ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜନୀତିରେ ନବୀନଙ୍କ ବିରଳ ଯାତ୍ରା: ସେବା ଓ ସମର୍ପଣର ୨୫ ବର୍ଷ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦାୟିତ୍ୱକୁ କାନ୍ଧରେ ବୋହି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି ରାଜନୀତିରେ ୨୫ ବର୍ଷର ବିରଳ ଯାତ୍ରା। ଓଡ଼ିଶାକୁ ଦେଶର ସବୁଠୁ ଆର୍ଥିକ ସ୍ୱଚ୍ଛଳ ଓ ଶୀର୍ଷ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ବିଜୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କର ଦୀର୍ଘ ସାଧନା ଓଡ଼ିଶାରେ ଆଣିଛି ରୂପାନ୍ତରଣ। ଦୀର୍ଘ ୨୫ ବର୍ଷର ରାଜନୈତିକ ଯାତ୍ରାରେ ରାଜନୀତି, ସରକାର, କ୍ଷମତାର ସଂଜ୍ଞାକୁ ଭିନ୍ନ ଭାବରେ ପ୍ରଦର୍ଶିତ କରିଛନ୍ତି ସେ। ପରିଣତିସ୍ୱରୂପ ଏକ ସମୟରେ ନକାରାତ୍ମକ ରାଜକୋଷୀୟ ସ୍ଥିତିରୁ ମୁକୁଳି ଓଡ଼ିଶା ଏକ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି। ଭୋକର ଭୂଗୋଳ କଳାହାଣ୍ଡିକୁ ନେଇ ଚର୍ଚ୍ଚାରେ ଥିବା ଓଡ଼ିଶା ସମ୍ପ୍ରତି ଦେଶର ଅନ୍ୟତମ ବୃହତ୍ତମ ଖାଦ୍ୟ ଉତ୍ପାଦନକାରୀ ରାଜ୍ୟ ପାଲଟିଛି। ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇଛି। ଦେଶର ତୃତୀୟ ବୃହତ୍‍ ଧାନ ଉତ୍ପାଦନ ରାଜ୍ୟରେ ଓଡ଼ିଶା ପରିଣତ ହୋଇପାରିଛି।

ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ରୋଲ ମଡ଼େଲ ପାଲଟିଛି। ୧୯୯୯ ମହାବାତ୍ୟାରେ ଅଣ୍ଟାଭାଙ୍ଗି ପଡ଼ିଥିବା ରାଜ୍ୟ ଏବେ ଦେଶର ବିଭିନ୍ନ ରାଜ୍ୟକୁ ବିପର୍ଯ୍ୟୟ ସମୟରେ ସହାୟତା ଯୋଗାଇବାକୁ ସକ୍ଷମ ହୋଇଛି। ନବୀନଙ୍କ ‘ଶୂନ୍ୟ ଜୀବନହାନି’ ମନ୍ତ୍ର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନୂଆ ଯୁଗ ସୃଷ୍ଟି କରିଛି। ମିଶନଶକ୍ତି ଜରିଆରେ ରାଜ୍ୟର ୭୦ ଲକ୍ଷ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି। ଦକ୍ଷତା ବିକାଶ ଜରିଆରେ ରାଜ୍ୟର ଲକ୍ଷଲକ୍ଷ ଯୁବକଯୁବତୀ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି। ଜାଗା ମିଶନରେ ସହରାଞ୍ଚଳର ଗରିବ ଭୂମିହୀନମାନଙ୍କୁ ଭୂ ଅଧିକାର ପ୍ରଦାନ କରାଯାଇଛି, ବିଶ୍ୱସ୍ତରରେ ଓଡ଼ିଶା ଦେଶର କ୍ରୀଡ଼ା କେନ୍ଦ୍ରରେ ପରିଣତ ହୋଇଛି। ଅନୁରୂପ ଭାବରେ ମାଓ ଅଧ୍ୟୁଷିତ ଅଞ୍ଚଳ ସ୍ୱାଭିମାନ ଅଞ୍ଚଳ ଭାବରେ ପରିଚିତି ପାଇଛି। ନବୀନଙ୍କ ଦୃଢ଼ ନେତୃତ୍ୱ, ଦକ୍ଷ ପ୍ରଶାସନ ଓ ସୁସ୍ଥ ଶାସନର ଗୋଟିଏ ଗୋଟିଏ ଉଦାହରଣ ମାତ୍ର। ୧୯୯୭ ମସିହାରେ ଆସିକା ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହେବା ପରଠାରୁ ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟ ଭାବରେ ଗ୍ରହଣ କରିଛନ୍ତି ନବୀନ। ସେଇଥିପାଇଁ ନିଜ ଦଳର ସର୍ବନିମ୍ନସ୍ତରରେ କାର୍ଯ୍ୟ କରୁଥିବା କର୍ମୀଙ୍କଠାରୁ ଆରମ୍ଭ କରି ଶୀର୍ଷ ଦଳୀୟ ନେତୃତ୍ୱ, ସରକାରଙ୍କ ପ୍ରତ୍ୟେକ କର୍ମଚାରୀ ଓ ଅଧିକାରୀଙ୍କୁ ରାଜ୍ୟର ସବୁଠୁ ଦୁର୍ବଳ ଲୋକଟି ପାଖରେ ଠିଆ ହେବାକୁ ବିଭିନ୍ନ ସମୟରେ ସେ ପରାମର୍ଶ ଦେଇଛନ୍ତି। ନିଜର ଜୀବନକୁ ରାଜ୍ୟବାସୀଙ୍କ ବିକାଶ ପାଇଁ ଉତ୍ସର୍ଗ କରି ଦେଇଛନ୍ତି। ଏକ ନୂତନ, ସଶକ୍ତ, ସମୃଦ୍ଧ ଓ ସୁସ୍ଥ ଓଡ଼ିଶା ଗଠନ ଲକ୍ଷ୍ୟରେ କାର୍ଯ୍ୟ କରି ଚାଲିଛନ୍ତି।

