛି। ପୂର୍ବରୁ ଓଡ଼ିଶାରେ ଦେଖାଯାଉଥିବା ଅଜଗର ଏହି ବର୍ଗରେ ଥିବା ବେଳେ ସଂଶୋଧିତ ଆଇନ୍ରେ ନାଗ, ତମ୍ପ, ଧମଣା, ଧଣ୍ଡ, ଚନ୍ଦନ ବୋଡ଼ା, ଅହିରାଜ ଆଦିକୁ ଏହି ବର୍ଗରେ ସାମିଲ୍ କରାଯାଇଛି। ପାର୍ଟ-ଡି’ରେ ଉଭୟଚର ପ୍ରାଣୀ ଭାବେ ବେଙ୍ଗ ପାର୍ଟ-ଇ’ ରେ ସାର୍କ ଓ ସାଙ୍କୁଚ ଭଳି ପ୍ରାଣୀଙ୍କୁ ରଖାଯାଇଛି। ପାର୍ଟ-ଜି’ରେ ଗେଣ୍ଡା ଓ ଶାମୁକାଙ୍କୁ ସାମିଲ କରାଯାଇଛି। ଏମିତିକି ୯୬ ପ୍ରକାରର ପ୍ରଜାପତିଙ୍କୁ ସିଡ୍ୟୁଲ୍-୧ରେ ରଖାଯାଇଛି। ପାର୍ଟ-କେ’ରେ ୧୨ ପ୍ରଜାତିର ସାମୁଦ୍ରିକ ଜୀବଙ୍କୁ ସାମିଲ କରାଯାଇଛି। ସିଡ୍ୟୁଲ୍-୧ରେ ଥିବା ପ୍ରାଣୀଙ୍କ କ୍ଷେତ୍ରରେ ଯଦି କୌଣସି ଲୋକ ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ସେମାନଙ୍କ ପାଇଁ ସର୍ବାଧିକ ଦଣ୍ଡବିଧାନ ୩-୭ ବର୍ଷ ପର୍ଯ୍ୟନ୍ତ ରହିଛି। ସିଡ୍ୟୁଲ୍-୨ରେ ହରିଣ, ଠେକୁଆ, ବାରାହା, ଭାରତୀୟ ବାଦୁଡ଼ି, ଗୁଣ୍ଡୁଚିମୁଷା ଆଦି ସ୍ଥାନ ପାଇଥିବା ବେଳେ ବୁଲବୁଲ୍ ଚଢ଼େଇ, ଶୁଆ, ପାଣି କୁଆ, କାଉ ଓ କୋଇଲି ଇତ୍ୟାଦିଙ୍କୁ ଏଥିରେ ସାମିଲ କରାଯାଇଛି।
ପୂର୍ବରୁ ବନ୍ୟପ୍ରାଣୀ ସମ୍ପର୍କିତ ଅପରାଧ ପାଇଁ ଯେଉଁ କ୍ଷେତ୍ରରେ ଜରିମାନା ୨୫ ହଜାର ଥିଲା ତାହାକୁ ୧ ଲକ୍ଷ ଟଙ୍କା କରାଯାଇଛି। ୧୦ ହଜାର ଜରିମାନା ପରିମାଣକୁ ବୃଦ୍ଧି କରାଯାଇ ୨୫ ହଜାର କରାଯାଇଛି। ଏଣିକି ଅଭୟାରଣ୍ୟ ଅଞ୍ଚଳର ୧୦ କିଲୋମିଟର ପରିମିତ ଅଞ୍ଚଳରେ ବନ୍ଧୁକ ଲାଇସେନ୍ସ ଦିଆଯିବ ନାହିଁ। ଏଥିପାଇଁ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ଅନୁମତି ଆବଶ୍ୟକ ପଡ଼ିବ। ଏମିତି କି ଯେଉଁମାନେ ବନ୍ଧୁକ ଲାଇସେନ୍ସ ପାଇଛନ୍ତି, ସେମାନଙ୍କୁ ନବୀକରଣ ପାଇଁ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ ବୋଲି ସଂଶୋଧିତ ଆଇନ୍ରେ ଦର୍ଶାଯାଇଛି।
ଖୋର୍ଦ୍ଧା ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତ ଯେ ରାଜ୍ୟ ସରକାର ଏହି ନିୟମ ପାଳନ ପାଇଁ ବ୍ୟାପକ ପଦକ୍ଷେପ ନିଆଯିବା ଉଚିତ। ଗଣମାଧ୍ୟମରେ ବିଜ୍ଞାପନ ଦେବା ସହିତ ସ୍କୁଲ୍ କଲେଜରେ ସେମିନାର କରିବା ଆବଶ୍ୟକ। ସେହିପରି ପୂର୍ବତନ ଆଇଏଫ୍ଏସ୍ ଅଫିସର ଜିତଶତ୍ରୁ ମହାନ୍ତି ଆଇନ ସଂଶୋଧିତ ଦ୍ୱାରା ବିଭିନ୍ନ ମନ୍ଦିରରେ ଥିବା ପୋଷା ହାତୀଙ୍କୁ ଅବାଧରେ ଏ ରାଜ୍ୟରୁ ସେ ରାଜ୍ୟକୁ ହାତୀଙ୍କୁ ନିଆଯାଇପାରିବ ବୋଲି କହିଛନ୍ତି। ତେବେ ସିଡ୍ୟୁଲ୍ ବ୍ୟବସ୍ଥାରେ ପରିବର୍ତ୍ତନ ଦ୍ୱାରା ଅନେକ ସୁଫଳ ମିଳିବ ବୋଲି ସେ ଆଶା ରଖିଛନ୍ତି। ମଝିରେ ମଝିରେ ଟେକ୍ନିକାଲ କମିଟି ଦ୍ୱାରା ବିଭିନ୍ନ ସିଡ୍ୟୁଲରେ ପଶୁ ପକ୍ଷୀଙ୍କୁ ସାମିଲ କରାଯିବାର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।