ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆନ୍ତର୍ଜାତିକ ଶ୍ରମିକ ଦିବସରେ ନିର୍ମାଣ ଶ୍ରମିକଙ୍କ ପାଇଁ ଖୁସି ଖବର : ଏଣିକି ଘରେ ବସି କରିପାରିବେ ପଞ୍ଜିକରଣ , ନବୀକରଣ ଓ ସହାୟତା ଆବେଦନ

ଭୁବନେଶ୍ବର : ଆନ୍ତର୍ଜାତିକ ଶ୍ରମିକ ଦିବସରେ ନିର୍ମାଣ ଶ୍ରମିକଙ୍କ ପାଇଁ ଖୁସି ଖବର । ନିର୍ମାଣ ଶ୍ରମିକମାନେ ଏଣିକି ନୂତନ ପଞ୍ଜିକରଣ , ନବୀକରଣ ଓ ସହାୟତା ଆବେଦନ ନିମନ୍ତେ ଆଉ ଶ୍ରମ କାର୍ଯ୍ୟାଳୟକୁ ଡେଇଁବେ ନାହିଁ । ଶ୍ରମିକ ଭାଇଭଉଣୀମାନେ ଘରେ ବସି ମଧ୍ୟ ଉପରୋକ୍ତ ସେବା ପାଇପାରିବେ। ଏଥି ପାଇଁ ଆଜି ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅନ୍‌ଲାଇନ୍ ପୋର୍ଟାଲ ( https : \\ nirmanshramik.odisha.gov.in ) କୁ ଲୋକାର୍ପଣ କରି କହିଥିଲେ ଯେ ଏହି ବ୍ୟବସ୍ଥା ଦ୍ଵାରା ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକରଣ , ନବୀକରଣ ଓ ସହାୟତା ଆବେଦନ ନିମନ୍ତେ ଏବେ ଆଉ ଶ୍ରମକାର୍ଯ୍ୟାଳୟକୁ  ଯିବାକୁ ପଡ଼ିବ ନାହିଁ ।ଶ୍ରମିକ ଭାଇଭଉଣୀମାନେ ଘରେ ବସି ମଧ୍ୟ ଉପରୋକ୍ତ ସେବା ପାଇପାରିବେ ।

ଆନ୍ତର୍ଜାତିକ ଶ୍ରମ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଶ୍ରମ ଓ କମର୍ଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଭୁବନେଶ୍ବରସ୍ଥିତ ଜୟଦେବ ଭବନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ବ୍ୟାଉପଟ୍ଟନାୟକ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ କହିଥିଲେ ଯେ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ରାଜ୍ୟରେ କାର୍ଯ୍ୟରତ ଶ୍ରମିକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ନିରନ୍ତର ଭାବେ କାର୍ଯ୍ୟ କରୁଛି । ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣ ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ଅଦ୍ୟାବଧି ୩୫ ଲକ୍ଷରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କୁ ଏହି ବୋର୍ଡ଼ ଅଧୀନରେ ପଞ୍ଜିକୃତ କରାଯାଇ ମୋଟ ୨୬୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ପଞ୍ଜିକୃତ ନିର୍ମାଣ ଶ୍ରମିକ ତଥା ସେମାନଙ୍କ ପରିବାରଙ୍କୁ ଶିକ୍ଷାବୃଦ୍ଧି , ବିବାହ , ପ୍ରସୂତି , ମୃତ୍ୟୁ , ଅନ୍ତୋଷ୍ଟିକ୍ରିୟା ସକାଶେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସହଭାଗିତାରେ ଏହି କଲ୍ୟାଣ ବୋର୍ଡ଼ ମାଧ୍ୟମରେ ‘ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା ’ , ‘ ନିର୍ମାଣ ଶ୍ରମିକ ପେନସନ୍ ଯୋଜନା ’ , ସରକାରୀ ଆଇ.ଟି.ଆଇ ଓ ଡିପ୍ଲୋମା ଅନୁଷ୍ଠାନରେ ଶିକ୍ଷା ନିମନ୍ତେ ‘ ନିର୍ମାଣ କୁସୁମ ଯୋଜନା ’ କାର୍ଯ୍ୟକାରୀ କରାଯାଉଛି । ସେହିପରି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଗଠନ କରାଯାଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ।


ପ୍ରବାସୀ ଶ୍ରମିକମାନଙ୍କର ସୁରକ୍ଷା ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବା ସହ ରାଜ୍ୟର ୪ଟି ପ୍ରବାସୀ ଶ୍ରମିକପ୍ରବଣ ଜିଲ୍ଲା ଯଥା ବଲାଙ୍ଗୀର , ବରଗଡ଼ , କଳାହାଣ୍ଡି ଓ ନୂଆପଡ଼ାର ୪୭୭ଟି ପଂଚାୟତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ପ୍ୟାକେଜ୍ କାର୍ଯ୍ୟକାରୀ ହେଉଛି ।