ତାଙ୍କ ବିକାଶ ନକ୍ସାରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ସାମିଲ ହୋଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ନିରନ୍ତର କ୍ଷତିଗ୍ରସ୍ତ ହେଉଥିବା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୃଢ଼ କରିବା ଲାଗି ଆରମ୍ଭ ହୋଇଛି ‘କାଳିଆ’ ଯୋଜନା। ରାଜ୍ୟର ପ୍ରାୟ ଅଧ କୋଟି ଚାଷୀ ଏହି ଯୋଜନାରେ ଉପକୃତ ହେଉଛନ୍ତି। ମହିଳାମାନଙ୍କ ବିକାଶ ନ ହେଲେ ରାଜ୍ୟର ବିକାଶ ସମ୍ଭବ ନୁହେଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ମହିଳାଙ୍କ ବିକାଶ ଓ ସେମାନଙ୍କ ରାଜନୈତିକ ସଂରକ୍ଷଣକୁ ଗୁରୁତ୍ୱ ଦେଇ ଆସିଛନ୍ତି। ମିଶନ ଶକ୍ତି ରାଜ୍ୟର ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିପାରିଛି। ଅନୁରୂପ ଭାବରେ ପଞ୍ଚାୟତ ଓ ପୌରାଞ୍ଚଳରେ ମହିଳାମାନଙ୍କୁ ରାଜନୈତିକ ସଂରକ୍ଷଣ ସେମାନଙ୍କୁ ଦେଇଛି ଭିନ୍ନ ପରିଚୟ। ଲୋକସଭାରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ପ୍ରଦାନ କରାଯାଇଛି। ଏବେ ରାଜ୍ୟର ୭୦% ଜିଲ୍ଲା ପରିଷଦ ମୁଖିଆ ଓ ୫୫% ପୌରାଞ୍ଚଳରେ ଅଧ୍ୟକ୍ଷ ପଦରେ ମହିଳା ଅବସ୍ଥାପିତ ହୋଇଛନ୍ତି।

ଚିକିତ୍ସା ପାଇଁ କେହି ଜମିବାଡ଼ି, ଗହଣା ବନ୍ଧକ ରଖିବେ ନାହିଁ। ଏଥିପାଇଁ ରାଜ୍ୟରେ ପ୍ରଚଳନ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ଼। ଏଥିରେ ମହିଳାମାନଙ୍କୁ ୧୦ ଲକ୍ଷ ଓ ଅନ୍ୟମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମାଗଣାରେ ପ୍ରଦାନ କରାଯାଉଛି। ରାଜ୍ୟର ପ୍ରସିଦ୍ଧ ଧାର୍ମିକ ପୀଠଗୁଡ଼ିକର ରୂପାନ୍ତର ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମିକୁ ଅଧିକ ଦୃଢ଼ୀଭୂତ କରିଛି। ପ୍ରସିଦ୍ଧ ଧାର୍ମିକ ପୀଠ ତାରାତାରିଣୀର ରୂପାନ୍ତରଣ ଶେଷ ହୋଇଛି। ପୁରୀ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ଲିଙ୍ଗରାଜ ମନ୍ଦିର,ସମଲେଶ୍ୱରୀ ପୀଠର ରୂପାନ୍ତରଣ କାର୍ଯ୍ୟ ଏବେ ଚାଲୁଛି।

ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ସାରା ଦେଶରେ ଓଡ଼ିଶା ଶୀର୍ଷସ୍ଥାନ ଅଧିକାର କରିଛି। ବ୍ୟକ୍ତିଗତ ଜୀବନରେ ସ୍ୱଚ୍ଛତା ଅବଲମ୍ବନ କରୁଥିବା ନବୀନ ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’ ଅବଲମ୍ବନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପରିଣତି ସ୍ୱରୂପ ୧୭୦ରୁ ଊର୍ଦ୍ଧ୍ବ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି।

ସରକାରୀ ସ୍କୁଲର ରୂପାନ୍ତରଣ କରାଯାଇ ଏହାକୁ ଘରୋଇ ବିଦ୍ୟାଳୟଠାରୁ ଉନ୍ନତ ପରିଣତ କରାଯିବା, ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିଅରିଂ ପରି ବୃତ୍ତିଗତ ଶିକ୍ଷାରେ ୧୫% ସ୍ଥାନ ସଂରକ୍ଷଣ ପରି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଅନୁରୂପ ଭାବରେ ଅନୁସୂଚୀତ ଜନଜାତି ବର୍ଗର ବିକାଶ ନିମନ୍ତେ ୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆବାସିକ ସ୍କୁଲରେ ଶିକ୍ଷାଦାନ କରାଯାଉଛି। ସହରାଞ୍ଚଳର ଗରିବ ଭୋକିଲାଙ୍କ ପାଇଁ ‘ଆହାର’ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଯେଉଁଠି ମାତ୍ର ୫ ଟଙ୍କାରେ ଭୋକିଲାଙ୍କୁ ସୁସ୍ୱାଦୁ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଇ ପାରୁଛି।

ମହାମାରୀ ପରିଚାଳନା ଓ କୋଭିଡ୍‍ ଦ୍ୱିତୀୟ ଲହର କାଳରେ ସାରା ଦେଶକୁ ଅକ୍ସିଜେନ୍‍ ଯୋଗାଇବା ନିମନ୍ତେ ନବୀନଙ୍କ ପଦକ୍ଷେପ ତାଙ୍କୁ ଦେଇଛି ଅଜସ୍ର ପ୍ରଶଂସା। ମହାମାରୀ ଯୋଗୁଁ ଲକ୍ଷଲକ୍ଷ ପ୍ରବାସୀଙ୍କୁ ଭିଟାମାଟିକୁ ଫେରାଇ ଆଣିବା, କୋଭିଡ଼ ପୀଡ଼ିତଙ୍କ ମାଗଣା ଚିକିତ୍ସା, ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା, ମହାମାରୀ ମୁକାବିଲାରେ ନିୟୋଜିତ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ କୋଭିଡ଼ ଯୋଦ୍ଧାର ମାନ୍ୟତା ଦେଶର ଅନ୍ୟତ୍ର କେଉଁଠି ଦେଖିବାକୁ ମିଳିନାହିଁ।

