ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତୃଣମୂଳରୁ ବିଜେଡି ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ନବୀନଙ୍କ ଯୋଜନା, ୨୪ ପୂର୍ବରୁ ହେବ ବ୍ୟାପକ ପରିବର୍ତ୍ତନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଦିନକୁ ଦିନ ବଢ଼଼ିବାରେ ଲାଗିଛି ଏବଂ ତଦନୁରୂପ ବିଜେଡି ବି ଶକ୍ତିଶାଳୀ ହେବାରେ ଲାଗିଛି। କ୍ରମାଗତ ଭାବରେ ଦଳର ଭୋଟ ହାର ପ୍ରତି ନିର୍ବାଚନରେ ବୃଦ୍ଧି ପାଇ ୫୦% ଅତିକ୍ରମ କରି ସାରିଛି। ଲୋକସଭା, ବିଧାନସଭା, ପୌର ପରିଷଦ, ପଞ୍ଚାୟତ ସବୁସ୍ତରରେ ଦଳ କ୍ରମାଗତ ଭାବରେ ଅପରାଜେୟ ସାବ୍ୟସ୍ତ ହୋଇ ଚାଲିଛି। ଗତ ୫ଟି ନିର୍ବାଚନରେ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଉପରେ ଆଶୀର୍ବାଦ ଅଜାଡ଼ି ଦେଇ ଆସିଛନ୍ତି। ଏକ ପକ୍ଷରେ ବିଜେଡି ସଶକ୍ତ ହୋଇ ଚାଲିଥିବାବେଳେ କେବଳ ବିରୋଧ ନିମନ୍ତେ ବିରୋଧୀ ଭୂମିକାରେ ଅବତ୍ତୀର୍ଣ୍ଣ ହେଉଥିବା ବିରୋଧୀ ଦଳଗୁଡ଼ିକ ପ୍ରତି ନିର୍ବାଚନରେ ରୁଗ୍‍ଣ ହେବାରେ ଲାଗିଛନ୍ତି। ଲୋକଙ୍କ ଆଶୀର୍ବାଦ ଓ ବିପୁଳ ସମର୍ଥନ ଦଳର ଦାୟିତ୍ୱ ବଢ଼଼ାଇଥିବା ଉଲ୍ଲେଖ କରି ଏହାପ୍ରତି ଯତ୍ନବାନ ହେବାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୦୨୪ ନିମନ୍ତେ ପ୍ରସ୍ତୁତି ଅବସରରେ ଦଳରେ ଋତୁ ପରିବର୍ତ୍ତନର ଆଭାସ ମିଳିଛି। ସଂଗଠନ-ସରକାରରେ ବ୍ୟାପକ ପରିବର୍ତ୍ତନ ସହ ଆଗାମୀ ଦିନ ନିମନ୍ତେ ଦୃଢ଼ ଭିତ୍ତି ସ୍ଥାପନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଜେ ନବୀନ ପୌର-ପଞ୍ଚାୟତ ନିର୍ବାଚନ ଫଳାଫଳ ବ୍ୟବଚ୍ଛେଦ କରିବା ଏହାର ପୂର୍ବାଭାସ ବୋଲି ରାଜନୀତି ପଣ୍ଡିତମାନେ ମନେ କରୁଛନ୍ତି।

