ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୃସିଂହ ଉପାସନା ଓ ବ୍ରତ ପାଳନ ବିଧି

ନୃସିଂହ ଉପାସନାର ଧାରା ବହୁ ପୁରାତନ ଓ ଏଯାବତ୍‍ ନିରବଚ୍ଛିନ୍ନ। ଉପଲବ୍ଧ ଥିବା ବିବଧ ନୃସିଂହ ମୂର୍ତ୍ତି ମୁଖ୍ୟତଃ ଦୁଇ ପ୍ରକାରର- ଉଗ୍ର ଓ ସୌମ୍ୟ। ଉଗ୍ରମୂର୍ତ୍ତି ହିରଣ୍ୟବିଦାରକ ଓ ସୌମ୍ୟମୂର୍ତ୍ତି ଲକ୍ଷ୍ମୀଯୁକ୍ତ। ଶ୍ରୀମଦ୍ଭାଗବତମହାପୁରାଣ(୨/୭/୧୪)ରେ ଅବତାର-ବର୍ଣ୍ଣନା-ଶୃଙ୍ଖଳାରେ ନୃସିଂହଙ୍କ ରୂପ ଓ କୃତି ବର୍ଣ୍ଣନାରେ କୁହାଯାଇଛି ଯେ, ତ୍ରିଲୋକର ବିରାଟଭୟ ଦୂର କରିବା ନିମନ୍ତେ ଭଗବାନ ଆଦିପୁରୁଷ ସ୍ୱୟଂ ନୃସିଂହ ରୂପ ଧାରଣ କରିଥିଲେ। ଏହି ନୃସିଂହ ହେଉଛନ୍ତି ପ୍ରଥମ ଅର୍ଚ୍ଚା-ଅବତାର ଯାହାଙ୍କୁ ଉଭୟ ସ୍ମାର୍ତ୍ତ ଓ ବୈଷ୍ଣବ ମାନନ୍ତି। କାରଣ ପୂର୍ବସଂଭୂତ ଅବତାର ଯଥା- ମତ୍ସ୍ୟ, କୂର୍ମ ଓ ବରାହ ଥିଲେ ନିମିତ୍ତାବତାର। ଆହୁରି ମଧ୍ୟ ପୁରୁଷୋତ୍ତମ ଜଗନ୍ନାଥ ଯେପରି ଦାରୁରେ ଚେତନାର ପରିପ୍ରକାଶକ; ସେହିପରି ନୃସିଂହ ମଧ୍ୟ ସ୍ତମ୍ଭରେ ଚେତନାର ଉଦ୍ଭାସକ। ତେଣୁ ପୁରୁଷୋତ୍ତମଙ୍କ ଠାରେ ନୃସିଂହତତ୍ତ୍ୱର ସଂଯୋଗରେ ଦାରୁବ୍ରହ୍ମ ଓ ସ୍ତମ୍ଭବ୍ରହ୍ମଙ୍କ ସମନ୍ୱୟରେ ଶାସ୍ତ୍ରୀୟଚିନ୍ତନରେ ଶ୍ରୀଜଗନ୍ନାଥଙ୍କୁ ପୁରୁଷୋତ୍ତମ-ନୃସିଂହ କୁହାଯାଇଛି।

ସିଂହଙ୍କ ଆବିର୍ଭାବର ତିଥି-ବାର-ନକ୍ଷତ୍ରାଦି ସମ୍ପର୍କରେ ରହିଛି ଅନେକଗୁଡିଏ ଶାସ୍ତ୍ରୀୟ ତର୍କଣା। ତନ୍ମଧ୍ୟରେ ସର୍ବଭାରତୀୟସ୍ତରରେ ଆଦୃତ ଶ୍ରୀ କମଳାକର ଭଟ୍ଟ କୃତ ଧର୍ମଶାସ୍ତ୍ର ‘ନିର୍ଣ୍ଣୟସିନ୍ଧୁ’(୨ୟ ପରିଚ୍ଛେଦ /୧୫୮ପୃଷ୍ଠା) ରେ ନୃସିଂହ ଜନ୍ମ ସମ୍ବନ୍ଧରେ ଉଲ୍ଲେଖ ରହିଛି-
ବୈଶାଖେ ଶୁକ୍ଳପକ୍ଷେ ତୁ ଚତୁର୍ଦଶ୍ୟାଂ ନିଶାମୁଖେ। ମଜ୍ଜନ୍ମସମ୍ଭବଂ ପୁଣ୍ୟଂ ବ୍ରତଂ ପାପପ୍ରଣାଶନମ୍‍।।
ସ୍ୱାତୀନକ୍ଷତ୍ରଯୋଗେ ଚ ଶନିବାରେ ତୁ ମଦ୍‍ବ୍ରତମ୍‍। ସିଦ୍ଧଯୋଗସ୍ୟ ସଂଯୋଗେ ବାଣିଜ୍ୟକରଣେ ତଥା।।
ବୈଶାଖସ୍ୟ ଚତୁର୍ଦଶ୍ୟାଂ ସୋମବାରେଽନିଳର୍କ୍ଷକେ। ଅବତାରୋ ନୃସିଂହସ୍ୟ ପ୍ରଦୋଷସମୟେ ଦ୍ୱିଜାଃ।।