୫-ଟି’ ଉପକ୍ରମରେ ରୂପାନ୍ତରଣ ରାଜ୍ୟରେ ଆଣିଛି ବୈପ୍ଲବିକ ପରିବର୍ତ୍ତନ। ସ୍କୁଲଗୁଡ଼ିକୁ ନୂଆ ରୂପ ଦେବା, ସ୍ମାର୍ଟ ଶିକ୍ଷା ପ୍ରଦାନ କରିବାରେ ‘୫-ଟି’ ବେଶ୍‍ ଉପାଦେୟ ହୋଇଛି। ଅନୁରୂପ ଭାବରେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ମଧ୍ୟ ଏହା ଉପଯୋଗୀ ହୋଇପାରିଛି। ‘ମୋ ସରକାର’ ମଧ୍ୟ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପଞ୍ଚାୟତସ୍ତରରୁ ଶାସନ ବ୍ୟବସ୍ଥାରେ ଥିବା ତ୍ରୁଟି ବିଚ୍ୟୁତି ନେଇ ତଥ୍ୟ ସଂଗ୍ରହ କରାଯାଉଛି। ‘ଗଭର୍ଣ୍ଣାନ୍ସ ଆଟଲାସ’ କୁହାଯାଉଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ଦାରିଦ୍ର୍ୟ ହାର ୧୦%କୁ ହ୍ରାସ ସହ ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ ସାମୁଦାୟିକ ଓ ବ୍ୟକ୍ତିଗତସ୍ତରରୁ ନିଆଯାଉଛି ସୂଚନା। ଯାହା ପ୍ରଶାସନକୁ ଅଧିକ ଲୋକାଭିମୁଖୀ, ଶୃଙ୍ଖଳିତ ଓ ସ୍ୱଚ୍ଛ କରିବାରେ ସହାୟକ ହୋଇ ପାରିଛି।

ସାରା ଦେଶ ପାଇଁ ଓଡ଼ିଶାର ‘ନବୀନ’ ମଡ଼େଲ ଉଦାହରଣ ପାଲଟିଛି। ଏସବୁ ପଛରେ ରହିଛି ଯେଉଁ ବ୍ୟକ୍ତିଙ୍କ ଦୀର୍ଘ ତପସ୍ୟା, ବିନିଦ୍ର ସାଧନା ରହିଛି ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଶିଳ୍ପ, ସୂଚନାପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ ସେବା ଆଦି କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ଆକର୍ଷଣର ଭୂଇଁ ପାଲଟିଛି। ସହଜ ଶିଳ୍ପ ନୀତି ରାଜ୍ୟରେ ନିବେଶ ରାସ୍ତା ପ୍ରଶସ୍ତ କରିଛି। ସାରା ଦେଶ ତୁଳନାରେ ଓଡ଼ିଶାରେ ବେକାରୀ ହାର ଅତ୍ୟନ୍ତ ନଗଣ୍ୟ ରହିଛି। ଓଡ଼ିଶାର ଲୋକମାନଙ୍କ ନିରନ୍ତର ଭଲପାଇବାର ପ୍ରତିଦାନରେ ନବୀନ ରାଜ୍ୟବାସୀଙ୍କୁ ଦେଇଛନ୍ତି ଉତ୍ସର୍ଗୀକୃତ ସେବା, ଲୋକାଭିମୁଖୀ ସରକାର।

ଏଥିପାଇଁ କ୍ରମାଗତ ଭାବରେ ସେ ରାଜ୍ୟର ସର୍ବାଧିକ ଲୋକପ୍ରିୟ ରାଜନେତାର ମାନ୍ୟତା ପାଇଛନ୍ତି; ଦେଶବିଦେଶର ବିଭିନ୍ନ ସଂସ୍ଥା ଓ ଗଣମାଧ୍ୟମ ତାଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ସମ୍ମାନିତ କରିଛନ୍ତି। ଜାତୀୟସ୍ତରଠାରୁ ଆନ୍ତର୍ଜାତୀୟସ୍ତର ପର୍ଯ୍ୟନ୍ତ ମିଳିଛି ଶ୍ରଦ୍ଧା ଓ ସ୍ୱୀକୃତି। ମିଳିତ ଜାତିସଂଘ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ନବୀନଙ୍କ ସମୟୋପଯୋଗୀ ପଦକ୍ଷେପ ଓ ଦୂରଦର୍ଶୀ କାର୍ଯ୍ୟକୁ ସ୍ୱୀକୃତି ଦେଇଛି। ଏହି କ୍ରମରେ ଏହି ସମ୍ମାନ ଓ ସ୍ୱୀକୃତିରେ ଯୋଡ଼ି ହୋଇଛି ଆଉ ଏକ ରତ୍ନ। ରାଜନୀତିରେ ୨୫ ବର୍ଷ, ଲୋକସେବାର ରଜତ ଜୟନ୍ତୀରେ ଜୀବନବ୍ୟାପୀ ସାଧନା ନିମନ୍ତେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ନବୀନଙ୍କୁ ଆଜି ସମ୍ମାନିତ କରାଯାଇଛି। ମଧ୍ୟାହ୍ନରେ ନୂଆଦିଲ୍ଲୀଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.