ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ରର ‘ମହା’ କପଟ: ବିପଦରେ ଓଡ଼ିଶାର ଜୀବନରେଖା

ଭୁବନେଶ୍ୱର: ବର୍ଷ ପରେ ବର୍ଷ ବିତିଛି; ତାରିଖ ପରେ ତାରିଖ ଗଡ଼଼ିଛି; ତଥାପି ସମାଧାନ ହେଉନାହିଁ ମହାନଦୀ ବିବାଦ। ଟ୍ରିବ୍ୟୁନାଲ ଗଠନ ପରେ ୨୬ଟି ଶୁଣାଣି ହୋଇ ସାରିଲାଣି, ତଥାପି ଏ ସମ୍ପର୍କରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଗୋଟିଏ ବି ନିଷ୍ପତ୍ତି ଆସି ପାରିଲା ନାହିଁ। ଏପରିକି ଆସନ୍ତା ଏପ୍ରିଲ ୩୦ ତାରିଖରେ ଅନୁଷ୍ଠିତ ହେବାକୁଥିବା ମହାନଦୀ ଜଳ ବିବାଦ ଶୁଣାଣିକୁ ସ୍ଥଗିତ ରଖାଯାଇଛି ଓ ପରବର୍ତ୍ତୀ ଶୁଣାଣି ମେ ୧୪ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି। ଟ୍ରିବ୍ୟୁନାଲ, କେନ୍ଦ୍ର ଜଳ ଆୟୋଗ ଓ କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ମନ୍ତ୍ରଣାଳୟ ମହାନଦୀ ପ୍ରସଙ୍ଗରେ ଯେଉଁ ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି ତାହା ଓଡ଼ିଶା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ଓଡ଼ିଶାର ୬୦ ପ୍ରତିଶତ ଅଞ୍ଚଳର ଜୀବନ- ଜୀବିକାକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ କରୁଥିବା ମହାନଦୀର ଜଳଧାରାକୁ ନେଇ ଟ୍ରିବ୍ୟୁନାଲ ଏବଂ କେନ୍ଦ୍ର ସରକାର ଯେପରି ବେପରୁଆ ମନୋଭାବ ପୋଷଣ କରୁଛନ୍ତି, ତାହା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ଛତିଶଗଡ଼଼ ଉପରମୁଣ୍ଡରେ ମନଇଚ୍ଛା ନିର୍ମାଣ କରିଲାଲିଥିବା ବେଳେ ତଳମୁଣ୍ଡରେ ଓଡ଼ିଶାକୁ ଅଣମୌସୁମୀ ସମୟରେ ଜଳପ୍ରବାହ କମୁଛି। ଯାହାଫଳରେ ଅମମୌସୁମୀ ସମୟରେ ମହାନଦୀ ଏବଂ ଏହାର ଶାଖାନଦୀ କ୍ରମଶଃ ଶୁଖିବାରେ ଲାଗିଛି। ଫଳସ୍ୱରୂପ ମହାନଦୀ ଅବବାହିକାରେ କୃଷିକାର୍ଯ୍ୟ ସହ ଜଳସେଚନ, ବିଦ୍ୟୁତ୍‍ ଉତ୍ପାଦନ, ଶିଳ୍ପ ଭିତ୍ତିକ ଜଳ ଯୋଗାଣ ଓ ପାନୀୟ ଜଳ ଯୋଗାଣରେ ଏବେଠାରୁ ଅସୁବିଧା