ଆହତଙ୍କ ଜୀବନ ରକ୍ଷା ପାଇଁ ନୂଆ ପଦକ୍ଷେପ : ‘ଗୁଡ୍‍ ସମାରିଟାନ୍‍’ ପୁରସ୍କାର ପାଇଁ ସୁପାରିସ କରିବ ପୁଲିସ

ଭୁବନେଶ୍ୱର : ସଡ଼କ ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ସହିତ ସେମାନଙ୍କ ଜୀବନ ରକ୍ଷା ଦିଗରେ ରାଜ୍ୟ ସରକାର ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ଏଣିକି ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିବା ଉତ୍ତମ ନାଗରିକଙ୍କୁ ପୁରସ୍କୃତ କରିବା ପାଇଁ ପୁଲିସ ସୁପାରିଶ କରିପାରିବ। ପୂର୍ବରୁ ଏପରି ସୁପାରିସ କରିବା ପାଇଁ ଡାକ୍ତରମାନଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା। ଏହି ନିଷ୍ପତ୍ତି ଦ୍ୱାରା ଅଧିକ ଲୋକ ଆହତଙ୍କୁ ସହାୟତା ପାଇଁ ଆଗେଇ ଆସିବେ ବୋଲି ଆଶା କରାଯାଉଛି। ସଡ଼କ ଦୁର୍ଘଟଣାରେ ଆହତଙ୍କ ପାଇଁ ପ୍ରଥମ ଏକ ଘଣ୍ଟା ‘ସୁବର୍ଣ୍ଣ ଘଣ୍ଟା’ ଅବା ‘ଗୋଲ୍ଡେନ୍‍ ଆୱାର’ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଏହି ସମୟରେ ଆହତଙ୍କୁ ଚିକିତ୍ସା ମିଳିଲେ ଜୀବନ ରକ୍ଷା ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଥାଏ ଏବଂ ମୃତ୍ୟୁ ସମ୍ଭାବନା ୫୦% ପର୍ଯ୍ୟନ୍ତ ହ୍ରାସ ପାଇଥାଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୮ରେ ଉତ୍ତମ ସାମାରିଟାନ୍‍ ନୀତି ପ୍ରଣୟନ କରିଥିଲେ। ଆହତଙ୍କୁ ଉଦ୍ଧାର କରିଥିବା ଲୋକଙ୍କୁ ସରକାର ନଗଦ ୨ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଉଛି। ଏଥିସହ ସରକାରୀ ମାମଲାରେ ସେମାନଙ୍କ ନାମ ରହିବ ନାହିଁ। ଏହି ନୀତିର ଧାରା ୨୧ ଅନୁସାରେ ହସ୍ପିଟାଲ କର୍ତ୍ତୃପକ୍ଷ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଚିକିତ୍ସା କରୁଥିବା ଡାକ୍ତର ଆହତଙ୍କୁ ଡାକ୍ତରଖାନା ଆଣିଥିବା ଲୋକଙ୍କୁ ପୁରସ୍କାର ପ୍ରଦାନ ପାଇଁ ସ୍ଥାନୀୟ ଆରଟିଓ ମାନଙ୍କୁ ସୁପାରିସ କରିଥାନ୍ତି।

ତେବେ କାର୍ଯ୍ୟ ବ୍ୟସ୍ତତା ହେତୁ ଡାକ୍ତରମାନେ ଉତ୍ତମ ସାମାରିଟାନ୍‍ ମାନଙ୍କ ନାମ ସୁପାରିସ କରିବାରେ ବିଳମ୍ବ କରୁଥିଲେ। ଏହା ଦ୍ୱାରା ଆହତଙ୍କୁ ଡାକ୍ତରଖାନା ଆଣିଥିବା ଉତ୍ତମ ନାଗରିକ ପ୍ରୋତ୍ସାହନ ରାଶି ପାଇବାରୁ ବଞ୍ଚିତ ହେଉଥିଲେ। ଏହାକୁ ବିଚାର କରି ଡାକ୍ତରଙ୍କ ସମେତ ପୁଲିସ ମଧ୍ୟ ଉତ୍ତମ ନାଗରିକଙ୍କୁ ପୁରସ୍କାର ପ୍ରଦାନ ନିମନ୍ତେ ନାମ ସୁପାରିଶ କରିବା ଲାଗି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‍ଟିଏ) ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଦୁର୍ଘଟଣାସ୍ଥଳରେ ପହଞ୍ଚିଥିବା ଅବା ଏହାର ତଦନ୍ତ କରୁଥିବା ପୁଲିସ ଅଧିକାରୀ ଏହି ସୁପାରିଶ କରିପାରିବେ। ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିବା ସହିତ ଧାରା ୨୧ରେ ସଂଶୋଧନ କରିଛନ୍ତି।

Leave a comment