ଅଧିକ ପଢନ୍ତୁ

ଏଠାରେ ବୈଶାଖମାସ ଶୁକ୍ଳପକ୍ଷ ଚତୁର୍ଦଶୀ ସ୍ୱାତୀ ନକ୍ଷତ୍ରଯୁକ୍ତ ଶନିବାର/ ସୋମବାର ସନ୍ଧ୍ୟାରେ ନୃସିଂହଙ୍କ ଜନ୍ମ ତିଥି ଉଲ୍ଲିଖିତ। ସେହିପରି ଆଠମଲ୍ଲିକର ରାଜା କିଶୋରଚନ୍ଦ୍ର ଦେବଙ୍କ ଦ୍ୱାରା ସଂକଳିତ ଉତ୍କଳପ୍ରସିଦ୍ଧ ‘ପଣ୍ଡିତସର୍ବସ୍ୱ’(୪ର୍ଥ ପ୍ରଭା /୯୬ପୃଷ୍ଠା)ର ଉଲ୍ଲେଖ ପ୍ରକାରେ-

ଶୁକ୍ଳପକ୍ଷେ ଚତୁର୍ଦଶ୍ୟାଂ ମାସି ମାଧବସଂଜ୍ଞିେତ। ପ୍ରାଦୁର୍ଭୂତୋ ନୃପଞ୍ଚାସ୍ୟସ୍ତସ୍ମାତ୍ତାଂ ସମୁପୋଷୟେତ୍‍।।
ଅନଙ୍ଗେନ ସମାଯୁକ୍ତା ନ ସୋପୋଷ୍ୟା ଚତୁର୍ଦଶୀ। ପୂର୍ଣ୍ଣାଯୁକ୍ତାଂ ତୁ ତାଂ କୁର୍ଯ୍ୟାନ୍ନରସିଂହସ୍ୟ ତୁଷ୍ଟୟେ।।

ଏଥିସହିତ ପଢ଼ନ୍ତୁ

ଏହି ଗ୍ରନ୍ଥମତରେ ବୈଶାଖମାସ ଶୁକ୍ଳପକ୍ଷ ଚତୁର୍ଦଶୀରେ ନରହରିଙ୍କ ଜନ୍ମ ହୋଇଥିଲା। କିନ୍ତୁ ଯଦି ଚତୁର୍ଦଶୀର ସାୟଂକାଳ ତ୍ରୟୋଦଶୀଯୁକ୍ତ ବା ପୂର୍ଣ୍ଣିମାଯୁକ୍ତ ହୋଇଥାଏ; ସେ କ୍ଷେତ୍ରରେ କେବଳ ପୂର୍ଣ୍ଣିମାଯୁକ୍ତ ଚତୁର୍ଦଶୀ ହିଁ ବ୍ରତପାଳନ ପାଇଁ ପ୍ରଶସ୍ତ। ପୁନଶ୍ଚ ଶ୍ରୀଳ ସନାତନ ଗୋସ୍ୱାମୀଙ୍କ ଦ୍ୱାରା ପ୍ରଣୀତ ବୈଷ୍ଣବମାନଙ୍କ ଆଚରଣୀୟ ମହାଗ୍ରନ୍ଥ ହରିଭକ୍ତିବିଳାସଃ’(୧୪ଶ ବିଳାସ /୪୦୪-୪୧୭)ରେ ନୃସିଂହଜନ୍ମର ତିଥି ସହ ବ୍ରତପାଳନର ବିଧି ସବିସ୍ତର ବର୍ଣ୍ଣିତ ହୋଇଛି। ଏହି ଗ୍ରନ୍ଥ ମତରେ ନୃସିଂହଙ୍କ ଜନ୍ମ ତିଥି-

