ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଲି ଭୁବନେଶ୍ୱରରେ ନବୀନ-ଜଗନ ସାକ୍ଷାତ, ପଡ଼ିବ ବହୁ ବିବାଦର ପୂର୍ଣ୍ଣଚ୍ଛେଦ

ଭୁବନେଶ୍ୱର : ଆସନ୍ତାକାଲି  ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ୍‍ ଜଗନମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ନବୀନ-ଜଗନଙ୍କ ଏହି ଭେଟଘାଟ ନେଇ ଏବେ ଚର୍ଚ୍ଚା ଜୋର୍‍ ଧରିଛି। ଏହି ଆଲୋଚନା ମାଧ୍ୟମରେ ଦୁଇ ରାଜ୍ୟ ମଧ୍ୟରେ କେତେକ ପ୍ରସଙ୍ଗକୁ ନେଇ ଥିବା ବହୁ ଦିନର ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶା କରାଯାଉଛି। ବିଶେଷକରି ଦୁଇ ରାଜ୍ୟ ମଧ୍ୟରେ ସୀମାକୁ ନେଇ ଚାଲିଆସୁଥିବା ବିବାଦ ସହ କେତେକ ଜଳସେଚନ ଓ ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ସଂକ୍ରାନ୍ତ ସମାଧାନ ପାଇଁ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି। ତେବେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ଦଳ ଦୀର୍ଘଦିନ ଧରି ଉଭୟ ଏନ୍‍ଡିଏ ଏବଂ ୟୁପିଏ ଠାରୁ ସମଦୂରତ୍ୱ ରକ୍ଷା କରି ଆସୁଛନ୍ତି। ଏପରିସ୍ଥଳେ ଉଭୟଙ୍କ ସାକ୍ଷାତ ସମୟରେ ବର୍ତ୍ତମାନର ରାଜନୈତିକ ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ର ସରକାର ନିଜର ଅତିକ୍ରମଣ ମନୋଭାବ ପ୍ରଦର୍ଶନ କରି ଆସୁଛନ୍ତି। ଓଡ଼ିଶା ସରକାରଙ୍କ କଡ଼ା ବିରୋଧ ସତ୍ତ୍ବେ ବିଭିନ୍ନ ସମୟରେ ଆନ୍ଧ୍ର ପ୍ରଶାସନ ସୀମା ଅତିକ୍ରମ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରୁଛି। ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବାବେଳେ ଆପୋଷ ବୁଝାମଣା ଦ୍ୱାରା ସମସ୍ୟାର ସହଜ ସମାଧାନ ହୋଇପାରନ୍ତା ବୋଲି ବିଭିନ୍ନ ସମୟରେ ବିଶେଷଜ୍ଞମାନେ ମତପ୍ରକାଶ କରି ଆସିଛନ୍ତି। ଏପରି ସ୍ଥଳେ ନବୀନ-ଜଗନ ଭେଟ ସାଧାରଣରେ ଉତ୍କଣ୍ଠାକୁ ବଢ଼ାଇ ଦେଇଛି। ଖାଲି କୋଟିଆ ନୁହେଁ, ଗଞ୍ଜାମ, ରାୟଗଡ଼଼ା ଓ ଗଜପତିର କେତେକ ଅଞ୍ଚଳରେ ଆନ୍ଧ୍ର ଓଡ଼ିଶାର ସୀମାରେ ଅନୁପ୍ରବେଶ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନଙ୍କ ସମ୍ମୁଖରେ ନିଜର ଉଦ୍‍ବେଗ ପ୍ରକାଶ କରିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ନିକଟରେ ଗତ ଜୁନ୍‍ ମାସରେ ବଂଶଧରା ଜଳବିବାଦ ମାମଲାରେ ଗଠିତ ଟ୍ରିବ୍ୟୁନାଲ ଆନ୍ଧ୍ର ସପକ୍ଷରେ ନିଜ ରାୟ ଦେବା ସହ ବଂଶଧରା ନଦୀ ଉପରେ ନେରେଡି ଡ୍ୟାମ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଥିଲେ। ନିଜ ରାୟରେ ଟ୍ରିବ୍ୟୁନାଲ ନଦୀର ଜଳ ଉପରେ ଉଭୟ ରାଜ୍ୟର ଅଧିକାର ଅଛି ବୋଲି କହିଥିଲେ। ରାୟ ଅନୁଯାୟୀ ଓଡ଼ିଶାରେ ବ୍ୟାରେଜର ଏକ ସ୍ଲୁଇସ ଫାଟକ ନିର୍ମାଣ ହେବାକୁ ଥିବାବେଳେ ଏଥିପାଇଁ ୧୦୬ ଏକର ଜମିର ଆବଶ୍ୟକତା ପଡ଼ୁଛି। ଯାହାକୁ ଓଡ଼ିଶା ସରକାର ଅଧିଗ୍ରହଣ କରିବେ। ତେବେ ଏହି ଜମି ଅଧିଗ୍ରହଣ ସହ ଡ୍ୟାମ ନିର୍ମାଣ ହେଲେ ଓଡ଼ିଶାର କେତେକ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହୁଛି। ଯାହାକୁ ସ୍ଥାନୀୟ ଗଜପତି ଜିଲ୍ଲାର ଅଧିବାସୀ ବିରୋଧ କରୁଛନ୍ତି। ସେମାନଙ୍କ ଦାବି ପୂରଣ ନହେଲେ ପ୍ରକଳ୍ପ କାମ ପୂରଣ କରିବାକୁ ଦିଆଯିବ ନାହିଁ ବୋଲି ଲୋକେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶା ବିଶେଷ ଲାଭବାନ ହେବ ବୋଲି ଆନ୍ଧ୍ର ଯୁକ୍ତି ରଖୁଛି। ଓଡ଼ିଶାର ପ୍ରାୟ ୩୦ ହଜାର ହେକ୍ଟର ଚାଷଜମି ଜଳସେଚିତ ହେବା ସହ ଗଜପତି ଜିଲ୍ଲାବାସୀଙ୍କୁ ପିଇବା ପାଣି ସହଜରେ ଉପଲବ୍ଧ ହୋଇପାରିବ ବୋଲି ଆନ୍ଧ୍ର ସରକାର କହିଛନ୍ତି। ତେଣୁ ପ୍ରକଳ୍ପ ନିର୍ମାଣ ପାଇଁ ଓଡ଼ିଶା ସହଯୋଗ କରିବାକୁ ଜଗନ ନବୀନଙ୍କୁ ଅନୁରୋଧ କରିବା ନେଇ ସମ୍ଭାବନା ରହିଛି।

ସେହିପରି ଗୋଦାବରୀ ନଦୀ ଉପରେ ପୋଲାଭରମ ପ୍ରକଳ୍ପକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବହୁ ଦିନରୁ ବିବାଦ ରହି ଆସିଛି। ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି। ତେବେ ପୋଲାଭରମ ବିବାଦରେ କେନ୍ଦ୍ରୀୟ ଜଳ ଆୟୋଗ ଶୁଣାଣି କରି ପ୍ରଭାବିତ ହେବାକୁ ଥିବା ଓଡ଼ିଶା ଏବଂ ଛତିଶଗଡ଼଼ରେ ରିଭର ସାଇଡ ଗାର୍ଡ ୱାଲ ତିଆର କରିବାକୁ ସିଡବ୍ଲ୍ୟୁସି ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାର ସାବେରୀ ଓ ସିଲେରୁ ନଦୀ କୂଳରେ ଆନ୍ଧ୍ର ଗାର୍ଡ ୱାଲ ନିର୍ମାଣ କରିବ। ଏହା ଉପରେ ଜଗନ ନବୀନଙ୍କ ସହଯୋଗ ଲୋଡ଼ିପାରନ୍ତି। ଅନ୍ୟ ପ୍ରସଙ୍ଗ ମଧ୍ୟରେ ଝଞ୍ଜାବତୀ ନଦୀ ଉପରେ ରବର ଡ୍ୟାମ ପ୍ରକଳ୍ପ ଉପରେ ମଧ୍ୟ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.