ଦେଖାଦେଲାଣି। ଆଗାମୀ ଦିନରେ ମହାନଦୀର ତ୍ରିକୋଣ ଭୂମି ଅଞ୍ଚଳର ଜଳସେଚନ ଓ ପାନୀୟ ଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେବାକୁ ଯାଉଛି। ଏତଦ୍‍ବ୍ୟତୀତ ମହାନଦୀର ତଳମୁଣ୍ଡରେ ଥିବା ଜୈବ ବିବିଧତାରେ ଭରପୂର ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ଏଲଂ ତ୍ରିକୋଣଭୂମିରେ ଥିବା ଚିଲିକା ହ୍ରଦ, ଭିତରକନିକା ହେନ୍ତାଳ ବଣ, ଗହୀରମଥା ଅଭୟାରଣ୍ୟର ଜୈବ ବିବିଧତା ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏପରିସ୍ଥଳେ ଟ୍ରିବ୍ୟୁନାଲ ଓ କେନ୍ଦ୍ର ସରକାରଙ୍କ ଜଳସମ୍ପଦ ମନ୍ତ୍ରଣାଳୟ ଓଡ଼ିଶା ପ୍ରତି ଯେପରି ଆଭିମୁଖ୍ୟ ପୋଷଣ କରୁଛନ୍ତି ତାହା ସାଧାରଣରେ ଗ୍ରହଣୀୟ ହୋଇପାରୁ ନାହିଁ।

ଅନ୍ୟପକ୍ଷରେ ମହାନଦୀକୁ ସ୍ରୋତକୁ ଅଟକାଇବା ପାଇଁ ନିକଟରେ ଛତିଶଗଡ଼଼ ଆଉ ଏକ ନୂଆ ଷଡ଼ଯନ୍ତ୍ର ଆରମ୍ଭ କରିଛି। ନଦୀଶଯ୍ୟାରୁ ପଟୁ ମାଟି କାଢ଼ିବା, କୂଳ ଖାଉଥିବା ସ୍ଥାନରେ ବନ୍ଧ ନିର୍ମାଣ କରିବା ପାଇଁ ଛତିଶଗଡ଼଼ ସରକାର ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏପଟେ ଓଡ଼ିଶାର ଜୀବନ, ଜୀବିକା ଏବଂ ଅର୍ଥନୀତିକୁ ପ୍ରଭାବିତ କରୁଥିବା ଏତେବଡ଼ ଉତ୍ସକୁ କିନ୍ତୁ କେନ୍ଦ୍ର ସରକାର ଏବଂ ଟ୍ରିବୁନାଲ ଅତି ହାଲ୍‍କା ଭାବେ ନେଉଥିବା ଜଳଜଳ ଦିଶୁଛି। ରାଜନୈତିକ ବାଧ୍ୟବାଧକତା ହେଉ ଅଥବା ଅନ୍ୟ କାରଣ ପ୍ରସଙ୍ଗକୁ ନେଇ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଅସମ୍ଭବ ନିରବତା ପ୍ରଦର୍ଶନ କରୁଥିବା ବେଳେ ଟ୍ରିବ୍ୟୁନାଲ ତାରିଖ ପରେ ତାରିଖ ଗଡ଼଼ାଇ ଚାଲିଛନ୍ତି। ଯାହାକୁ ନେଇ ରାଜ୍ୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ମହାନଦୀ ଉପରମୁଣ୍ଡରେ ବ୍ୟାରେଜ୍‍ ନିର୍ମାଣ ଠାରୁ ଆରମ୍ଭ କରି ଟ୍ରିବ୍ୟୁନାଲ ଗଠନ ପରେ ମଧ୍ୟ ପକ୍ଷଭୁକ୍ତ ରାଜ୍ୟ ଛତିଶିଗଡ଼଼ ମନମାନି ଜାରି ରଖିଛି। ଗୋଟିଏ ପଟେ ଛତିଶଗଡ଼଼ ବିଭିନ୍ନ ଶୁଣାଣିରେ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଉଲ୍ଲଙ୍ଘନ କରି ଉପରମୁଣ୍ଡରେନିଜର ମନଇଚ୍ଛା ଜାରି ରଖିଛି। ମାମଲା ଟ୍ରିବ୍ୟୁନାଲରେ ବିଚାରଧୀନ ଥିବା ସତ୍ତ୍ବେ ନିକଟ ଅତୀତରେ ମହାନଦୀରେ ଜଳ ପ୍ରବାହକୁ ରୋକିବା ପାଇଁ ଛତିଶଗଡ଼଼ ସରକାର ପାଖାପାଖି ୫୧୬ରୁ ଅଧିକ ଚେକ ଡ୍ୟାମ ନିର୍ମାଣ କରିଛନ୍ତି। ସେହିପରି ମହାନଦୀର ଉପରମୁଣ୍ଡରେ ଛତିଶଗଡ଼଼ ପକ୍ଷରୁ ୮ଟି ବୃହତ୍‍ ଏବଂ ୨୯ଟି ମଧ୍ୟମ ଧରଣର ନଦୀବନ୍ଧ ପ୍ରକଳ୍ପ ନିର୍ମାଣ ସରିଥିବା ବେଳେ ୪ଟି ବୃହତ୍‍ ଏବଂ ୩ଟି ମଧ୍ୟମ ଧରଣର ପ୍ରକଳ୍ପ ବର୍ତ୍ତମାନ ନିର୍ମାଣଧୀନ ରହିଛି। ଫଳସ୍ୱରୂପ ଅଣମୌସୁମୀ ସମୟରେ ହୀରାକୁଦଠାରେ ମହାନଦୀ ଜଳ ପ୍ରବାହ କମିଛି। ୨୦୧୬-୧୭, ୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ ମସିହାରେ ଅଣମୌସୁମୀ ସମୟରେ ଯଥାକ୍ରମେ ୬୫, ୬୧, ୫୭ ଏବଂ ୩ ପ୍ରତିଶତ ଜଳପ୍ରବାହ କମିଛି।

ଏନେଇ ମହାନଦୀ ବଞ୍ଚାଅ, ଜୀବିକା ବଞ୍ଚାଅ ଅଭିଯାନର ଆବାହକ ସୁଦର୍ଶନ ଛୋଟରାୟ କହିଛନ୍ତି ଯେ ମହାନଦୀ ଓଡ଼ିଶାର ଜୀବନରେଖା ଅଟେ। ମାତ୍ର ଓଡ଼ିଶାର ଜୀବନରେଖାକୁ ବିପଦ ପଡ଼ିଥିବା ବେଳେ ଟ୍ରିବୁନାଲ କିମ୍ବା ବିବାଦରେ ସମ୍ପୃକ୍ତ ରାଜ୍ୟମାନେ ସକରାତ୍ମକ ଆନ୍ତରିକତା ଦେଖାଉନାହାନ୍ତି। ଅଣମୌସୁମୀ ସମୟରେ ମହାନଦୀରେ ଯେତିକି ପାଣି ଆସିବାକଥା ତାହା ଆସୁନାହିଁ। କଲମା ବ୍ୟାରେଜରୁ ଯେତିକି ପାଣି ଛଡ଼ାଯିବା କଥା ତାହା ଛଡ଼ାଯାଉ ନାହିଁ। ତେଣୁ ଟ୍ରିବ୍ୟୁନାଲ ତୁରନ୍ତ ଏକ ମଧ୍ୟବର୍ତ୍ତୀକାଳୀନ ରାୟ ଦିଅନ୍ତୁ। ଅଣମୌସୁମୀ ସମୟରେ ଓଡ଼ିଶାକୁ ଯେତିକି ପାଣି ମିଳିବା କଥା ସେତିକି ମିଳୁ। ବର୍ତ୍ତମାନ ବିବାଦରେ ପକ୍ଷଭୁକ୍ତ ସମସ୍ତ ରାଜ୍ୟ ଯେତିକି କାଗତ ପତ୍ର ଦାଖଲ କରିବା କଥା ତାହା କରିସାରିଲେଣି। ତେଣୁ ମଧ୍ୟବର୍ତ୍ତୀକାଳନ ରାୟ ପ୍ରକାଶରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.