ଦେଶର ରାଷ୍ଟ୍ରପତି ପଦବୀ ଗ୍ରହଣ କରି ଶ୍ରୀମତୀ ଦ୍ରୌପଦୀ ମୁୁର୍ମୁ ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗରିମାମୟ ପୃଷ୍ଠା ଯୋଡ଼ି ଦେଇଛନ୍ତି : ନବୀନ ପଟ୍ଟନାୟକ

ଭୁବନେଶ୍ବର : ଖବରକାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ତାଙ୍କ ଉଦ୍ଦେଶ୍ୟରେ ନବୀନ ‘ଏ ମାଟିର କନ୍ୟା’ ଶୀର୍ଷକରେ ଏକ ସମ୍ପାଦକୀୟ ଲେଖିଛନ୍ତି। ନବୀନ କହିଛନ୍ତି, ସଂସଦ ଭବନର ସେଣ୍ଟ୍ରାଲ ହଲରେ ଯେତେବେଳେ ଦ୍ରୌପଦୀ ମୁର୍ମୁ ଶପଥ ନେଉଥିଲେ, ସେତେବେଳେ ତାହା ଥିଲା ପ୍ରତ୍ୟେକ ଓଡ଼ିଆଙ୍କ ପରି ମୋ ପାଇଁ ଗୌରବର ସର୍ବଶ୍ରେଷ୍ଠ ମୁହୂର୍ତ୍ତ । ଓଡ଼ିଶା ମାଟିର କନ୍ୟା, ଜଣେ ଜନଜାତି ଝିଅ, ଜଣେ ମା’, ଜଣେ ଭଉଣୀ, ଭାରତବର୍ଷର ସର୍ବୋଚ୍ଚ ସମ୍ବିଧାନିକ ପଦରେ ଅଧିଷ୍ଠିତ ହେଉଥିଲେ । ଓଡ଼ିଆ ସ୍ୱାଭିମାନର ଆଉ ଏକ ମହାର୍ଘ୍ୟ ଅବସରରେ ଉପନୀତ ହୋଇଥିଲା । ଇତିହାସର ସେହି ସ୍ୱର୍ଣ୍ଣିମ ଅଧ୍ୟାୟରେ ସାମିଲ ହେବା ମୋର ସୌଭାଗ୍ୟ ଥିଲା ବୋଲି ନବୀନ କହିଛନ୍ତି ।‘ଏ ମାଟିର କନ୍ୟା’ ଶୀର୍ଷକରେ ନବୀନଙ୍କ ଆଲେଖ୍ୟ ଚର୍ଚ୍ଚା ସାଉଣ୍ଟୁଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ରାଷ୍ଟ୍ରପତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଲେଖିଥିବା ‘ଏ ମାଟିର କନ୍ୟା’ …….
“ମୁଁ ଦ୍ରୌପଦୀ ମୁର୍ମୁ…………. ”। ଜୁଲାଇ ୨୫ ତାରିଖ ସମୟ ପୂର୍ବାହ୍ନ ୧୦.୧୪ ମିନିଟ୍ । ଆମ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ନୂଆଦିଲ୍ଲୀର ସଂସଦ ଭବନର ସେଣ୍ଟ୍ରାଲ ହଲ୍ରେ ଯେତେବେଳେ ଏହି ଶବ୍ଦ ଉଚ୍ଚାରିତ ହେଉଥିଲା, ତାହାଥିଲା ପ୍ରତ୍ୟେକ ଓଡ଼ିଆଙ୍କ ପରି ମୋ ପାଇଁ ଗୌରବର ସର୍ବଶ୍ରେଷ୍ଠ ମୁହୂର୍ତ୍ତ ।
ଓଡ଼ିଶା ମାଟିର କନ୍ୟା, ଜଣେ ଜନଜାତି ଝିଅ, ଜଣେ ମା’, ଜଣେ ଭଉଣୀ, ଭାରତବର୍ଷର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହେଉଥିଲେ। ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନର ଆଉ ଏକ ମହାର୍ଘ୍ୟ ଅବସର ଉପନୀତ ହୋଇଥିଲା। ଇତିହାସର ସେହି ସ୍ୱର୍ଣ୍ଣିମ ଅବସରରେ ସାମିଲ ହେବା ଥିଲା ମୋର ସୌଭାଗ୍ୟ। