ରାଷ୍ଟ୍ରପତି ନିର୍ବାଚନ : ଗେମ୍ ଚେଞ୍ଜର ନବୀନଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର : ସାରା ଦେଶର ନଜର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଉପରେ ନିବଦ୍ଧ ହୋଇଛି। ଆଉ ୨ ମାସ ପରେ ହେବାକୁ ଥିବା ଏହି ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ନିଜ ପ୍ରାର୍ଥୀଙ୍କୁ ଏକାକୀ ବିଜୟୀ କରିବା ପାଇଁ ସକ୍ଷମ ନୁହେଁ। ଅନ୍ୟପକ୍ଷରେ ବିରୋଧୀ ଦଳଙ୍କୁ ସାଥୀରେ ନେଇ ସହମତି ଭିତ୍ତିରେ ପ୍ରାର୍ଥୀ ମନୋନୟନ ପାଇଁ ବର୍ତ୍ତମାନର ସ୍ଥିତି ମଧ୍ୟ ଅନୁକୂଳ ନୁହେଁ।ଏନ୍‍ଡିଏ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା ଲାଗି ବିରୋଧୀମାନେ ମଧ୍ୟ ଅନ୍ୟ ପ୍ରାର୍ଥୀ ମନୋନୟନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଉଭୟ ଏନ୍‌ଡିଏ ଓ ପ୍ରତିପକ୍ଷ ରାଜନୈତିକ ଦଳଗୁଡ଼ିକ ପାଇଁ ବିଜେଡି ଏବଂ ଏହାର ସଭାପତି ନବୀନ ପଟ୍ଟନାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସଂସଦର ଉଭୟ ସଦନରେ ବିଜେଡିର ୨୧ ଜଣ ସାଂସଦ ଅଛନ୍ତି ଓ ମୋଟ ଭୋଟର ୩.୨୨% ଦଳ ନିକଟରେ ରହିଛି। ତେଣୁ ନବୀନ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବେ ତାହା ଉପରେ ସାରା ଦେଶର ନଜର ରହିଛି। ଏହି ସ୍ଥିତିରେ ପ୍ରାର୍ଥୀ ଅନୁସାରେ ଦଳ ନିଷ୍ପତ୍ତି ନେବ ବୋଲି ଘୋଷଣା କରି ନବୀନ ରାଜନୈତିକ ସମୀକରଣକୁ ରୋଚକ ମୋଡ଼ ଦେଇଛନ୍ତି।

ଏବେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ନିର୍ବାଚନରେ ଦଳର ଆଭିମୁଖ୍ୟ ସମ୍ପର୍କରେ ବିଚାର କରିବାର ସମୟ ଆସିନାହିଁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି। ୨୦୨୪ ଲୋକସଭା ଏବଂ ରାଷ୍ଟ୍ରପତି ନିର୍ବାଚନକୁ ବହୁତ ସମୟ ବାକିଅଛି। ଉପଯୁକ୍ତ ସମୟ ଆସିଲେ ଏ ନେଇ ବିଚାରବିମର୍ଶ କରାଯିବ ବୋଲି ଜାତୀୟ ଗଣମାଧ୍ୟମକୁ ନବୀନ କହିଛନ୍ତି। ତେବେ ଏହି ଅବସରରେ ‘ପ୍ରାର୍ଥୀତ୍ବ’କୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଯେଉଁ ଇଙ୍ଗିତ ଦେଇଛନ୍ତି, ତାହା ଉଭୟ ଏନ୍‌ଡିଏ ଓ ପ୍ରତିପକ୍ଷ ରାଜନୈତିକ ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। ରାଷ୍ଟ୍ରପତି ନିର୍ବାଚନରେ କିଏ ପ୍ରାର୍ଥୀ ହେଉଛନ୍ତି, ତାହା ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରାର୍ଥୀତ୍ବ ନେଇ ସ୍ପଷ୍ଟ ହେବା ପରେ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମନ୍ତବ୍ୟ ଜାତୀୟ ରାଜନୀତିରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି। କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନେତୃତ୍ୱାଧିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) କିମ୍ବା କଂଗ୍ରେସ ନେତୃତ୍ୱାଧିନ ୟୁପିଏ କେହି ବି ନିଜ ବଳରେ ରାଷ୍ଟ୍ରପତି ପଦ ହାସଲ କରିପାରିବେ ନାହିଁ। ସମଦୂରତ୍ୱ ନୀତି ଆପଣାଇଥିବା ବିଜେଡି ଏବଂ ୱାଇଏସ୍‍ଆର କଂଗ୍ରେସ ଭଳି ଦଳର ଭୋଟ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ତେଣୁ ବିଜେଡି କି ଆଭିମୁଖ୍ୟ ଗ୍ରହଣ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।

