ଆସୁଛି ପବିତ୍ର ମାସ କାର୍ତ୍ତିକ: ଜଗା ଦର୍ଶନ ବ୍ୟବସ୍ଥାକୁ ନେଇ ଜାରି ହେଲା ସ୍ୱତନ୍ତ୍ର ମାର୍ଗଦର୍ଶିକା

ପୁରୀ: ଆଗକୁ ଆସୁଛି ପବିତ୍ର ମାସ କାର୍ତ୍ତିକ। ପୁରୀକୁ ଜଗା ଦର୍ଶନ ପାଇଁ ଆସିବେ ହବିଷ୍ୟାଳି । ଏ ନେଇ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଓ ଦର୍ଶନ ବ୍ୟବସ୍ଥାକୁ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହେଇଛି। ତେବେ ଆସନ୍ତା ଗୁରୁବାରରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଛି। ସକାଳ ୭ରୁ ରାତି ୯ଯାଏ ହେବ ଶ୍ରୀଜିଉଙ୍କ ଦର୍ଶନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।
ପୂର୍ବ ଭଳି ସବୁ ରବିବାର ବନ୍ଦ ରହିବ ଜଗା ଦର୍ଶନ। ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦଶହରା ଦିନ ବନ୍ଦ ରହିବ ଶ୍ରୀମନ୍ଦିର। ୧୬ ତାରିଖ ଭସାଣୀରେ ଦିନ ୧୨ଟା ପରଠାରୁ ଦର୍ଶନ ବନ୍ଦ ରହିବ । ୨୦ତାରିଖ କୁମାର ପୂର୍ଣ୍ଣିମାରେ ଖୋଲା ରହିବ ଶ୍ରୀମନ୍ଦିର । ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ଭକ୍ତ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ହୋଇଛି । ମନ୍ଦିର ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କରିବେ ଶ୍ରଦ୍ଧାଳୁ ।
ଏଣିକି ଶ୍ରୀମନ୍ଦିରକୁ ଫୁଲ ଓ ଭୋଗ ନେଇପାରିବେ ଭକ୍ତ । ଶ୍ରୀମନ୍ଦିରକୁ ପଲିଥିନ ନେଲେ ୧୦୦ଟଙ୍କା ଜରିମାନା ଲାଗିବ । ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରବେଶ ପାଇଁ RT-PCR ଟେଷ୍ଟ କିମ୍ବା ୨ଡୋଜ୍ ଟିକା ବାଧ୍ୟତାମୂଳକ ହୋଇଛି । ଶ୍ରଦ୍ଧାଳୁଙ୍କ ପାଇଁ ପରିଚୟପତ୍ର ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।