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ସଂସଦ ଭବନର ସେଣ୍ଟ୍ରାଲ ହଲ୍ରେ, ସେଦିନର ମୋର ବିନମ୍ର ଉପସ୍ଥିତି ଥିଲା ସମସ୍ତଙ୍କ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ସମୁଚିତ ସମ୍ମାନ ପ୍ରଦର୍ଶନ। ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ସମସ୍ତଙ୍କର ଆରାଧ୍ୟ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ଆମ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ । ଓଡ଼ିଆ ଜାତି ତା’ର ସେହି ପରିଚୟରେ ଗର୍ବିତ ଓ ଗୌରବାନ୍ୱିତ ।
ଓଡ଼ିଆ ଜାତି ଏକ ମହାନ ଜାତି । ଓଡ଼ିଶା ଇତିହାସର ପ୍ରତିଟି ପୃଷ୍ଠାରେ ସ୍ୱାଭିମାନୀ ଓଡ଼ିଆର ଅସ୍ମିତା କାହାଣୀ ଲିପିବଦ୍ଧ। କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକଙ୍କୁ ଏ ମାଟି ଅହିଂସା ମନ୍ତ୍ରରେ ଦୀକ୍ଷିତ କରିଥିଲା । ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାକୁ ଶୀର୍ଷରେ ପହଞ୍ଚାଇଥିଲେ ସମ୍ରାଟ ମହାମେଘବାହନ ଐର ଖାରବେଳ । ସମ୍ରାଟ କପିଳେନ୍ଦ୍ର ଦେବ କଳିଙ୍ଗ ସାମ୍ରାଜ୍ୟକୁ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିଥିଲେ । ମୋଗଲ ଓ ମରହଟ୍ଟାମାନେ ଓଡ଼ିଶାକୁ ଦଖଲ କରିବାକୁ ବାରମ୍ବାର ଉଦ୍ୟମ କରିଥିବା ସତ୍ତ୍ୱେ ନିଜ ମାଟିର ଟେକ ଓ ଜାତିର ସ୍ୱାଭିମାନ ରଖିବାକୁ ଓଡ଼ିଆ ବୀର ଆଗେଇ ଆସିଥିଲା । ନିଜ ପ୍ରାଣ ବିନିମୟରେ ମାଟି ମା’କୁ ସୁରକ୍ଷା ଦେଇଥିଲା । ସିପାହୀ ବିଦ୍ରୋହ ପୂର୍ବରୁ ଓଡ଼ିଆ ପାଇକଙ୍କ ନେତୃତ୍ୱରେ ବ୍ରିଟିଶ ବିରୋଧରେ ସଂଘଟିତ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାରତ ଇତିହାସର ଏକ ଉଲ୍ଲେଖନୀୟ ଘଟଣା।
ଆଜି ସେହି ଓଡ଼ିଆ ଜାତିର ପରିଚୟକୁ ଭାରତବର୍ଷର ରାଜନୈତିକ ଶୀର୍ଷରେ ପହଞ୍ଚାଇ ଜଣେ ଓଡ଼ିଆ ଝିଅ ସର୍ବୋଚ୍ଚ ଆସନରେ ପ୍ରତିଷ୍ଠିତ । ଦେଶର ରାଷ୍ଟ୍ରପତି ପଦବୀ ଗ୍ରହଣ କରି ଶ୍ରୀମତୀ ଦ୍ରୌପଦୀ ମୁୁର୍ମୁ ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗରିମାମୟ ପୃଷ୍ଠା ଯୋଡ଼ି ଦେଇଛନ୍ତି। ଓଡ଼ିଶା ଆଜି ବିଭିନ୍ନ କ୍ଷେତ୍ରରେ ତା’ର ଏକ ପ୍ରଭାବଶାଳୀ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ଆମ ରାଜ୍ୟର ମୟୂରଭଞ୍ଜ ପରି ଏକ ସଂସ୍କୃତିସମୃଦ୍ଧ ଜିଲ୍ଲାରେ ଜନ୍ମଗ୍ରହଣ କରି ଦେଶର ପ୍ରଥମ ନାଗରିକ ଭାବେ ଶ୍ରୀମତୀ ମୁର୍ମୁଙ୍କ ପ୍ରତିଷ୍ଠା ସାଢ଼େ ଚାରିକୋଟି ଓଡ଼ିଆଙ୍କ ଲାଗି ନିଶ୍ଚିତ ଏକ ଗର୍ବର ବିଷୟ ।
ଆମ ରାଷ୍ଟ୍ରପତିଙ୍କର ଅନ୍ୟତମ ବିଶିଷ୍ଟ ପରିଚୟ ହେଲା, ସେ ଜଣେ ଓଡ଼ିଆ ମହିଳା। ସମାଜରେ ମା’ ସବୁବେଳେ ଶ୍ରେଷ୍ଠ। ସେ ସୃଷ୍ଟି ଓ ଶକ୍ତିର ପ୍ରତୀକ । ସେହି ମା’ ସଶକ୍ତ ହେଲେ ହିଁ ସମାଜ, ପରିବାର, ରାଜ୍ୟ ଓ ଦେଶ ସଶକ୍ତ ହୋଇଥାଏ । ସେଥିଲାଗି ମୁଁ ସବୁବେଳେ ମା’ମାନଙ୍କୁ ସମାଜର ପ୍ରତ୍ୟେକଟି ପାହାଚରେ ଆଗକୁ ବଢ଼ି ଶୀର୍ଷତାର ସୋପାନରେ ପହଞ୍ଚାଇବାକୁ ପ୍ରୟାସ କରିଆସିଛି। ମା’ମାନେ ସଶକ୍ତ ହୁଅନ୍ତୁ ଓ ନେତୃତ୍ୱ ନିଅନ୍ତୁ ଏହି ଲକ୍ଷ୍ୟରେ ଯେତେବେଳେ ଆମେ ଆଗକୁ ବଢ଼ୁଛୁ ସେତେବେଳେ ଜଣେ ଓଡ଼ିଆ ଝିଅ ବା ଜନଜାତି ବର୍ଗର ମହିଳା ଭାବରେ ଭାରତବର୍ଷର ସର୍ବୋଚ୍ଚ ପଦବୀରେ ବସିବାର ସୁଯୋଗ ପାଇବା, ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଉପଲବ୍ଧି। ମୋ ମତରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଆମ ସମସ୍ତଙ୍କ ଲାଗି ଏକ ଐତିହାସିକ କୀର୍ତ୍ତିସ୍ତମ୍ଭ। ଭାରତବର୍ଷର ମହାମହିମ ରାଷ୍ଟ୍ରପତି ଭାବରେ ଶ୍ରୀମତୀ ମୁର୍ମୁ ଆଜି ସାର୍ବଭୌମ ଦେଶର ପ୍ରତୀକ । ଦେଶର କୋଟି କୋଟି ମା’ ଭଉଣୀଙ୍କ ଆଶା ଓ ଆକାଂକ୍ଷାର ପ୍ରତିବିମ୍ବ ।
ରାଜନୀତିରେ ମହିଳାମାନେ ଆଗକୁ ଆସନ୍ତୁ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ; ଏହାଥିଲା ନବେ ଦଶକରେ ବିଜୁ ବାବୁଙ୍କର ଲକ୍ଷ୍ୟ । ଏଥିପାଇଁ ମହିଳାମାନଙ୍କ ନିମନ୍ତେ ସରକାରୀ ଚାକିରିରେ ସଂରକ୍ଷଣ ସହିତ ପଞ୍ଚାୟତ ଓ ପୌରସଂସ୍ଥାମାନଙ୍କରେ ମଧ୍ୟ ମହିଳାମାନଙ୍କ ସକାଶେ ସ୍ଥାନ ସଂରକ୍ଷଣ କରି ସାରାଦେଶ ପାଇଁ ସେ ଉଦାହରଣ ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ସେହି ସଂରକ୍ଷଣ ସୀମାକୁ ଆମେ ୫୦ ଭାଗକୁ ବୃଦ୍ଧି କରିଛୁ । ଆମର ମା’ ମାନଙ୍କୁ ବହୁ ସଂଖ୍ୟାରେ ନେତୃତ୍ୱ ନେବାପାଇଁ ଏହା ସୁଯୋଗ ସୃଷ୍ଟି କରିଛି।
ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ସଫଳତା ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ । ମୁଁ ଆନନ୍ଦିତ ଯେ ଆଜି ଅନେକ ସ୍ଥାନରେ ପୁରୁଷମାନଙ୍କ ଅପେକ୍ଷା ମା’ମାନେ ହିଁ ନେତୃତ୍ୱର ଦକ୍ଷତା ଓ ପାରଦର୍ଶିତାରେ ଆଗରେ ରହିଛନ୍ତି। ଗତ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ ଲୋକସଭା ଆସନରୁ ୭ଟି ଆସନରେ ମା’ମାନେ ହିଁ ଭାରତର ସଂସଦକୁ ପ୍ରତିନିଧିତ୍ୱ କରୁଛନ୍ତି ।
ଗଣତନ୍ତ୍ରର ତୃଣମୂଳ ସ୍ତରରେ ଆଜି ମା’ମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଛି । ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ଓ ପୌର ଶାସନରେ ମହିଳାଙ୍କ ନେତୃତ୍ୱ ସାରା ଦେଶରେ ସର୍ବାଗ୍ରେ ରହିଛି । ଆମର ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ଆଜି ୨୧ଟିରେ ମହିଳାମାନେ ଅଧ୍ୟକ୍ଷା ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରୁଛନ୍ତି । ପଞ୍ଚାୟତ ସମିତି, ପଞ୍ଚାୟତ, ପୌରସଭା ତଥା ବିଭିନ୍ନ ୱାର୍ଡ଼ର ନେତୃତ୍ୱ ନେବା କ୍ଷେତ୍ରରେ ୫୦ ପ୍ରତିଶତରୁ ଅଧିକ ସ୍ଥାନରେ ମା’ ମାନେ ହିଁ ମେୟର, ଅଧ୍ୟକ୍ଷା, ଉପାଧ୍ୟକ୍ଷା, ସଭ୍ୟା ତଥା ସରପଞ୍ଚ, ୱାର୍ଡ଼ମେମ୍ବର, କାଉନସିଲର ଓ କର୍ପୋରେଟର ଭାବରେ ନିର୍ବାଚିତ ହୋଇ ଜନସେବାରେ ନିଜକୁ ନିୟୋଜିତ ରଖିଛନ୍ତି । ସବୁଠାରୁ ବଡ଼ ଉପଲବ୍ଧି ଯେ ଆଜି ଆମର ମିଶନଶକ୍ତି କାର୍ଯ୍ୟକ୍ରମରେ ୭୦ଲକ୍ଷରୁ ଅଧିକ ମା’ ସାମିଲ ହୋଇ ନିଜକୁ ସାମାଜିକ ତଥା ଆର୍ଥିକ କ୍ଷେତ୍ରରେ ସଶକ୍ତ କରିପାରିଛନ୍ତି । ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ଲାଗି ମୋର ପ୍ରୟାସ ଜାରି ରହିଛି ।
ଜଣେ ଜନଜାତି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୁଅନ୍ତୁ, ଏହା ମୋର ଏକ ବଡ଼ ଅଭିଳାଷ ଥିଲା । ସେଥିଲାଗି ୨୦୧୨ ମସିହା ରାଷ୍ଟ୍ରପତି ନିର୍ବାଚନରେ ଭାରତବର୍ଷର ଜଣେ ମହାନ ଜନନେତା ତଥା ସୁଦକ୍ଷ ପ୍ରଶାସକ ଡଃ ପି.