ନିକଟରେ ଅନୁଷ୍ଠିତ ପଞ୍ଚାୟତ ଓ ପୌର ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ପ୍ରତ୍ୟକ୍ଷ ପ୍ରଚାରରୁ ନବୀନ ନିଜକୁ ଦୂରେଇ ରଖି ପ୍ରତି ମୁହୂର୍ତ୍ତରେ ନିର୍ବାଚନ ସଂକ୍ରାନ୍ତ ବିବରଣୀର ଅନୁଧ୍ୟାନ କରୁଥିଲେ। ରାଜନୀତି ଓ ଲୋକପ୍ରିୟତାର କଷଟିରେ ତାଙ୍କ ଦଳର ନେତାମାନେ କେତେ ପରିମାଣରେ ଉତ୍ତୀର୍ଣ୍ଣ ହୋଇଛନ୍ତି ତାହାକୁ ନିରେଖି ଦେଖୁଥିଲେ। ଯେଉଁସ୍ତରରେ ତ୍ରୁଟିବିଚୁୁତି ରହିଥିଲା ଏବେ ତାହାର ସମୀକ୍ଷା ଆରମ୍ଭ ହୋଇଛି। ଯାହା ପରବର୍ତ୍ତୀ ପୁନର୍ବିନ୍ୟାସ କ୍ଷେତ୍ରରେ ଅଧିକ ସହାୟକ ହେବ ବୋଲି କୁହାଯାଉଛି। ପ୍ରତ୍ୟକ୍ଷ ଓ ଜଣଜଣ କରି ବୈଠକରେ ନବୀନ ଦଳର ସଫଳତା ନୁହେଁ; ବିଫଳତା ସମ୍ପର୍କରେ ପର୍ଯ୍ୟବେକ୍ଷକଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି, ଦୁର୍ବଳତାକୁ ଦୂର ନିମନ୍ତେ କି ପଦକ୍ଷେପ ନିଆଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ମତାମତ ନେଉଛନ୍ତି। ଯାହା ଖୁବ୍‍ଶୀଘ୍ର ଦଳ ଓ ସଙ୍ଗଠନକୁ ସୁଦୃଢ଼ କରିବା କ୍ଷେତ୍ରରେ ସହାୟକ ହେବ ଏବଂ ତଦନୁରୂପ ପରବର୍ତ୍ତୀ ପଦକ୍ଷେପ ନିଆଯାଇ ପାରିବ।

ଅନ୍ୟପକ୍ଷରେ ଆଗକୁ ବ୍ରଜରାଜନଗର ଉପନିର୍ବାଚନ, ସମବାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଦଳ ପାଇଁ ଏହା ଏତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଗତ ଦଶନ୍ଧି ଓ ଚଳିତ ଦଶନ୍ଧିରେ ସମସ୍ତ ଉପନିର୍ବାଚନରେ ବିଜେଡି ଅପରାଜେୟ ରହିଛି। ସମବାୟ ନିର୍ବାଚନରେ ମଧ୍ୟ ସେପରି କିଛି ସମସ୍ୟା ନାହିଁ କିମ୍ବା ଦଳୀୟ ନେତୃତ୍ୱ ଏଥିପାଇଁ ଆଦୌ ବିଚଳିତ ନୁହନ୍ତି। ଆଗାମୀ ଦିନରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟସଭା ନିର୍ବାଚନରେ ବିଜେଡି ନିଜର ବିଧାନସଭା ସଂଖ୍ୟା ଦୃଷ୍ଟିରୁ ସମସ୍ତ ୪ଟି ଆସନ ଦଖଲ କରିବା ସ୍ଥିତିରେ ରହିଛି। ତେଣୁ ବିଜେଡି ଆସନ୍ତା ୨୦୨୪ ନିର୍ବାଚନ ଉପରେ କେବଳ ଲକ୍ଷ୍ୟ ନିବଦ୍ଧ କରିଛି। ଗତ ପୌର ନିର୍ବାଚନରେ ଆଙ୍ଗୁଳିଗଣତି କିଛି ସ୍ଥାନରେ ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ପୌରାଞ୍ଚଳରେ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବା ସତ୍ତ୍ବେ ପୌରାଧ୍ୟକ୍ଷ ପଦଗୁଡ଼ିକରେ ବିରୋଧୀ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଦଳର ଆଙ୍ଗୁଳିଗଣତି କିଛି ନେତାଙ୍କ ଷଡ଼ଯନ୍ତ୍ର ଯୋଗୁଁ କିଛି ସ୍ଥାନରେ ଦଳ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିସ୍ତୃତ ରିପୋର୍ଟ ପହଞ୍ଚିଛି। ପର୍ଯ୍ୟବେକ୍ଷକମାନଙ୍କୁ ଏହାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଅସନ୍ତୁଷ୍ଟ ନେତାମାନେ ଯଦି ସେମାନଙ୍କର ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ନ କରନ୍ତି, ଚୂଡ଼ାନ୍ତ ପଦକ୍ଷେପ ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ପରୋକ୍ଷରେ ଚେତାବନୀ ଦିଆଯାଇଛି। କୌଣସି ମୁହୂର୍ତ୍ତରେ ଯେକୌଣସି କଠୋର ନିଷ୍ପତ୍ତି ନେବାରେ ନବୀନଙ୍କର କେହି ସମକକ୍ଷ ନାହାନ୍ତି ତାହା ଦଳୀୟ ନେତାମାନଙ୍କୁ ଅଜଣା ନାହିଁ।

ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବାର ପ୍ରଥମ ଦିନରୁ ନବୀନ ସମସ୍ତଙ୍କ ପାଇଁ ଏକ ଅନ୍ତରଙ୍ଗ ଅବୋଧ୍ୟ ପାଲଟିଛନ୍ତି। ଦଳ ହେଉ ବା ସରକାର ସବୁକ୍ଷେତ୍ରରେ ନିଷ୍ଠା ଓ ସ୍ୱଚ୍ଛତା ଭିନ୍ନ ବ୍ୟକ୍ତିଗତ ସମ୍ପର୍କ ବା ପ୍ରିୟପଣିଆର କୌଣସି ମୂଲ୍ୟ ନାହିଁ ତାହା ଅନେକବାର ନବୀନ ପ୍ରମାଣିତ କରିଛନ୍ତି। ଯେଉଁଥିପାଇଁସରକାରକୁ ନିନ୍ଦିତ କରିବାକୁ ବିଭିନ୍ନ ସମୟରେ ବିରୋଧୀମାନେ ବହୁ ପ୍ରଚେଷ୍ଟା କରିଥିଲେ ହେଁ ନବୀନଙ୍କ ସଫେଦ ପୋଷାକରେ କାଳି ଚିହ୍ନଟିଏ ବି ପକାଇବାକୁ ସମର୍ଥ ହୋଇ ନାହାନ୍ତି। ବ୍ୟକ୍ତିଗତ ଲୋଭ ଓ ଆକାଂକ୍ଷାଠାରୁ ଦୂରରେ ରହି ପାରିଲେ ଜଣେ ସାଧାରଣ ଲୋକମାନଙ୍କର ନିକଟତର ହୋଇପାରିବ ତାହା ନବୀନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇ ସାରିଛି। ଯାହା ବିଜେଡି ପାଇଁ ଆଶୀର୍ବାଦ ହୋଇଛି। ତେଣୁ ନିଜ ପରି ଦଳୀୟ ନେତାମାନେ ମଧ୍ୟ ସାଧାରଣ ଲୋକଙ୍କ ଦ୍ୱାରା ସ୍ୱଚ୍ଛତା ଓ ଲୋକପ୍ରିୟତାର ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତୁ ବୋଲି ସମ୍ଭବତଃ ନବୀନ ଆଶା ରଖିଛନ୍ତି। ଯେଉଁଥିପାଇଁ ୨୦୨୪ ନିର୍ବାଚନର ୨୪ ମାସ ପୂର୍ବରୁ ବିଭିନ୍ନ ସାଙ୍ଗଠନିକ ଜିଲ୍ଲା ପ୍ରଦର୍ଶନ କରିଥିବା ଫଳାଫଳ ଆଧାରରେ ମନ୍ତ୍ରିମଣ୍ଡଳ ଓ ସଙ୍ଗଠନରେ ସ୍ୱାଭାବିକ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି। ବିଜେଡିରେ ଏହି ସମ୍ଭାବ୍ୟ ଋତୁ ପରିବର୍ତ୍ତନ କେବଳ ଦଳକୁ ପଲ୍ଲବିତ କରିବ ନାହିଁ; ନୂଆ ଓଡ଼ିଶା ଗଠନ ଦିଗରେ ନବୀନଙ୍କ ନକ୍ସାକୁ ଅଧିକ ସକ୍ରିୟ ଭାବରେ କ୍ରିୟାନ୍ୱିତ କରିବାର ସମ୍ଭାବନା ରହିଛି।

Leave A Reply

Your email address will not be published.