ଶିଳ୍ପାୟନରେ ରୂପାନ୍ତରଣ ସୁନିଶ୍ଚିତ କରିଛି ୫-ଟି ଉପକ୍ରମ, ଦେଶର ଉତ୍ପାଦନ କେନ୍ଦ୍ର ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ

ପ୍ଲାଷ୍ଟିକ୍‌‌, ପର୍ଯ୍ୟଟନ, କୃଷି, ଆଇଟି କ୍ଷେତ୍ରକୁ ଗୁରତ୍ୱ

ଭୁବନେଶ୍ୱର : ଓଡ଼ିଶାରେ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଆମ ସରକାର ସବୁ ମତେ ଉଦ୍ୟମ କରୁଛନ୍ତି; ଆଉ ଏହାର ସୁଫଳ ଦେଖିବାକୁ ମିଳୁଛି। ଓଡ଼ିଶାରେ ଅର୍ଥନୈତିକ ଅଭିବୃଦ୍ଧି ହେଉଛି, ଲୋକଙ୍କୁ ନିଯୁକ୍ତି ମିଳୁଛି। ଗତ ତିନି ବର୍ଷ ମଧ୍ୟରେ ଓଡ଼ିଶା ଦେଶର ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ରସ୍ଥଳରେ ପରିଣତ ହୋଇଛି। ଶିଳ୍ପାୟନରେ ଏହି ରୂପାନ୍ତରଣ ଆମର ‘୫-ଟି’ ଉପକ୍ରମ ଦ୍ୱାରା ସମ୍ଭବ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭର୍ଚ୍ୟୁଆଲ ମାଧ୍ୟମରେ ୨ଟି ପ୍ରକଳ୍ପର ଉଦ୍‌‌ଘାଟନ ଓ ୧୭ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ୧୬୫୦ କୋଟି ଟଙ୍କା ନିବେଶ ସହ ୪୫୦୦ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ। ମେକ୍‌‌ଇନ୍‌‌ ଓଡ଼ିଶା କନ୍‌‌କ୍ଲେଭରେ ଏହି ସବୁ ପ୍ରକଳ୍ପ ନିମନ୍ତେ ନିବେଶ ପ୍ରସ୍ତାବ ଆସିଥିଲା ଏବଂ ଏହା ବିଶେଷ ଭାବରେ ପ୍ଲାଷ୍ଟିକ୍‌‌, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଉତ୍ପାଦନ, ପର୍ଯ୍ୟଟନ, ଆଇଟି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ଫାର୍ମାସ୍ୟୁଟିକାଲ୍ସ, ଇତ୍ପାତ ଶିଳ୍ପ ଆଧାରିତ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ନିଷ୍ଠାପର ଉଦ୍ୟମ ହେତୁ ଓଡ଼ିଶା ପୁଞ୍ଜି ନିବେଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସ୍ଥଳ ପାଲଟିଛି। କ୍ରମାଗତ ଭାବେ ଓଡ଼ିଶାକୁ ବିପୁଳ ପୁଞ୍ଜିନିବେଶ ଆସୁଛି। ପ୍ରାକୃତିକ ସମ୍ବଳ, ଖଣିଜ ପଦାର୍ଥ ଆଧାରିତ ଶିଳ୍ପରୁ ବାହାରି ଆମେ ବିସ୍ତୃତ ଏବଂ ସମ୍ମିଳିତ ଅର୍ଥନୈତିକ ଅଭିବୃଦ୍ଧି ସୁନିଶ୍ଚିତ କରୁଥିବା ଶିଳ୍ପ ଉପରେ ଦୃଷ୍ଟିନିବଦ୍ଧ କରିଛୁ। ପ୍ରତ୍ୟେକ ନିବେଶକଙ୍କୁ ସବୁ ସମ୍ଭବ ସହାୟତା ପ୍ରଦାନ କରି ରାଜ୍ୟର ବିକାଶ ଧାରା ସୁନିଶ୍ଚିତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆମର ‘୫-ଟି’ ଉପକ୍ରମ ସହଜ ଓ ସୁବିଧାରେ ଶିଳ୍ପାୟନ ରୂପାନ୍ତରଣ ଉପରେ ସର୍ବଦା ଗୁରୁତ୍ୱ ଦେଇ ଆସୁଛି। ପରିଣାମ ସ୍ୱରୂପ ଆମର ମୂଲ୍ୟ ଆଧାରିତ ଶିଳ୍ପ ଆଧାରିତ ବାତାବରଣ, ଦୀର୍ଘମିଆଦି ନିଯୁକ୍ତି ସୃଷ୍ଟି ଏବଂ ରାଜସ୍ୱ ବୃଦ୍ଧି ସୁନିଶ୍ଚିତ କରାଯାଇଛି। ଦେଶ ବିଦେଶର ବିଭିନ୍ନ କ୍ଷେତ୍ରର ସୁନାମଧନ୍ୟ ବ୍ୟବସାୟୀ, ଖ୍ୟାତନାମା ଶିଳ୍ପପତିଙ୍କୁ ନେଇ ଆୟୋଜିତ ହୋଇଥିବା ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ୍‌‌ ବହୁତ ସଫଳ ରହିଥିଲା ଏବଂ ଏଥିରୁ ଆମକୁ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ମିଳିବା ସହ ୧୦ ଲକ୍ଷ ଲୋକଙ୍କୁ ରୋଜଗାର ମିଳିବା ପାଇଁ ପଥ ପରିଷ୍କାର ହୋଇଛି। ତେବେ ଏହି ନିବେଶ ପ୍ରସ୍ତାବକୁ ବାସ୍ତବ ରୂପ ଦେବା ପାଇଁ ଆମର ଉଦ୍ୟମ ଜାରି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଟକ ଜିଲ୍ଲାରେ ସୁପ୍ରିମ ଇଣ୍ଡଷ୍ଟ୍ରିଜ୍‌‌ ଲିମିଟେଡ୍‌‌ ଏବଂ ଆଶୀର୍ବାଦ ପାଇପ୍ସ ପ୍ରାଇଭେଟ୍‌‌ ଲିମିଟେଡ୍‌‌କୁ ଉଦ୍‌‌ଘାଟନ କରିଥିଲେ। ପ୍ଲାଷ୍ଟିକ୍‌‌ କ୍ଷେତ୍ର ସହିତ ଜଡ଼ିତ ଦୁଇ ଶିଳ୍ପରେ ୪୭୦ ଜଣଙ୍କୁ ନିଯୁକ୍ତି ମିଳିବ। ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ସଂକ୍ରାନ୍ତ ୬ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ସାଓ ବ୍ରେୱେରିଜ୍‌‌ ଆଣ୍ଡ ଡିଷ୍ଟିଲାରିଜ୍‌‌ ପ୍ରାଇଭେଟ୍‌‌ ଲିମିଟେଡ୍‌‌, ଇଣ୍ଡିଆନ୍‌‌ ପଟାସ୍‌‌ ଲିମିଟେଡ୍‌‌, ଗ୍ଲୋବସ୍‌‌ ସ୍ପିରିଟ୍‌‌ ଲିମିଟେଡ୍‌‌, ଓରିକ୍ଲିନ୍‌‌ ପ୍ରାଇଭେଟ୍‌‌ ଲିମିଟେଡ୍‌‌, ଅମ୍ରିତ ଧାରା ନ୍ୟୁଟ୍ରିଫୁଡସ୍‌‌ ଏଲଏଲ୍‌‌ପି ଆଣ୍ଡ ଡିଏନ୍‌‌ ସି ସେଲ୍ସ ପ୍ରାଇଭେଟ୍‌‌ ଲିମିଟେଡ୍‌‌ ଆଦି କମ୍ପାନୀ ସମୁଦାୟ ୮୦୩.୬ କୋଟି ଟଙ୍କା ବିନିଯୋଗରେ ୧୪୫୯ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ। ସେହିପରି ଉତ୍ପାଦନ କ୍ଷେତ୍ରରେ ୩ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ରଖିଛନ୍ତି।

