ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱାବଲମ୍ବୀ କଲା ‘ରୁଟି’: ଗୁଜୁରାଟ ନୁହେଁ ନୟାଗଡ଼ରେ ପୁରଣ ହେଲା ସ୍ୱପ୍ନ

ନୟାଗଡ଼: ଗାଁ ଛାଡ଼ି ପ୍ରବାସୀ ଭାବରେ ଜୀବନ ବିତାଉଥିଲେ । ପେଟ ପୋଷିବା ପାଇଁ ପରିବାରଠାରୁ ଦୂରରେ ରହୁଥିଲେ । ଏବେ ନିଜେ ନିଜ ଗୋଡ଼ରେ ଛିଡ଼ା ହୋଇ ସ୍ୱାବଲମ୍ବୀ ହେବା ସହ ପୁରା ପରିବାରକୁ କାମ ଯୋଗାଇ ପାରିଛନ୍ତି । ନୟାଗଡ଼ ସହରରେ ଏକ ରୁଟି ସେଣ୍ଟର ପ୍ରତିଷ୍ଠା କରି ପରିବାର ପୋଷି ପାରୁଛନ୍ତି ବସନ୍ତ ସାହୁ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ପଥରଗଣ୍ଡ ଗ୍ରାମର ବସନ୍ତ ଦୀର୍ଘ ବର୍ଷ ହେବା ଗୁଜୁରାଟର ଉମରଗାଁଓରେ ରହି କାର୍ଯ୍ଯ କରୁଥିଲେ । ବର୍ଷକରେ ମାସେ କି ପନ୍ଦରଦିନ ପରିବାର ଲୋକଙ୍କୁ ଦେଖିବାର ସୁଯୋଗ ପାଉଥିଲେ । ଏଭଳି ସ୍ଥତିରେ ବାହାରେ ନୁହେଁ ନିଜ ମାଟିରେ ରହି କିଭଳି ଦୁଇ ପଇସା ରୋଜଗାର କରିବେ ସେ ନେଇ ଚିନ୍ତା କରିଥିଲେ । ଏନେଇ ପରିବାର ଲୋକଙ୍କ ସହିତ ଭିନୋଇଙ୍କ ସହ ଆଲୋଚନା କଲେ । ପଥରଗଣ୍ଡ ଗ୍ରାମର ଭିଣୋଇ ଲକ୍ଷ୍ମଣ ବରାଡ଼ ଭୁବନେଶ୍ୱରରେ ରହି ଗୁପଚୁପ ବ୍ୟବସାୟ କରୁଥିଲେ । ସେ ସ୍ଥାନୀୟ ଅଞ୍ଚଳରେ ଥିବା ରୁଟି ସେଣ୍ଟର ବିଷୟ ନେଇ ବସନ୍ତଙ୍କୁ ସୂଚନା ଦେଇଥିଲେ ।

୨୦୧୯ ମସିହା ଶେଷ ବେଳକୁ ବସନ୍ତ ନୟାଗଡ଼ ଫେରିବା ସହ ଭିଣୋଇ ଏବଂ ପରିବାରର ଅନ୍ୟ ୪ ଜଣ ସଦସ୍ୟଙ୍କ ସହଯୋଗରେ ରୁଟି ସେଣ୍ଟର ପ୍ରତିଷ୍ଠା କରିଛନ୍ତି । ୩ ଲକ୍ଷର ଯନ୍ତ୍ରାଂଶ ଏବଂ ଆବଶ୍ୟକୀୟ ସାମଗ୍ରୀ ବାବଦରେ ମୋଟ ୪ ଲକ୍ଷରୁ ଉଦ୍ଧ୍ୱର୍ ବ୍ୟୟ କରିଛନ୍ତି । ପ୍ରତ୍ୟେକ ଦିନ ସକାଳ ୧୦ଟାରୁ ୧୨ ଏବଂ ଅପରାହ୍ନ ୪ଟାରୁ ରାତି ୧୦ ଟା ପର୍ଯ୍ଯନ୍ତ ତାଙ୍କ ରୁଟି ସେଣ୍ଟରରେ ରୁଟି ବିକ୍ରି କରାଯାଇଥାଏ । ନୟାଗଡ଼ କଲେଜ ରାସ୍ତା ଜଳସଂପଦ କାର୍ଯ୍ଯ ଳୟ ନିକଟସ୍ଥ କଲୋନୀରେ ଏହି ରୁଟି ସେଣ୍ଟର ପ୍ରତିଷ୍ଠା କରୁଛନ୍ତି । ଦୈନିକ ୪୦ରୁ ୫୦ କେଜି ଅଟାର ରୁଟି ପ୍ରସ୍ତୁତ କରି ବିକ୍ରି କରି ପାରୁଛନ୍ତି । ଗୋଟିଏ ରୁଟିକୁ ୨ ଟଙ୍କା ମୁଲ୍ୟରେ ବିକ୍ରି କରାଯାଉଥିବା ବସନ୍ତ ସୂଚନା ଦେଇଛନ୍ତି । ଏଥିପାଇଁ ଗୋଟିଏ ଅଟା ଚକଟା ମେସିନ ଏବଂ ରୁଟି ବେଲିବା ମେସିନ ସ୍ଥାପନ କରାଯାଇଛି । ନିକଟସ୍ଥ ଥିବା ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଏଠାରୁ ରୁଟି କିଣୁଥିବା ଜଣାଯାଇଛି । ଏଥିସହିତ ସହରର କିଛି ଖୁଚୁରା ବିକ୍ରେତା ଏବଂ ଖାଉଟି ଉକ୍ତ ସ୍ଥାନରୁ ରୁଟି କିଣୁଥିବା ଜଣାଯାଇଛି । ବିବାହ, ବ୍ରତ ତଥା କୌଣସି ସାମାଜିକ କାର୍ଯ୍ଯରେ ଅର୍ଡର ଅନୁସାରେ ରୁଟି ଯୋଗାଇ ଦିଆଯାଉଥିବା ସେ ସୂଚନା ଦେଇଛନ୍ତି । କରୋନା ପାଇଁ ବ୍ୟବସାୟ ମାନ୍ଦା ରହିଥିଲେ ମଧ୍ୟ ଘର ଭଡ଼ା, ବିଦ୍ୟୁତ୍ ବିଲ୍, ଗ୍ୟାସ ଆଦି ଖର୍ଚ୍ଚକୁ ବାଦ ଦେଲେ ଦୈନିକ ମଜୁରୀ ଉଠୁଥିବା ବସନ୍ତ କହିଛନ୍ତି । ବସନ୍ତଙ୍କ ବାପା, ମାଆ ଏବଂ ପତ୍ନୀଙ୍କ ସହ ଭଉଣୀ, ଭିଣୋଇ ତାଙ୍କୁ ଏହି କାର୍ଯ୍ଯରେ ସମ୍ପୂର୍ଣ୍ଣ ସହଯୋଗ କରିଥାନ୍ତି । ପରିବାର ସହଯୋଗ ମିଳୁଥିବାରୁ ଅତି କମ ମୁଲ୍ୟରେ ରୁଟି ଯୋଗାଇ ହେଉଥିବା ସେ କହିଛନ୍ତି । ଆଗକୁ ସରକାରୀ ସହୟତା ମିଳିଲେ ବ୍ୟୌବସାୟ ବୃଦ୍ଧି କରି ପାରନ୍ତ ବୋଲି କହିଛନ୍ତି ।

Leave A Reply

Your email address will not be published.