ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲୋକଙ୍କୁ ଟାଣୁଛି କନ୍ଧମାଳର ପ୍ରାକୃତିକ ସୌନ୍ଦର୍ଯ୍ୟ, ଦାରିଙ୍ଗବାଡ଼ିକୁ ସପ୍ତାହରେ ଆସୁଛନ୍ତି ୩୦ ହଜାର ପର୍ଯ୍ୟଟକ

ଫୁଲବାଣୀ/ଦାରିଙ୍ଗବାଡ଼ି : ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଶନିବାର ଓ ରବିବାର ଭଳି ଛୁଟି ଦିନରେ ଏଠାକୁ ସ୍ଥାନୀୟ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଶୀତୁଆ ପରିବେଶରେ ସମୟ ବିତାଇବାକୁ ପର୍ଯଟକମାନେ ବିକଳ ହେଉଥିବା ଦେଖିବାକୁ ମିଳୁଛି । କନ୍ଧମାଳର ଏହି ବଣପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ବାହାର ରାଜ୍ୟ ଓ ଦେଶ ବାହାରୁ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ବର୍ତ୍ତମାନ ପାଗ ଅନୁକୂଳ ରହିଥିବାରୁ ଜିଲ୍ଲାକୁ ପର୍ଯ୍ୟଟକଙ୍କ ଭିଡ଼ ଛୁଟିଛି । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିର ନେଜର ପାର୍କ, କଫି ବଗିଚା, ଡୁଲୁରୀ ପାଇନ ବଣ, ଲଭର୍ସ ପଏଣ୍ଟ ଆଦି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ସେହିପରି ଜିଲ୍ଲାର ଅନେକ ଅଞ୍ଚଳରେ ଭ୍ରମଣ ଓ ଜଙ୍ଗଲ ସଫାରୀ, ପାହାଡ଼ିଆ ସାଇକେଲିଙ୍ଗ, ମାଉନଣ୍ଟେନିଂକୁ ପର୍ଯ୍ୟଟକମାନେ ଉଭପୋଗ କରୁଛନ୍ତି । ପର୍ଯ୍ୟଟକଙ୍କ ଶହ ଶହ ଗାଡ଼ି ଦାରିଙ୍ଗବାଡ଼ି, ପୁତୁଡ଼ି, ପକଡ଼ାଝର, ବେଲଘର ଅଞ୍ଚଳକୁ ଆସୁଥିବା ଦେଖିବାକୁ ମିଳିଛି । ପୁତୁଡ଼ି, ପକଡ଼ାଝର, କାଟ୍ରାମାଲା ଜଳପ୍ରପାତର ସ୍ୱତନ୍ତ୍ର ଆକର୍ଷଣ ପର୍ଯ୍ୟଟକଙ୍କୁ ସେଠାକୁ ଟାଣି ନେଉଛି । ରାଜ୍ୟର ଓ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୋକ ଆସି ଏଠାରେ ବଣଭୋଜି କରୁଥିବା ଦେଖିବାକୁ ମିଳୁଛି । ସାଲୁଙ୍କି, ପିଲାସାଲୁଙ୍କି, ରାହୁଲ, ଉତେଇ ପ୍ରଭୃତି ନଦୀ ଶଯ୍ୟାରେ ଲୋକ ବଣଭୋଜି କରିବାକୁ ସେଠାରେ ଭିଡ଼ ଜମାଉଛନ୍ତି ।

ଗତ ଦୁଇ ବର୍ଷ ଧରି କୋଭିଡ୍‌ କଟକଣା ଯୋଗୁ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଥିଲା । ହେଲେ ଚଳିତ ବର୍ଷ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ପର୍ଯ୍ୟଟନ ସ୍ଥଳ ଗୁଡ଼ିକୁ ଖୋଲାଯାଇଛି । ତେଣୁ ବର୍ତ୍ତମାନ ଜିଲ୍ଲାରୁ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅଞ୍ଜନକୁମାର ବାରିକ କହିଛନ୍ତି । ଆସନ୍ତା ୩ମାସ ପର୍ଯ୍ୟନ୍ତ ଜିଲ୍ଲାରେ ଏଭଳି ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ କହିଛନ୍ତି । ଦାରିଙ୍ଗବାଡ଼ିକୁ ପ୍ରତି ମାସରେ ୩୦ରୁ ୩୫ ହଜାର ପର୍ଯ୍ୟଟକ ଆସୁଛନ୍ତି । ତେଣୁ ଆସନ୍ତା ଦେଢ଼ ମାସରେ ଜିଲ୍ଲାକୁ ଅଧିକ ପର୍ଯ୍ୟଟକଙ୍କ ଆଗମନର ଆଭାସ ମିଳୁଛି । ତେବେ ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଥାନା ପକ୍ଷରୁ ପାଟ୍ରୋଲିଂ ଜାରି କରାଯାଇଥିବା କନ୍ଧମାଳ ଏସ୍‌ପି ଭିନିତ୍‌ ଅଗ୍ରୱାଲ କହିଛନ୍ତି ।

Leave A Reply

Your email address will not be published.