ଏଥିରେ ମୋଡ୍ୟୁଲାର୍‌‌ କିଚେନ୍‌‌ ଉତ୍ପାଦନ ଠାରୁ ନେଇ ପିଇଟି ରିଫର୍ମସ୍‌‌, ଏଫ୍‌‌ ଆଣ୍ଡ ବି ଶିଳ୍ପ ଅନ୍ତର୍ଭୁକ୍ତ। ଏହି କ୍ଷେତ୍ରରେ ୨୯୩.୩୪ କୋଟି ଟଙ୍କା ବିନିଯୋଗରେ ୨୪୩ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ। ଆଇଟି କ୍ଷେତ୍ରରେ ଇନକ୍‌‌ଚର୍‌‌ ଟେକ୍ନୋଲୋଜି ପ୍ରାଇଭେଟ୍‌‌ ଲିମିଟେଡ୍‌‌ ସହିତ ପର୍ଯ୍ୟଟନ ସହିତ ଜଡ଼ିତ ମେ ଫେୟାର ହୋଟେଲ୍ସ ଆଣ୍ଡ ରିସୋର୍ଟ ଲିମିଟେଡ୍‌‌, ଏସ୍ପେନ୍‌‌ ଲେକ୍‌‌ ସୁଟସ୍‌‌ ଏଲ୍‌‌ଏଲ୍‌‌ପି ଆଣ୍ଡ ଲଗଜୁରିଓ ଆସେଟସ୍‌‌ ପ୍ରାଇଭେଟ୍‌‌ ଲିମିଟେଡ୍‌‌ର ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଛି। ଗୋପାଳପୁର ଓ ଗଞ୍ଜାମରେ ମେଫେୟାର ହୋଟେଲ ନିଜର ସମ୍ପ୍ରସାରଣ କରିବ। ଏସ୍ପେନ୍‌‌ ଲେକ୍‌‌ ସୁଟସ୍‌‌ ବରକୁଳ, ଚିଲିକାରେ ପଞ୍ଚ ତାରକା ରିସୋର୍ଟ ପ୍ରତିଷ୍ଠା କରିବ। ଏହି କ୍ଷେତ୍ରରେ ୨୦୩.୭୩ କୋଟି ଟଙ୍କା ବିନିଯୋଗ କରାଯିବ। ଅପରପକ୍ଷେ ଇସ୍ପାତ ଓ ଆନୁସଙ୍ଗିକ କ୍ଷେତ୍ରରେ ଜେଏସ୍‌‌ଇ ଇନଫୋଟେକ୍‌‌ ପ୍ରାଇଭେଟ୍‌‌ ଲିମିଟେଡ୍‌‌ ଏବଂ ନୀଳାଚଳ ଇଞ୍ଜିନିୟର୍ସ ୧୨.୭୮ କୋଟି ଟଙ୍କା ବିନିଯୋଗ କରି ୧୬୦ ଲୋକଙ୍କୁ ନିଯୁକ୍ତି ଦେବେ। କଟକର ରାମଦାସପୁର ଏବଂ ଖୋର୍ଦ୍ଧାର ଜୟମଙ୍ଗଳ ଠାରେ କମ୍ପାନୀ ଶିଳ୍ପ ପ୍ରତିଷ୍ଠା କରିବ। ରାମଦାସପୁରରେ ଜେଏମ୍‌‌ଏସ୍‌‌ ମେଡିକନ୍‌‌ ୨୧.୪୪ କୋଟି ଟଙ୍କା ବିନିଯୋଗ କରିବ ଯାହା ୨୦୩ ଜଣଙ୍କୁ ନିଯୁକ୍ତି ଦେବ। ଆଇଏଫ୍‌‌ଜିଏଲ୍‌‌ ରିଫ୍ରାକ୍ଟୋରୀଜ୍‌‌ ଲିମିଟେଡ୍‌‌ ୬୬.୨୭ କୋଟି ଟଙ୍କା ବିନିଯୋଗ କରିବ ବୋଲି ଜଣାପଡ଼ିଛି।

କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଅନୁ ଗର୍ଗ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରି ଥିବା ବେଳେ ଇପିକଲ ଏବଂ ଇଡ୍‌‌କୋ ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment