ସିନେମାରେ ମହିଳା ସଶକ୍ତୀକରଣ ର ବାର୍ତ୍ତା : ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିିତ୍ର ‘ବିଜୟିନୀ’

କଟକ: ଛୋଟିଆ ସହରର ଝିଅଟିଏ। ଯାହା ପାଖରେ ରହିଛି ଜନସାଧାରଣଙ୍କ ସେବା କରିବାର ଅଭିଳାଷ। ଏହାକୁ ପୂରଣ କରିବା ପାଇଁ ସେ ହୋଇପଡେ ଦୃଢମନା। ଆତ୍ମବିଶ୍ୱାସ ବଳରେ ସମସ୍ତ ବାଧାବିଘ୍ନକୁ ସାମ୍ନାକରି ଶେଷରେ ହୁଏ ‘ବିଜୟିନୀ’। ଏପରି ଏକ କାହାଣୀକୁ ନେଇ ଜଣାଶୁଣା ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଚଳଚ୍ଚିତ୍ର ‘ବିଜୟିନୀ’- ବିଜୟ ଭବଃ ଶନିବାର କଟକର ବୃନ୍ଦାବନ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି। ଚିରାଚରିତ କାହାଣୀଠାରୁ ଭିନ୍ନ ଏହି ଚଳଚ୍ଚିତ୍ରଟି ମହିଳା ସଶକ୍ତୀକରଣ କ୍ଷେତ୍ରରେ ବାର୍ତ୍ତା ପ୍ରଦାନ କରିଛି। ବିଜୟ କାଣ୍ଡୋଇ ଓ ସଙ୍ଗୀତା କାଣ୍ଡୋଇ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି।

ଏଥିରେ ବର୍ଷା ମୁଖ୍ୟ ନାୟିକାରେ ଅଭିନୟ କରଥିବା ବେଳେ ନାୟକ ଭୂମିକା ନିଭାଇଛନ୍ତି ଦେବାଶିଷ। ବିକ୍ରମ ମହାନ୍ତି, ପ୍ରଜ୍ଞା, ଶଙ୍କର,ପପି ସନ୍ତୁକା, ତୃପ୍ତି ସିହ୍ନା, ସରୋଜ ଦାସ, ଧୀର ମଲିକ, ଶ୍ରୀରାମ, ଶୋଭା, ମାମା ଓ ପୁଷ୍ପା ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ତେବେ ବର୍ଷାଙ୍କ ନିଖୁଣ ଅଭିନୟକୁ ସିନେପ୍ରେମୀ ଦର୍ଶକ ବେଶ୍‍ ପ୍ରଶଂସା କରିଛନ୍ତି। ଏହି ଫିଲ୍ମ ପ୍ରତ୍ୟେକ ଯୁବପିଢିକୁ ସମାଜ ପ୍ରତି ନିଜ କର୍ତ୍ତବ୍ୟ ଓ ମୂଲ୍ୟବୋଧ କ୍ଷେତ୍ରରେ ପ୍ରେରଣା ଯୋଗାଇଥିବା ଦର୍ଶକ କହନ୍ତି। ବର୍ଷା ପ୍ରିୟଦର୍ଶିନୀ ଏହି ଚଳଚ୍ଚିତ୍ରର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିବା ସହ ପ୍ରେଜେକ୍ଟ କ୍ରିଏଟିଭ୍‍ ହେଡ୍‌ ରହିଛନ୍ତି। ଜଣାଶୁଣା ନିର୍ଦ୍ଦେଶକ ସୁଧାକର ବସନ୍ତ ଚଳଚ୍ଚିତ୍ରଟିର ନିର୍ଦେଶନା ଦେଇଛନ୍ତି। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଫିଲ୍ମର ସଙ୍ଗୀତକୁ ଅତି ସୁନ୍ଦର ଭାବେ ସ୍ୱରରେ ସଜାଇଛନ୍ତି। ଭଗତ ସିଂହ ସିନେମାଟୋଗ୍ରାଫିରେ ଥିବା ବେଳେ ଚନ୍ଦ୍ରଶେଖର ମିଶ୍ର ସମ୍ପାଦନା କରିଛନ୍ତି। ବିଜୟ ମଲ୍ଲ ଏହାର ସଂଳାପ ଲେଖିଛନ୍ତି। ରବିବାର ଏହି ଚଳଚ୍ଚିତ୍ର ଭୁବନେଶ୍ୱରର ସ୍ୱାତୀ ସିନେ କମ୍ପ୍ଲେକ୍ସରେ ମୁକ୍ତିଲାଭ କରିବ ବୋଲି ସୂଚନା ଦିଆଯାଇଛି।

Leave a comment