ବିଜେପି ନିଜ ମନୋନୀତ ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ଭାବରେ ବିଜୟୀ ସମର୍ଥ ନୁହେଁ। ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଇଲେକ୍ଟ୍ରୋରାଲ କଲେଜର ଭୋଟ ସଂଖ୍ୟା ୧୦,୯୮,୯୦୩। ଜାମ୍ମୁକାଶ୍ମୀରରେ ନିର୍ବାଚନ ହୋଇ ନ ଥିବାରୁ ଏହାର ୬୨୬୪ ଭୋଟକୁ ବାଦ ଦେଲେ ନିଜ ସପକ୍ଷ ପ୍ରାର୍ଥୀଙ୍କୁ ବିଜୟ କରିବା ଲାଗି ବିଜେପିକୁ ୫,୪୬,୩୨୦ ଭୋଟର ଆବଶ୍ୟକତା ରହିଛି। ମାତ୍ର ବିଭିନ୍ନ ବିଜେପି ଶାସିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ମୋଟ ଭୋଟ ରହିଛି ୪,୬୫,୭୯୭। ଏହାର ସହଯୋଗୀ ଦଳଗୁଡ଼ିକ ନିକଟରେ ୭୧,୩୨୯ ଭୋଟ ରହିଛି। ମୋଟାମୋଟି ଦେଖିଲେ ନିଜ ମନୋନୀତ ପ୍ରାର୍ଥୀଙ୍କ ବିଜୟ ନିମନ୍ତେ ବିଜେପି ନିକଟରେ ଆବଶ୍ୟକ ପରିମାଣର ଭୋଟ ନାହିଁ। ଏହି ପରିପ୍ରେକ୍ଷୀରେ ନିଜ ଭୋଟ ସହ ବିଜୟ ପାଇଁ ଆବଶ୍ୟକ ଅବଶିଷ୍ଟ ୯୧୯୪ ଭୋଟ ନିମନ୍ତେ ବିଭିନ୍ନ ରାଜନୈତିକ ଦଳଠାରୁ ସମ ଦୂରତ୍ୱ ବଜାୟ ରଖିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରର ୱାଇଏସ୍‍ଆର୍‍ କଂଗ୍ରେସ ସଭାପତି ଜଗନମୋହନଙ୍କ ଉପରେ ବିଜେପି ନିର୍ଭରଶୀଳ ହେବାକୁ ବାଧ୍ୟ। କୌଣସି ରାଜନୈତିକ ଦଳ ନୁହେଁ, ସର୍ବଦା ରାଜ୍ୟର ସ୍ୱାର୍ଥ ଓ ବିକାଶକୁ ସମର୍ଥନ କରୁଛନ୍ତି ବୋଲି ନବୀନ ଯାହା କହିଛନ୍ତି ତାହାର ଅର୍ଥ ବିଜେପି ଏଯାଏ ଖୋଜିବା ଆରମ୍ଭ କରିଛି।

ସେହିପରି ରାଷ୍ଟ୍ରପତି ପ୍ରାର୍ଥୀ ଚୂଡ଼ାନ୍ତ ପରେ ଦଳ ଏ ସମ୍ପର୍କରେ ନିଷ୍ପତ୍ତି ନେବ ବୋଲି ନବୀନ ଉଲ୍ଲେଖ କରି ଉଭୟ ଏନ୍‍ଡ଼ିଏ ଓ ୟୁପିଏ ଉପରେ ଏକପ୍ରକାର ମନସ୍ତାତ୍ୱିକ ଚାପ ସୃଷ୍ଟି କରିଛନ୍ତି। ଓଡ଼ିଶା ବିଧାନସଭାରେ ଦଳ ନିକଟରେ ୧୨୩ ବିଧାୟକ ଅଛନ୍ତି, ଅନୁରୂପ ଭାବରେ ଲୋକସଭାରେ ୧୨ ଜଣ ଓ ରାଜ୍ୟସଭାରେ ୯ ଜଣ ସାଂସଦ ଅଛନ୍ତି। ଯେଉଁମାନଙ୍କର ଭୋଟ ସଂଖ୍ୟାର ଆକାର ଢ଼େର ବେଶୀ। ତେଣୁ ନବୀନ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ବଡ଼ ଭୂମିକାରେ ଅବତୀର୍ଣ୍ଣ ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ସେହିପରି ସାମଗ୍ରିକ ପ୍ରକ୍ରିୟା ମଧ୍ୟରେ ରାଜ୍ୟ ସ୍ୱାର୍ଥ ଏବଂ ସ୍ୱାୟତ୍ତତାକୁ ପ୍ରାଥମିକତା ଦେବା ଉପରେ ନବୀନ ଗୁରୁତ୍ୱାରୋପ କରିଛନ୍ତି। ନବୀନ ଆହୁରି କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ନେଇ କୌଣସି ପ୍ରାର୍ଥୀ ସଂକ୍ରାନ୍ତ ଆଲୋଚନା ଏ ଯାଏଁ ହୋଇନାହିଁ। ଏସବୁ କ୍ଷେତ୍ରରେ ବିଜେଡି ନିଜର ସ୍ୱାଧୀନତାକୁ ହିଁ ପ୍ରାଧାନ୍ୟ ଦେବ। ବିଜେଡି ସବୁ ବେଳେ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ନ ଥାଏ। ପୂର୍ବପରି ଉଭୟ ଏନଡିଏ ଏବଂ ୟୁପିଏ ଠାରୁ ବିଜେଡି ସମଦୂରତ୍ୱ ନୀତି ବଜାୟ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟଯେ ରାଷ୍ଟ୍ରପତି ନିର୍ବାଚନରେ ସାରା ଦେଶର ୭୭୬ ସାଂସଦ ଏବଂ ୪୧୨୦ ବିଧାୟକମାନଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଇଲେକ୍ଟୋରାଲ ହିଁ ମତଦାନ କରିବେ। ଏହି ପରିପ୍ରେକ୍ଷୀରେ ବିଜେଡି ଓ ୱାଇଏସ୍‍ଆର୍‍ କଂଗ୍ରେସ ଉଭୟ ମେଣ୍ଟର ସବୁ ଅଙ୍କ ବିଗାଡ଼ି ଦେବାର କ୍ଷମତା ରଖିଥିବାରୁ ଏହି ଦୁଇ ଦଳ ଉପରେ ସାରା ଦେଶର ଦୃଷ୍ଟି ନିବଦ୍ଧ ହୋଇଛି।

Leave a comment