ବିବାଦ ମଧ୍ୟରେ ଏକାଠି ଦେଖାଗଲେ ନେହା-ଫାଲ୍‌ଗୁନି

ବଲିଉଡ୍‌ର ଜଣେ ଲୋକପ୍ରିୟ ଗାୟିକା ଭାବେ ପରିଚିତ ନେହା କକ୍କର। ଏବେ ନେହା ଓ ଗର୍‌ବା କ୍ବିନ୍‌ ଫାଲ୍‌ଗୁନି ପାଠକଙ୍କ ମଧ୍ୟରେ ଗୋଟିଏ ଗୀତକୁ ନେଇ ବିବାଦ ଦେଖାଯାଇଛି। ବିବାଦ ମଧ୍ୟରେ ସୋନି ଟିଭି ପକ୍ଷରୁ ‘ଇଣ୍ଡିଆନ୍‌ ଆଇଡଲ୍‌-୧୩’ର ଏକ ପ୍ରୋମୋ ଜାରି କରାଯାଇଛି। ଏଥିରେ ଫାଲ୍‌ଗୁନି-ନେହାଙ୍କ ସହିତ ଶୋ’ର ହୋଷ୍ଟ ଆଦିତ୍ୟ ନାରାୟଣ ଏବଂ ଗାୟକ ହିମେଶ ରେଶମିଆ ଗର୍‌ବା ଖେଳୁଥିବାର ନଜର ଆସିଛନ୍ତି। ଫାଲ୍‌ଗୁନି ଗୀତ ବୋଲୁଥିବାର ଦେଖାଯାଇଛି। ଭିଡିଓରେ କ୍ୟାପସନ୍‌ରେ ଲେଖାଯାଇଛି-ଇଣ୍ଡିଆନ୍ ଆଇଡଲ୍‌ ମଞ୍ଚରେ ଗର୍‌ବା କ୍ବିନ୍‌ ଫାଲ୍‌ଗୁନି ପାଠକଙ୍କ ସହ। କିନ୍ତୁ ଏହି ଭିଡିଓକୁ ଦର୍ଶକେ ସହଜରେ ଗ୍ରହଣ କରିନାହାନ୍ତି। ଲୋକେ ଗୀତକୁ ହିଟ୍‌ କରିବା ପାଇଁ କ’ଣ କରିପାରନ୍ତି ବୋଲି ଅନେକ ଦର୍ଶକ ମତ ଦେଇଛନ୍ତି। ଆଉ କିଛି ଦର୍ଶକ ଏହି ଲଢେଇ କ’ଣ ଦେଖେଇହବା ପାଇଁ ଥିଲା ବୋଲି କହିଛନ୍ତି।


ଏଠାରେ ପ୍ରକାଶ ଥାଉ କି, ଫାଲ୍‌ଗୁନି ଓ ନେହାଙ୍କ ମଧ୍ୟରେ ବିବାଦ ନବେ ଦଶକର ବହୁ ଚର୍ଚ୍ଚିତ ଗୀତ ‘ମେନେ ପାୟଲ ହୈ ଛନ୍‌କାଇ’ର ରିମିକ୍ସ ‘ଓ ସଜାନା’ ଯୋଗୁଁ ସୃଷ୍ଟି ହୋଇଛି। ଏବେବି ଫାଲ୍‌ଗୁନିଙ୍କ ଗୀତର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଏହାର ରିମିକ୍ସକୁ ଲୋକେ ନାପସନ୍ଦ କରୁଥିବା ଦେଖାଯାଇଛି। ଗୀତଟିକୁ ନେହା ଗାଇଥିବାବେଳେ ଏଥିରେ ନେହା, ଅଭିନେତା ପ୍ରିୟାଙ୍କ ଶର୍ମା ଏବଂ କୋରିଓଗ୍ରାଫର୍‌ ଧନଶ୍ରୀ ବର୍ମା ଅଭିନୟ କରିଛନ୍ତି। ଏହାର ମ୍ୟୁଜିକ୍‌ ଦେଇଛନ୍ତି ତନିଷ୍କ ବାଗ୍‌ଚି। ଫାଲ୍‌ଗୁନିକୁ ମଧ୍ୟ ଏହାର ରିମିକ୍ସ ପସନ୍ଦ ଆସିନାହିଁ। ଏହି ଗୀତର ପ୍ରଶଂସକମାନେ ଏଥିପାଇଁ ନେହାଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ୍‌ କରୁଛନ୍ତି। ନିକଟରେ ଫାଲଗୁନି ଇନ୍‌ଷ୍ଟାରେ ଟ୍ରୋଲର୍ସମାନଙ୍କର କିଛି କମେଣ୍ଟ ସେୟାର୍‌ କରିଥିଲେ। ଏହା ସହିତ ଫାଲଗୁନି ଲେଖିଥିଲେ, ‘ପ୍ରଥମ ଭିଡିଓ କାହାଣୀରେ ଯେଉଁ ନିରୀହତା ଥିଲା, ଏହି ଗୀତରେ ତାହା ସମ୍ପୂର୍ଣ୍ଣ ବିଲୋପ ହୋଇଯାଇଛି। ରିମିକ୍ସ କରିବାରେ ସମସ୍ୟା ନାହିଁ, କିନ୍ତୁ ମୂଳ ଗୀତର ଭାବନାକୁ ନଷ୍ଟ କରା ନଯାଉ। ’

Leave a comment