ରାଜ୍ୟ ସରକାରଙ୍କ ‘ ୫ଟି ’ ଉପକ୍ରମରେ PAReSHRAM portal କାର୍ୟ୍ୟକାରୀ କରାଯାଇ ୫୨ଗୋଟି ବିଭିନ୍ନ ସେବା ଅନ୍‌ଲାଇନ୍‌ ମାଧ୍ୟମରେ ଯୋଗାଇ ଦିଆଯାଉଛି , ଯାହା ରାଜ୍ୟରେ ବ୍ୟବସାୟ ସରଳୀକରଣ ଦିଗରେ ସହାୟକ ହେବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସ୍ୱଚ୍ଛତାର ସହ ସେବା ଯୋଗାଇ ପାରିଛି । ଅଦ୍ୟାବଧି , ଏହି ପୋର୍ଟାଲ ମାଧ୍ୟମରେ ୧୬ , ୫୦୦ରୁ ଉର୍ଦ୍ଧ୍ବ ସେବା ପ୍ରଦାନ କରାଯାଇଛି ।

ଆଜିର ଏହି ସମାରୋହରେ ମନ୍ତ୍ରୀ ସୁଶାନ୍ତ ସିଂହ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅନ୍‌ଲାଇନ୍ ପୋର୍ଟାଲ ( https : \\ nirmanshramik.odisha.gov.in ) କୁ ଲୋକାର୍ପଣ କରି କହିଥିଲେ ଯେ ଏହି ବ୍ୟବସ୍ଥା ଦ୍ଵାରା ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକରଣ , ନବୀକରଣ ଓ ସହାୟତା ଆବେଦନ ନିମନ୍ତେ ଏବେ ଆଉ ଶ୍ରମ କାର୍ୟ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । ଶ୍ରମିକ ଭାଇଭଉଣୀମାନେ ଘରେ ବସି ମଧ୍ୟ ଉପରୋକ୍ତ ସେବା ପାଇପାରିବେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ( www.labourdirectorate.odisha.gov.in ) ଏବଂ କାରଖାନା ଓ ବାଷ୍ପତ୍ର ନିର୍ଦ୍ଦେଶାଳୟ ( www.dfb.odisha.gov.in ) ର ଦୁଇଗୋଟି ୱେବ୍‌ସାଇଟ୍‌କୁ ମଧ୍ୟ ଲୋକାର୍ପଣ କରିଥିଲେ । ତତ୍ସହିତ ‘ ଶ୍ରମ କଲ୍ୟାଣ ’ ନାମକ ଏକ ବୁଲେଟିନ୍‌ ମଧ୍ୟ ଉନ୍ମୋଚିତ ହୋଇଥିଲା । ବିଭିନ୍ନ ଶ୍ରମିକ ଭାଇଭଉଣୀ ମାନଙ୍କୁ ବିଭାଗ ତରଫରୁ ମୁଖ୍ୟଅତିଥୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଉପସ୍ଥିତ ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ଶ୍ରମିକମାନଙ୍କର ସର୍ବାଙ୍ଗୀନ ବିକାଶ ଓ ବହୁବିଧ କଲ୍ୟାଣ ରାଜ୍ୟ ସରକାରଙ୍କ ପ୍ରାଥମିକତା । ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣକାରୀ ଯୋଜନା କାର୍ୟ୍ୟକାରୀ କରିବାରେ ଆମ ରାଜ୍ୟ ଭାରତବର୍ଷରେ ଆଜି ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି ।

ଏହି ସମାରୋହରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ କହିଥିଲେ ଯେ ରାଜ୍ୟ ସରକାର ଶ୍ରମିକମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ ଅଙ୍ଗୀକାରବଦ୍ଧ ଓ ସର୍ବଦା ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଶ୍ରମିକ ଭାଇଭଉଣୀମାନଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ ଅହରହ କାର୍ୟ୍ୟ କରୁଥିବା ପ୍ରମୁଖ ଶ୍ରମିକ ସଂଗଠନର ୪ଜଣ ଶ୍ରମିକ ନେତାଙ୍କୁ ଏହି କାର୍ୟ୍ୟକ୍ରମରେ ‘ ବିଜୁ ଶ୍ରମିକ ବନ୍ଧୁ ସମ୍ମାନ – ୨୦୨୨’ରେ ସମ୍ମାନିତ କରାଯାଇଥିଲା । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ ସ୍ଵାଗତ ଭାଷଣ ଦେଇଥିଲାବେଳେ ଶ୍ରମ ଆୟୁକ୍ତ ଡ . ଏନ୍ . ଥିରୁମାଲା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ବରିଷ୍ଠ ପଦାଧିକାରୀ , ବିଭିନ୍ନ ଶ୍ରମିକ ସଂଗଠନର ନେତୃମଣ୍ଡଳୀ ଏବଂ ବହୁ ଶ୍ରମିକ ଭାଇଭଉଣୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.