ଏ. ସାଙ୍ଗମାଙ୍କୁ ରାଷ୍ଟ୍ରପତି କରିବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ଡଃ ସାଙ୍ଗମା କେବଳ ଆଦିବାସୀ ବର୍ଗର ନୁହଁନ୍ତି, ସମାଜର ସବୁ ବର୍ଗର ଲୋକଙ୍କର ଜଣେ ସମ୍ମାନସ୍ପଦ ନେତା ଥିଲେ । ମେଘାଳୟର ମୁଖ୍ୟମନ୍ତ୍ରୀ, ଜଣେ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭାର ବାଚସ୍ପତି ଭାବରେ ସେ ତାଙ୍କ ପ୍ରତିଭାର ପରିଚୟ ଦେଇଥିଲେ । ସମଗ୍ର ଭାରତବର୍ଷରେ ସେ ଜଣେ ସୁପ୍ରତିଷ୍ଠିତ ତଥା ଆଦରଣୀୟ ବ୍ୟକ୍ତିିତ୍ୱ ଥିଲେ । ତେଣୁ ତାଙ୍କୁ ଭାରତର ରାଷ୍ଟ୍ରପତି କରିବା ଦିଗରେ ସମସ୍ତଙ୍କ ସହଯୋଗ ପାଇଁ ମୁଁ ସର୍ବୋତ୍ତମ ଉଦ୍ୟମ କରିଥିଲି।
ଯେତେବେଳେ ପଞ୍ଚଦଶ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଚୟନରେ ଓଡିଆ ଝିଅ ତଥା ଜନଜାତି ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ନାଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତାବ ଦେଲେ ଏବଂ ମୋ ସହ ଆଲୋଚନା କଲେ; ମୁଁ ସର୍ବାନ୍ତକରଣରେ ସମର୍ଥନ ଜଣାଇଥିଲି। ପ୍ରାର୍ଥୀ ଘୋଷଣା ହେବା ପରେ ଦଳମତ ନିର୍ବିଶେଷରେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ଲାଗି ନିବେଦନ କରିଥିଲି।
ଆଜି ମୁଁ ବହୁତ ଖୁସି ଯେ ମୋ ଓଡ଼ିଶାର ଜଣେ ଝିଅ, ଜଣେ ଜନଜାତି ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ସେହି ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ମଣ୍ଡନ କରି ମୋ ମାଟିର ଗୌରବକୁ ବୃଦ୍ଧି କରିଛନ୍ତି । ସାରା ବିଶ୍ୱକୁ, ଭାରତବର୍ଷ, ବିଶେଷ କରି ଜଗନ୍ନାଥ ଧାମର ଶାନ୍ତି, ମୈତ୍ରୀ, ଭ୍ରାତୃତ୍ୱ, ସାମ୍ୟ ଓ ଏକତାର ବାର୍ତ୍ତା ଦେଇଛନ୍ତି ।
ସଂସଦର ସେଣ୍ଟ୍ରାଲ ହଲ୍ରେ ମହାମହିମ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମୟରେ ତାଙ୍କ ଭାଷଣର ଗୋଟିଏ କଥା ମୋତେ ବେଶ୍ ପ୍ରଭାବିତ କରିଥିଲା । ସେ କହିଥିଲେ ଯେ ରାଷ୍ଟ୍ରପତି ପଦବୀକୁ ତାଙ୍କର ନିର୍ବାଚନ ପ୍ରମାଣିତ କରିଛି ଭାରତର ଗରିବ ଲୋକ ସ୍ୱପ୍ନ ଦେଖିପାରେ ଓ ସେହି ସ୍ୱପ୍ନକୁ ମଧ୍ୟ ସାକାର କରିପାରେ । ମହାମହିମ ରାଷ୍ଟପ୍ରତିଙ୍କର ଏହି ଉକ୍ତି ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଓ ତାତ୍ପର୍ଯ୍ୟପୂର୍ଣ୍ଣ ।