ବହୁ ଓଡ଼ିଆ ଚଳଚିତ୍ରରେ କଣ୍ଠଦାନ କରିଥିବା ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ସୁନାମଧନ୍ୟା କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କର ଆଜି ପରଲୋକ ହୋଇଛି। ବାଣୀ ଜୟରାମଙ୍କର ଆଜି ଚେନ୍ନାଇ ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ଦେଶର ଏହି ପ୍ରଖ୍ୟାତ କଣ୍ଠଶିଳ୍ପୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ ପରିଛନ୍ତି।
ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ‘ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ବାଣୀ ଜୟରାମଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଅନେକ ଲୋକପ୍ରିୟ ଓଡ଼ିଆ ଚଳଚିତ୍ରରେ କଣ୍ଠଦାନ କରି ସେ ପ୍ରତିଷ୍ଠା କରିଥିବା କୀର୍ତ୍ତିମାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।’
ବାଣୀ ଜୟରାମଙ୍କ ପରଲୋକ ଓଡ଼ିଆ ଶ୍ରୋତାମହଲରେ ସୃଷ୍ଟି କରିଛି ଏକ ଅପୂରଣୀୟ ଶୂନ୍ୟସ୍ଥାନ। ସେ ପ୍ରଫୁଲ୍ଲ କରଙ୍କ ସ୍ବରସଂଯୋଜନାରେ ସର୍ବାଧିକ ଓଡ଼ିଆ ଗୀତରେ କଣ୍ଠଦାନ କରିଛନ୍ତି। ପ୍ରଫୁଲ୍ଲ କରଙ୍କ ସ୍ବରାରୋପିତ ‘ଶେଷ ଶ୍ରାବଣ’ ସିନେମାର ଟିକ୍ ଟିକ୍ ଟିକ୍ ହୁଏ ମୋ ଛାତି, ମେଘ ବରଷିଲା ଟୁପୁରୁ ଟୁପୁରୁ, ହାଏରେ ହାଏ ଗରଜେ ମେଘ, ‘ଗୌରୀ’ ଫିଲ୍ମର ‘ଆମ ଗାଁର ମଉଡ଼ମଣି., ପାଇଛି ଏ ଜୀବନେ, ରଜନୀ ଗୋ, କି ସୁନ୍ଦର ଆହା କି ଆନନ୍ଦମୟ, ‘ସତୀ ଅନୁସୂୟା’ର କୁହୁକୁହୁ ବନେ କୁହୁକୁହୁ, ‘ତପସ୍ୟା’ର ଢାଳି ଦିଅ ସାରା ଧରଣୀରେ ଆଜି, ଝୁଲିଝୁଲି ଖେଳେ ଦୋଳି ଟିକି ନାଆ. ‘ଓ ‘ବନ୍ଧୁ ମହାନ୍ତି’ର ନ ଯା ସଜନୀ, ମା ଗୋ ମମତାମୟୀ ମାତା, ‘ପୂଜା’ ସିନେମାର ହିପ୍ ହିପ୍ ହୁରେ ଗାଡ଼ିଯାଏ ଗଡ଼ିରେ ଆଦି। ସେ ଶ୍ରେଷ୍ଠ ଗାୟିକା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ହାସଲ କରିଛନ୍ତି। ଏହାଛଡ଼ା ସେ ଅଲିଭା ଦାଗ, ରାମାୟଣ, ମୁକ୍ତି, ଜୟ ମା ମଙ୍ଗଳା, ମୁକ୍ତି, ଦେବଯାନୀ, ସିନ୍ଦୂରବିନ୍ଦୁ, ଅସ୍ତରାଗ, ରାମ ବଳରାମ, ପୁନର୍ମିଳନ, କୃଷ୍ଣସୁଦାମା, ପୁନର୍ମିଳନ, ରାମରହିମ୍ ଓ ପର ଝିଅ ଘର ଭାଙ୍ଗେନା ଆଦି। ଓଡ଼ିଆ ଛବିରେ ବି ପ୍ରଚ୍ଛଦପଟ୍ଟ ଗାୟିକା ଭାବେ କେତୋଟି ଗୀତରେ କଣ୍ଠଦାନ କରିଛନ୍ତି।
ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ବାଣୀ ଜୟରାମଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଅନେକ ଲୋକପ୍ରିୟ ଓଡ଼ିଆ ଚଳଚିତ୍ରରେ କଣ୍ଠଦାନ କରି ସେ ପ୍ରତିଷ୍ଠା କରିଥିବା କୀର୍ତ୍ତିମାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) February 4, 2023
୧୯୭୧ ମସିହାରେ ସଙ୍ଗୀତ ଦୁନିଆରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ବାଣୀ । ୫ ଦଶନ୍ଧୀ ଧରି ସେ ତାଙ୍କ ସୁମଧୁର ସ୍ୱରରେ ଶ୍ରୋତାଙ୍କ ମନକୁ ବାନ୍ଧି ରଖିପାରିଥିଲେ । ପ୍ରାୟ ୧୯ଟି ଭାଷାରେ ସେ କଣ୍ଠଦାନ କରିଛନ୍ତି । ଜୀବନକାଳ ଭିତରେ ସେ ନାଶନାଲ ଫିଲ୍ମ ଆୱାର୍ଡ ସହ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କାର ପାଇଛନ୍ତି । ତେବେ ଗତ ଜାନୁଆରି ୨୫ରେ, ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ସରକାର ପଦ୍ମ ପୁରସ୍କାର ଘୋଷଣା କରିଥିବା ବେଳେ ଗାୟିକ ବାଣୀ ଜୟରାମଙ୍କୁ ପଦ୍ମ ଭୂଷଣ ଦେବା ଲାଗି ଘୋଷଣା କରାଯାଇଥିଲା । ବାଣୀ ଜୟରାମଙ୍କୁ ଆଧୁନିକ ଭାରତର ମୀରା ମଧ୍ୟ କୁହାଯାଉଥିଲା। ସେ ସଙ୍ଗୀତ ଜଗତକୁ ନୂତନ ଉଚ୍ଚତାକୁ ନେଇଥିଲେ। ୧୯୭୧ରେ ହିନ୍ଦୀ ଫିଲ୍ମ ଗୁଡ୍ଡି ପାଇଁ ସେ ପ୍ରଥମ କଣ୍ଠଦାନ କରିଥିଲେ । ଏମଏସ ବିଶ୍ୱନାଥନ, କେଭି ମହାଦେବନଙ୍କର ବଡ ବଡ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ସେ କାମ କରିଛନ୍ତି । ତେବେ ତାଙ୍କର ଏପରି ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।