ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ନୂଆ ଅଡିଟୋରିୟମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ନିର୍ମାଣ ହୋଇଥିବା ଶୀତତାପ ନିୟନ୍ତ୍ରିତ ଅଡିଟୋରିୟମକୁ ଉଦଘାଟନ କରିଛନ୍ତି। ୧୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଅଡିଟୋରିୟମଟି ନିର୍ମାଣ କରାଯାଇଥିବାବେଳେ ଏଠାରେ ଏକ ହଜାର ଜଣ ଛାତ୍ରୀଙ୍କର ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅଡିଟୋରିୟମରେ ମନୋରଞ୍ଜନ କାର୍ଯ୍ୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ଅତ୍ୟାଧୁନିକ ସୁବିଧା ରହିଛି।

ଆଜି ଅଡିଟୋରିୟମଟିର ଉଦଘାଟନ ହେବା ସହ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବହୁ ଦିନର ସ୍ୱପ୍ନ ପୂରଣ ହୋଇପାରିଛି। ଏହା ଦ୍ବାରା ଶିକ୍ଷାକ୍ଷେତ୍ରରେ ଅଧିକ ବିକାଶ ହୋଇପାରିବ । ଏହି ଅତ୍ୟାଧୁନିକ ଅଡିଟୋରିୟମ ଆଗାମୀ ପିଢ଼ି ଛାତ୍ରୀଙ୍କ ପାଇଁ ନୂଆ ପ୍ରେରଣା ସୃଷ୍ଟି କରିବ । ଏନେଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଓ ଖୁସି ପ୍ରକାଶ ପାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଆଜି ଅଡିଟୋରିୟମଟିର ଉଦଘାଟନ କରିବା ସହ ବିଶ୍ବବିଦ୍ୟାଳୟର ଛାତ୍ରୀ ଓ ଅଧ୍ୟାପିକାମାନେ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଭାଇସ୍‌ ଚାନସେଲର ଆଜିର ଦିନକୁ ଇତିହାସ ମନେରଖିବ ବୋଲି କହିଛନ୍ତି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ସାହାଯ୍ୟ କରିଛନ୍ତି ବୋଲି ଅଧ୍ୟାପିକାମାନେ ଧନ୍ୟବାଦ ଦେଇଛନ୍ତି । ରାଜ୍ୟରେ ଶିକ୍ଷାର ବିକାଶ ଓ ଉନ୍ନତି ପାଇଁ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସାହାଯ୍ୟ ଓ ସହଯୋଗ କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଥିଲେ ।

ସୂଚନାଯୋଗ୍ୟ ଆସନ୍ତା ୧୦ ତାରିଖରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୨ୟ ସମାଵର୍ତନ ଉତ୍ସବ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଥର ପାଇଁ ନିଜ କଲେଜ ରମାଦେବୀ ବିଶ୍ଵବିଦ୍ୟାଳୟକୁ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଆସୁଥିବାରୁ ଏହି ଅଡିଟୋରିୟମରେ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଉଛି। ତେଣୁ ଆଜି ମୁଖ୍ୟମନ୍ତ୍ରୀ ଏହି ଅଡିଟୋରିୟମକୁ ଉଦଘାଟନ କରିଥିବାବେଳେ ଆଗାମୀ ଦିନରେ ରାଷ୍ଟ୍ରପତି ଆସିବାର କାର୍ଯ୍ୟକ୍ରମ ରହିଥିବାରୁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

Leave a comment