ବାଲେଶ୍ୱରର ପିଛା ଛାଡ଼ୁନି ପ୍ରାକୃତିକ ବିପର୍ଯ୍ୟୟ; ୟସ ତାଣ୍ଡବ ପରେ ଘନଘନ ବନ୍ୟା, ବେଶି କନ୍ଦାଉଛି ଜଳକା ଓ ସୁବର୍ଣ୍ଣରେଖା

ବାଲେଶ୍ୱର: ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଚାଲିଛି ବାଲେଶ୍ଵର । ୟସ ବାତ୍ୟାର ପ୍ରଭାବରେ ଜିଲ୍ଲାର ପାଖାପାଖି ତିନି ଲକ୍ଷ ଲୋକ ପ୍ରଭାବିତ ହେବାର କେଇ ମାସ ପରେ ପୁଣି ଲାଗିରହିଛି ବନ୍ୟା ବିପତ୍ତି । ଘନଘନ ଲଘୁଚାପଜନିତ ବର୍ଷାରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ଆଦି ନଦୀରେ ବନ୍ୟା ଆସି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ବାଲେଶ୍ଵର ଜିଲ୍ଲାର ସଦର ବ୍ଲକ ସମେତ ବାଲିଆପାଳ, ଭୋଗରାଇ, ରେମୁଣା, ବସ୍ତା ଅଞ୍ଚଳର ଧାନ ଓ ପନିପରିବା ଚାଷୀ ଅଧିକ କ୍ଷତି ସହୁଛନ୍ତି । ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଓ ରାସଗୋବିନ୍ଦପୁର ଅଞ୍ଚଳରେ ଲଗାଣ ବର୍ଷା ପାଇଁ ଜଳକା ପୁଣି ବିପଦ ସଂକେତ ୫.୫ ମିଟର ଥିବା ବେଳେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୫.୯୪ ମିଟରରେ ପ୍ରବାହିତ ହେଉଛି । ଗତ ୨୨ ତାରିଖରେ ଜଳକା ବନ୍ୟାରେ ବସ୍ତା ବ୍ଲକର ୧୨ଟି ପଞ୍ଚାୟତ ଓ ସଦର ବ୍ଲକର ଦୁଇଟି ପଞ୍ଚାୟତର ଚାଷୀଙ୍କ ଦୁର୍ଗତି ବଢ଼ିଛି । ଜଳକାର ପ୍ରଭାବ କମି ଯାଇ ବନ୍ୟା ପରିସ୍ଥିତି କମିଯାଇଥିଲେ ସୁଦ୍ଧା ଚାଷ ଜମି ଜଳମଗ୍ନ ରହି ରୁଆ ହୋଇଥିବା ଧାନ ଗଛ ପଚିବାକୁ ବସିଲାଣି । ବସ୍ତା ବ୍ଲକର ରାଉତପଡ଼ା, ବାହାର୍ଦା, ପତ୍ରଝଡ଼ା, ସଦାନନ୍ଦପୁର, ବରୁଣଗଡ଼ିଆ, କୁଡିଆ, ମଥାନି, ଦୁଧସା, ନାଇକୁଡ଼ି, ଦରଡ଼ା, ସଦାନନ୍ଦପୁର ଓ ମୁକୁଳୁସି ଅଞ୍ଚଳର ଚାଷ ଜମିରୁ ଜଳମଗ୍ନ ରହିଛି ।

ସରକାରୀ ଆକଳନ ଅନୁଯାୟୀ ପାଖାପାଖି ୩୬୬୨ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହେବାକୁ ଲାଗିଛି । ସେହିପରି ବାଲିଆପାଳ ବ୍ଲକ ଅନ୍ତର୍ଗତ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀର ପ୍ରଭାବରେ ବାଲିଆପାଳ, ଅସ୍ତି,ମଧୁପୁରା,ଦେଭୋଗ, ଯାମକୁଣ୍ଡା ଓ କୁଣ୍ଡଳୀ ଅଞ୍ଚଳର ପାଖାପାଖି ୨୦୦୦ ହେକ୍ଟର ଜମିରେ ଜଳ ମାଡ଼ି ଧାନ ପଚିବାକୁ ଯାଉଛି। ବୁଢ଼ାବଳଙ୍ଗ ବନ୍ୟାରେ ରେମୁଣା ଅଞ୍ଚଳର ହରିପୁର, ବଡ଼ପାଳ, କଲ୍ୟାଣପୁର, ଗଣ୍ଡରଦା ଆଦି ଅଞ୍ଚଳରେ ୩୩ ପ୍ରତିଶତ ପନିପରିବା ଚାଷୀ ପ୍ରଭାବିତ ହୋଇଛନ୍ତି । ସେହିପରି ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର, ରସଲପୁର ଜଳକା ଓ ବୁଢାବଳଙ୍ଗର ପ୍ରଭାବ ଦେଖିବାକୁ ମିଳିବା ସହିତ ବଇଁଚା, ସିନ୍ଧିଆ, କୁରାଡ଼ିହା, ଛାନୁଆ ଆଦି ଅଞ୍ଚଳରେ ପାଖାପାଖି ହଜାରେ ହେକ୍ଟର ଧାନ ଚାଷ ନଷ୍ଟ ହୋଇଛି ।

ଉତ୍ତର ଓଡିଶାରେ ପ୍ରତିବର୍ଷ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଚାଷୀମାନେ ସର୍ବାଧିକ କ୍ଷତି ସହୁଛନ୍ତି । ବାଲେଶ୍ଵର କୃଷିବିଭାଗ ସୂଚନା ଅନୁସାରେ ଜଳମଗ୍ନ ଥିବା ଚାଷଜମି ଖରା ପାଗ ହେଲେ ୮୦ ପ୍ରତିଶତ ପୁନଃରୁଦ୍ଧାର ହୋଇପାରିବ। ଫସଲ ଅମଳ ସମୟରେ ଏହାର ପ୍ରକୃତ କ୍ଷୟକ୍ଷତିର ରିପୋର୍ଟ ଆସି ପାରିବ । ପ୍ରତି ବ୍ଲକ କୃଷି ଅଧିକାରୀମାନେ ନିଜ ନିଜର ବ୍ଲକ ଅଧୀନରେ ଥିବା ଜଳମଗ୍ନ ଥିବା ଚାଷ ଜମିର ରିପୋର୍ଟ ତହସିଲଦାରଙ୍କୁ ଦେବା ପରେ ବାଲେଶ୍ଵର ଜିଲ୍ଲାର କ୍ଷୟକ୍ଷତିର ଆକଳନ କରାଯାଇ ପାରିବ ବୋଲି ଜଣାପଡିଛି । ଗତ ୟସ ବାତ୍ୟା ପ୍ରଭାବରେ ବାଲେଶ୍ଵର ଜିଲ୍ଲାର ପାଖାପାଖି ୩୫୨ ପଞ୍ଚାୟତର ୩୦୫୧ଟି ଗାଁ ପ୍ରଭାବିତ ହୋଇଥିଲା। ବାତ୍ୟା ପରେ ବନ୍ୟାରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ସାରିଥିବା ବେଳେ ସେମାନଙ୍କୁ ଆର୍ଥିକ ସହାୟତା ଓ କ୍ଷତିପୂରଣ ପାଇଁ ଦାବି ହେଉଛି ।

Leave a comment