ବୈଶାଖସ୍ୟ ଚତୁର୍ଦଶ୍ୟାଂ ଶୁକ୍ଳାୟାଂ ଶ୍ରୀନୃକେଶରୀ। ଜାତସ୍ତଦସ୍ୟାଂ ତତ୍‍ପୂଜୋତ୍ସବଂ କୁର୍ବୀତ ସବ୍ରତମ୍‍।।
ପ୍ରିୟା ଚତୁର୍ଦଶୀ ଭୌମେ କର୍ତ୍ତବ୍ୟା କିଳ୍ୱିଷାପହା। କାମବିଦ୍ଧା ନ କର୍ତ୍ତବ୍ୟା ସ୍ୱାତୀଭୌମଯୁତା ଯଦି।।

ଏହି ମତରେ ବୈଶାଖ-ଶୁକ୍ଳପକ୍ଷ-ସ୍ୱାତୀ ନକ୍ଷତ୍ରଯୁକ୍ତା ଚତୁର୍ଦଶୀ ମଙ୍ଗଳବାର ସଂଧ୍ୟାରେ ନୃସିଂହ ଜନ୍ମ ହୋଇଥିଲେ। ଆହୁରି ମଧ୍ୟ ସ୍କନ୍ଦପୁରାଣ ବୈଷ୍ଣବଖଣ୍ଡ (୧୬/୬୨)ମତରେ- “ବୈଶାଖସ୍ୟ ଚତୁର୍ଦଶ୍ୟାଂ ସୌରିବାରେଽନିଳର୍କ୍ଷକେ। ଆଦ୍ୟାବତାରଃ ସିଂହସ୍ୟ ପ୍ରଦୋଷସମୟେ ଦ୍ୱିଜାଃ।।” ଅର୍ଥାତ୍‍ – ବୈଶାଖ ଶୁକ୍ଳ ଚତୁର୍ଦଶୀ ସ୍ୱାତୀ ନକ୍ଷତ୍ରଯୁକ୍ତ ଶନିବାର ସଂଧ୍ୟା ସମୟରେ ନରସିଂହ ଆବିର୍ଭୂତ ହୋଇଥିଲେ। ତେଣୁ ମାସ(ବୈଶାଖ)-ପକ୍ଷ(ଶୁକ୍ଳ)-ତିଥି(ଚତୁର୍ଦଶୀ)-ବାର(ସୋମ/ମଙ୍ଗଳ/ଶନି)-ନକ୍ଷତ୍ର(ସ୍ୱାତୀ)-ବେଳା (ପ୍ରଦୋଷ ବା ସନ୍ଧ୍ୟା)ଆଦିର ପ୍ରକୃଷ୍ଟ-ସଂଯୋଗରେ ଷଟ୍‍ପାଦଯୋଗରେ ପଡୁଥିବା ନୃସିଂହ ଜୟନ୍ତୀର ମହତ୍ତ୍ୱ ଅଧିକ ପୁଣ୍ୟମୟ।

ବ୍ରତ ପାଳନ ବିଧି : ନୃସିଂହ ଚତୁର୍ଦଶୀ ବ୍ରତ ପାଳନର ବିଧି ଭଗବାନ୍‍ ନୃସିଂହଙ୍କର ଜୟନ୍ତୀ ସନାତନ ପରମ୍ପରାର ଧର୍ମୀୟଭାବନାରେ ଷଟ୍‍ଜୟନ୍ତୀ ଅନ୍ତର୍ଗତ ଏକ ମହୋତ୍ସବ। ଏଥିରେ ସବିଧି ବ୍ରତ ପାଳନୀୟ ବୋଲି ‘ଶ୍ରୀହରିଭକ୍ତିବିଳାସ’ଗ୍ରନ୍ଥରେ ଉଲ୍ଲେଖ ରହିଛି।
ଏହି ବ୍ରତପାଳନରେ ସ୍ତ୍ରୀ-ପୁରୁଷର ଲିଙ୍ଗଗତ ଭେଦ ନାହିଁ।

