ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆମ୍ବ କିଏ ନେବ, ନଷ୍ଟ ହେଉଛି ‘ଆମ୍ରପଲ୍ଲୀ’

ଖର୍ଚ୍ଚ ୧୦, କେଜିକୁ ୮ ଟଙ୍କାରେ କମ୍ପାନୀ ମାଗୁଛି: ଅସହାୟତା ପ୍ରକାଶ କଲା ନାବାର୍ଡ଼

ଗଣିଆ: ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବଡ଼ଶିଲିଙ୍ଗା ପଞ୍ଚାୟତ ଆମ୍ରପଲ୍ଲୀ କିସମ ଆମ୍ବର ଚାହିଦା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରହି ଆସିଥିଲା । ୨ ବର୍ଷ କରୋନା ମହାମାରୀ ଯୋଗୁଁ ଗଛରେ ଫଳୁଥିବା ଆମ୍ବକୁ ବିକ୍ରି କରିନପାରି କ୍ଷତି ସହୁଛନ୍ତି ଆଦିବାସୀ ଆମ୍ବଚାଷୀ । ଜୁନ୍ମାସ ଶେଷ ହେବାକୁ ବସିଥିବା ବେଳେ ଗଛଭର୍ତ୍ତୀ ଆମ୍ବ ବିକ୍ରି ହୋଇପାରିନଥିବା ଦେଖାଯାଇଛି । ବଡ଼ଶିଲିଙ୍ଗା ପଞ୍ଚାୟତର ପୁରୁଣାପାଣି, ମଳାସପଦର, ଶଗଡ଼ଭଙ୍ଗା, ଓସ୍କାମସ୍କା, ଗୋଛାବାରୀ, କୁଚୁମରା, ସେନେପେରୀ, ଟୋଲକଟାପିଆ ଆଦି ଗ୍ରାମର ଆମ୍ବଚାଷୀମାନେ ୨ଶହ ଏକରରୁ ଉର୍ଦ୍ଧ ଜମିରେ ଚାଷ ହୋଇଥିବା ଗଛରେ ଥିବା ଆମ୍ବଗୁଡିକୁ କିଭଳି ବିକ୍ରି କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି । କରୋନା ମହାମାରୀ ଯୋଗୁଁ ବିକ୍ରି ପାଇଁ ବଜାର ସୁବିଧା ନଥିବାରୁ ମଧ୍ୟ ଅନେକ ଚାଷୀ ବାହାର ବ୍ୟବସାୟୀମାନଙ୍କୁ କ୍ୱିଣ୍ଟାଲ ପ୍ରତି ୮ଶହ ଓ ୧ହଜାର ଟଙ୍କା ଦରରେ ଆମ୍ବ ବିକ୍ରି କରି କ୍ଷତି ସହୁଛନ୍ତି । ସେହିପରି ଏହି ପଞ୍ଚାୟତର ଅନେକ ଗାଁକୁ ସବୁଦିନିଆ ଯାତାୟତ ପାଇଁ ରାସ୍ତା ସମସ୍ୟା ଯୋଗୁଁ ଚାଷୀମାନେ ଆମ୍ବ ପ୍ୟାକେଟ ସବୁ ବଡ଼ଶିଲିଙ୍ଗା ଯାଏଁ ଆଣିବା କଷ୍ଟକର ହୋଇପଡ଼ଛି ମଳାସପଦର ଗ୍ରାମର ଆମ୍ବଚାଷୀ ମହେଶ୍ୱର ପ୍ରଧାନ କହିଛନ୍ତି । ବଣଜଙ୍ଗଲ ଘେରା ବଡ଼ଶିଲିଙ୍ଗା ପଞ୍ଚାୟତର ୩୩ ଟି ଗ୍ରାମର ୬ ଶହ ଆଦିବାସୀ ପରିବାରକୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସ୍ୱେଚ୍ଛାସେବୀ ସଙ୍ଗଠନ ଗଣିଆ ଉନ୍ନୟନ କମିଟି (ଜିୟୁସି)ଗତ ୨୦୧୦ ମସିହାରୁ ୨୦୧୩ ମସିହା ମଧ୍ୟରେ ୱାଡ଼ି ଯୋଜନାରେ ଉନ୍ନତମାନର ଆମ୍ବ, କାଜୁ ଓ ଶାଗୁଆନ ଗଛ ଲଗାଇଥିଲା । ୬ ଶହ ଏକରରେ ଲଗାଯାଇଥିବା ଗଛଗୁଡ଼ିକର ଜଳସେଚନ ସୁବିଧା, ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଜାତୀୟ ଗ୍ରାମ୍ୟ ଓ କୃଷି ଉନ୍ନୟନ ବ୍ୟାଙ୍କ (ନାବାର୍ଡ଼) ସହାୟତାରେ ଆଦିବାସୀ ଉନ୍ନୟନ ପାଣ୍ଠିରୁ ୨୦କୋଟି ୮୩ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର ହେ।।