୨୦୦୦ ମସିହାରୁ ମୁଁ ଓଡ଼ିଶା ମା’ର ସେବାରେ ନିଜକୁ ସମର୍ପିତ କରିଦେଇଛି । ସେବେଠାରୁ ସମାଜର ଗରିବ, ଅବହେଳିତ, ମହିଳା ଓ ପଛୁଆ ବର୍ଗଙ୍କୁ ଆଗକୁ ଆଣିବା ପାଇଁ ସତତ ପ୍ରୟାସ ଜାରି ରଖିଛି । ବିଶେଷକରି ଜନଜାତି ଭାଇଭଉଣୀମାନଙ୍କ ପାଇଁ ଶିକ୍ଷା ଓସାମାଜିକ କ୍ଷେତ୍ରରେ ପରିବର୍ତ୍ତନ ଆଣି ସେମାନଙ୍କୁ ସ୍ୱପ୍ନ ଦେଖିବାର ତଥା ସେହି ସ୍ୱପ୍ନକୁ ସାକାର କରିବାର ପଥ ପ୍ରଶସ୍ତ କରିଚାଲିଛି । ଶିକ୍ଷା ରୂପାନ୍ତରଣର ଶକ୍ତିଶାଳୀ ମାଧ୍ୟମ। ଶିକ୍ଷା ଜରିଆରେ ଜନଜାତି ପିଲାମାନଙ୍କୁ ସଶକ୍ତ କରି ସେମାନଙ୍କୁବିକାଶର ମୁଖ୍ୟଧାରାକୁ ଆଣିବା ନିମନ୍ତେ ଅନେକ କାର୍ଯ୍ୟକ୍ରମ ଜାରି ରହିଛି ।
ଖୁସିର କଥା ଏହାର ଫଳସ୍ୱରୂପ ଆଜି ଆମ ରାଜ୍ୟର ଅଗଣିତ ଜନଜାତି ପୁଅଝିଅ ଭଲ ପାଠପଢ଼ିବାର ସୁଯୋଗ ପାଇ ବଡ଼ ହେବାର ସ୍ୱପ୍ନ ଦେଖିପାରୁଛନ୍ତି ଓ ସେହି ସ୍ୱପ୍ନକୁ ସାକାର ମଧ୍ୟ କରିପାରୁଛନ୍ତି । ସମାଜର ସବୁ ବର୍ଗର ଗରିବ ପିଲାଙ୍କୁ ବଡ଼ ହେବାର ରାସ୍ତା ପ୍ରଶସ୍ତ କରିବାରେ ଆମର ପ୍ରୟାସ ଅନେକ ଉପଲବ୍ଧି ଆଣିପାରିଛି । ଜଣେ ଜନଜାତି ଝିଅ ଭାବରେ ଆଜିର ମହାମହିମ ରାଷ୍ଟ୍ରପତି ମୟୂରଭଞ୍ଜର ଉପରବେଡ଼ା ଗାଁରୁ ଆସି ଭୁବନେଶ୍ୱରରେ ରହି ପାଠ ପଢ଼ିବା, ସରକାରୀ ଚାକିରି କରିବା ସହିତ ପରବର୍ତ୍ତୀ ସମୟରେ ରାଜନୀତି କ୍ଷେତ୍ରକୁ ଆସି କାଉନସିଲର, ବିଧାୟକ, ମନ୍ତ୍ରୀ, ରାଜ୍ୟପାଳ ଏବଂ ସର୍ବୋପରି ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରି ଯେଉଁ ବିରଳ ସଫଳତା ହାସଲ କରିଛନ୍ତି, ତାହା ସବୁଦିନ ପାଇଁ ଏକ ପଥ ପ୍ରଦର୍ଶକ ଉଦାହରଣ ହୋଇ ରହିବ ।
ଶେଷରେ ମୁଁ ତାଙ୍କୁ ଆଉଥରେ ଅଭିନନ୍ଦନ ଜଣାଉଛି । ଶପଥ ଗ୍ରହଣ ସମୟରେ ତାଙ୍କର ପ୍ରଥମ ସମ୍ବୋଧନରୁ ସାରା ବିଶ୍ୱକୁ ସେ ଯେଉଁ ଜଗତକଲ୍ୟାଣର ବାର୍ତ୍ତା ଦେଇଛନ୍ତି ଏବଂ ଓଡ଼ିଆ ଜାତିର ଗୌରବ ସନ୍ଥକବି ଭୀମଭୋଇଙ୍କ ଉକ୍ତିକୁ ଉଦ୍ଧୃତ କରିଛନ୍ତି, ଆଜି ତାହା ଆଉଥରେ ଆମ ଅସ୍ମିତାର ପ୍ରତିଷ୍ଠାକୁ ଗୌରବମଣ୍ଡିତ କରିଛି । ମୁଁ ଆଶା ରଖିବି, ଆମ ସମସ୍ତଙ୍କ କାର୍ଯ୍ୟ ଓ ଭାବନାରେ ସନ୍ଥକବି ଭୀମଭୋଇଙ୍କର ସେହି ଉକ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ସତତ ପ୍ରତିଫଳିତ ହେଉ ।