  • ବ୍ରତଦିନ ପ୍ରଭାତରୁ ଉଠି ନିତ୍ୟକର୍ମ ସମ୍ପାଦନ ପରେ ବ୍ରତସଂକଳ୍ପ କରଣୀୟ।
  • ଏହି ବ୍ରତଦିନ ବ୍ରତପାଳକ ମିଥ୍ୟାଭାଷଣ, ପାପିସଂସର୍ଗ, ଦ୍ୟୂତକ୍ରୀଡା ଆଦି କରିବା ନିଷିଦ୍ଧ।
  • ମଧ୍ୟାହ୍ନ ସମୟରେ ନିକଟସ୍ଥ ଜଳାଶୟରେ ପୁନଃ ସ୍ନାନ କରଣୀୟ।
  • ତତ୍ପରେ ଘରେ ଗୋମୟଲିପ୍ତ ପବିତ୍ରଭୂମିରେ ଅଷ୍ଟଦଳପଦ୍ମ ଅଙ୍କନ କରି ତଦୁପରି ତାମ୍ରକୁମ୍ଭ ଓ ତଦୂର୍ଦ୍ଧ୍ବରେ ଅକ୍ଷତପୂର୍ଣ୍ଣପାତ୍ର ରଖି ତହିଁରେ ଲକ୍ଷ୍ମୀନୃସିଂହଙ୍କ ପ୍ରତିମା (ବିଶେଷରେ ସୁବର୍ଣ୍ଣପ୍ରତିମା। ଅନ୍ୟଥା ପିତ୍ତଳମୂର୍ତ୍ତି ବା ମୃଣ୍ମୟମୂର୍ତ୍ତି)ସ୍ଥାପନ କରି ପଞ୍ଚାମୃତରେ ସ୍ନାନ କରାଇବା ବିଧେୟ।
  • ଏହାପରେ ପ୍ରକୃଷ୍ଟ ମନ୍ତ୍ର-ଉଚ୍ଚାରଣପୂର୍ବକ ଷୋଡ଼ଶୋପଚାର ପୂଜା କରଣୀୟା।
  • ସଂଧ୍ୟା ପର୍ଯ୍ୟନ୍ତ ଉପବାସ କରଣୀୟ। ‘ହରିଭକ୍ତିବିଳାସ’ ଗ୍ରନ୍ଥରେ ପ୍ରଦତ୍ତ ନୃସିଂହ ବ୍ରତକଥା ପଠନୀୟା ଓ ପୂଜା ବଢ଼ିବାପରେ ସାତ୍ତ୍ୱିକ ଜଳପାନର ବିଧି ପାଳନୀୟ।
  • ନୃସିଂହଙ୍କ ପ୍ରସିଦ୍ଧ ମନ୍ତ୍ର ଓ ସ୍ତୋତ୍ର: ଲକ୍ଷ୍ମଣଦେଶିକେନ୍ଦ୍ରବିରଚିତ ସୁପ୍ରସିଦ୍ଧ ତନ୍ତ୍ରଗ୍ରନ୍ଥ ‘ଶାରଦାତିଳକତନ୍ତ୍ରମ୍‍’ର ଷୋଡଶପଟଳରେ ନୃସିଂହ-ଉପାସନାର କଲ୍ୟାଣକାରୀ ମନ୍ତ୍ରସମୂହର ବିଶଦ ଉଲ୍ଲେଖ ରହିଛି।

ସେହିପରି ନୃସିଂହତାପିନ୍ୟୁପନିଷଦ୍‍ରେ ମଧ୍ୟ ଏହିପରି ମନ୍ତ୍ରଚର୍ଚ୍ଚା ରହିଛି। ସେଥିରୁ ପ୍ରଧାନ ଓ ପ୍ରକୃଷ୍ଟ ମନ୍ତ୍ର ହେଉଛନ୍ତି ୩୨ ଅକ୍ଷରଯୁକ୍ତ ନୃସିଂହ ମନ୍ତ୍ରରାଜ ମନ୍ତ୍ର- “ଉଗ୍ରଂ ବୀରଂ ମହାବିଷ୍ଣୁଂ ଜ୍ୱଳନ୍ତଂସର୍ବତୋମୁଖମ୍‍। ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୋର୍ମୃତ୍ୟୁଂ ନମାମ୍ୟହମ୍‍।।” ଏହି ମନ୍ତ୍ରରାଜରେ ବ୍ରହ୍ମା ଋଷି, ଅନୁଷ୍ଟୁପ୍‍ ଛନ୍ଦଃ, ନୃସିଂହଦେବତା। ଏହି ମନ୍ତ୍ରକୁ କେହି କେହି ଅଭୟ ନୃସିଂହମନ୍ତ୍ର ବୋଲି ମଧ୍ୟ କହିଥାନ୍ତି। ସେହିପରି ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଜନ୍ମିତ ପୀତାମ୍ବର ଦାଶ ଓଡିଆ ଭାଷାରେ ରଚନା କରିଥିବା ‘ନୃସିଂହପୁରାଣ’ ବ୍ରତଧାରୀଙ୍କ ପାଇଁ ଏକ ଅନବଦ୍ୟ ଗ୍ରନ୍ଥ। ସେହି ମହାପ୍ରଭୁ ନୃସିଂହଙ୍କୁ ଶତକୋଟି ପ୍ରଣାମ।

Leave A Reply

Your email address will not be published.