ଇଥିଲା । ଜିୟୁସି ତରଫରୁ ଗତ ୨୦୧୬ ମସିହାରୁ ଆମ୍ବଚାଷୀମାନଙ୍କଠାରୁ ଆମ୍ବ ସବୁ କିଣି ଭୁବନେଶ୍ୱରସ୍ଥିତ ନାବାଡ଼ି କାର୍ଯ୍ୟାଳୟ ପରିସରରେ ଫଳ ପ୍ରଦର୍ଶନୀ ସମୟରେ ଆମ୍ବ ବିକ୍ରି କରାଯାଉଥିଲା । କୋଭିଡ କଟକଣା ଯୋଗୁଁ ପ୍ରଦର୍ଶନୀ ବନ୍ଦ ହେବା ପରେ ଗତ ବର୍ଷଠାରୁ ସମ୍ପୃକ୍ତ ଅନୁଷ୍ଠାନ ପକ୍ଷରୁ ଆଉ ଭୁବନେଶ୍ୱର ଆମ୍ବ ବିକ୍ରି ପାଇଁ ନିଅ।।ଯାଉନାହିଁ । ଏ ସମ୍ପର୍କରେ ଗଣିଆ ଉନ୍ନୟନ କମିଟିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା କୁହନ୍ତି, କୋଭିଡ ପାଇଁ ନାବାର୍ଡ଼ର ଫଳ ପ୍ରଦର୍ଶନୀ ବନ୍ଦ ପାଇଁ ଆମେ ଗତ ବର୍ଷଠାରୁ ଆମ୍ବ ନେଉ ନାହୁଁ । ଚାଷୀମାନଙ୍କୁ ବାହାର ବ୍ୟବସାୟୀଙ୍କୁ ଆମ୍ବ ବିକ୍ରି କରିବା ପାଇଁ କୁହାଯାଇଛି । ପ୍ରତିବର୍ଷ ୨ ଶହ କ୍ୱିଣ୍ଟାଲ ଆମ୍ବ ଚାଷୀଙ୍କଠାରୁ ୨୦ ଟଙ୍କାରେ କିଣି ଫଳ ପଦର୍ଶନୀରେ ବିକ୍ରି କରାଯାଉଥିଲା । ଚଳିତବର୍ଷ ସୁବିଧା ନଥିବାରୁ ବିଭିନ୍ନ କମ୍ପାନୀକୁ ଯୋଗାଯୋଗ କରାଯାଇଥିଲା । ମାତ୍ର କମ୍ପାନୀ ଗଣିଆଠାରୁ ୮ ଟଙ୍କାରେ କିଣିବାକୁ ରାଜି ହେଉଛି । ଚାଷୀ ଆମ୍ବ ତୋଳି ଗଣିଆରେ ପହଞ୍ଚାଇବା ପାଇଁ ୧୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୮ ଟଙ୍କାରେ କିଭଳି ବିକ୍ରି କରିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନାବାର୍ଡ଼ ତରଫରୁ ଭୁବନେଶ୍ୱରରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ଖୋଲାଗଲେ ବଡ଼ଶିଲିଙ୍ଗା ଅଞ୍ଚଳର ଆମ୍ବ ସବୁ ବିକ୍ରି ହୋଇପାରନ୍ତା । ଏନେଇ ନାବାର୍ଡ଼ ଡିଡିଏମ୍ ଜୟନ୍ତ କୁମାର ସାହୁଙ୍କୁ ପଚାରିବାରେ, ସେ ଅସହାୟତା ପ୍ରକାଶ କରିଛନ୍ତି । ବଜାର ସୁବିଧା ନେଇ କୈାଣସି ସୁବିଧା ନଥିବା କହିଛନ୍ତି । ପ୍ରଶାସନ ତରଫରୁ ଆଦିବାସୀ ଚାଷୀଙ୍କଠାରୁ ପ୍ରତିବର୍ଷ ସ୍ଥାୟୀଭାବେ ଆମ୍ବ ବିକ୍ରୟ ପାଇଁ ବଜାର ସୁବିଧା କରାଗଲେ ସେମାନେ ଆର୍ଥିକ କ୍ଷେତ୍ରରେ ଉନ୍ନତି ପାରନ୍ତେ ।

Leave A Reply

Your email address will not be published.