ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଜାତୀୟ ଶିକ୍ଷା ଦିବସ

ପ୍ରତିବର୍ଷ ନଭେମ୍ବର ୧୧ ତାରିଖକୁ ‘ଜାତୀୟ ଶିକ୍ଷା ଦିବସ’ ଭାବେ ପାଳନ କରାଯାଏ। ଏହିଦିନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ତଥା ଭାରତ ରତ୍ନ ମୌଲାନା ଅବୁଲ କାଲାମ ଆଜାଦଙ୍କ ଜନ୍ମ ଦିବସ। ମୌଲାନା ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍‍ ଓ ଲେଖକ ଥିଲେ। ସେ ୧୮୮୮ ମସିହା ଆଜିର ଦିନରେ ଆରବର ମକ୍କା ସହରରେ ଜନ୍ମଗ୍ରହଣ କରିଥିଲେ। ମୌଲାନା ତାଙ୍କୁ ପ୍ରଦତ୍ତ ଏକ ସମ୍ମାନାସ୍ପଦ ଉପାଧି ଥିଲା। ପରବର୍ତ୍ତୀ ସମୟରେ ସେ ତାଙ୍କ ନାମରେ ଆଜାଦ ଯୋଡ଼ିଥିଲେ ଯାହାର ଅର୍ଥ ମୁକ୍ତି । ୧୫ ଅଗଷ୍ଟ ୧୯୪୭ରୁ ଫେବ୍ରୁଆରୀ ୨, ୧୯୫୮ ପର୍ଯ୍ୟନ୍ତ ସେ ଭାରତର ଶିକ୍ଷା ମନ୍ତ୍ରୀ ଥିଲେ।

ମୌଲାନାଙ୍କ ଅନୁସାରେ, ବିଦ୍ୟାଳୟ ଏପରି ଏକ ପ୍ରୟୋଗଶାଳା, ଯେଉଁଠାରେ ରାଷ୍ଟ୍ରର ଭବିଷ୍ୟତ ପିଢ଼ିଙ୍କ ବିକାଶ ହୋଇଥାଏ। ଭାରତରେ ପ୍ରତିଷ୍ଠିତ ବିଭିନ୍ନ ଆଇଆଇଟିଗୁଡ଼ିକର ଶ୍ରେୟ ତାଙ୍କୁ ଦିଆଯାଏ। ସ୍ୱାଧୀନତା ସଂଗ୍ରାମ ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ। ଶିକ୍ଷାମନ୍ତ୍ରୀ ଥିବା ସମୟରେ ସେ ଜାତୀୟ ଶିକ୍ଷା ନୀତିର ସ୍ଥାପନା କରିଥିଲେ। ପ୍ରାଥମିକ ଶିକ୍ଷାର ଅଗ୍ରଗତି ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା। ୧୯୯୨ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କର ଦୂରଦର୍ଶିତା ପାଇଁ ୧୯୫୩ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ସ୍ଥାପନା ହୋଇପାରିଥିଲା। ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ରୂପରେଖ ଦେବାରେ ତାଙ୍କର ଅବଦାନକୁ ଚିରସ୍ମରଣୀୟ କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୦୮ ମସିହାରୁ ନଭେମ୍ବର ୧୧ ତାରିଖକୁ ‘ଜାତୀୟ ଶିକ୍ଷା ଦିବସ’ ଭାବେ ପାଳନ କରାଯାଇ ଆସୁଛି। ଶିକ୍ଷା ବିଷୟରେ ସଚେତନ କରିବା ତଥା ଲୋକଙ୍କୁ ସାକ୍ଷର କରିବା ଉଦ୍ଦେଶ୍ୟରେ ଏହି ଦିନ ବିଭିନ୍ନ କାର୍ଯ୍ୟକ୍ରମ କରାଯାଏ।

Leave A Reply

Your email address will not be published.