ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ ବିଶ୍ବର ସର୍ବବୃହତ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ କଣ ରହିଛି ଅତ୍ୟାଧୁନିକ ସୁବିଧା…

ଅହମଦାବାଦ : ଗୁଜୁରାଟର ଅହମଦାବାଦରେ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମକୁ ବୁଧବାର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଉଦଘାଟନ କରିଛନ୍ତି। ଏହି ଅବସରରେ ମୋଟେରା ନାମରେ ପରିଚିତ ଏହି ଷ୍ଟାଡିୟମକୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ କରାଯାଇଛି। ଆଜି ଏହି ଷ୍ଟାଡିୟମରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଉଛି।୬୩ ଏକର ଜମି ଉପରେ ପର୍ଯ୍ୟବେଷିତ ଏହି ଷ୍ଟାଡିୟମରେ ଏକକାଳୀନ ଲକ୍ଷେ ୧୦ ହଜାର ଲୋକ ବସିପାରିବାର କ୍ଷମତା ରହିଛି। ୮୦୦ କୋଟି ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମରେ ସମସ୍ତ ଅତ୍ୟାଧୁନିକ ସୁବିଧାମାନ ରହିଛି । ଖେଳାଳିମାନଙ୍କ ପାଇଁ ଏହି ଷ୍ଟାଡିୟମରେ ପଞ୍ଚ ତାରକା ହୋଟେଲ ଭଳି ସୁବିଧା ରହିଛି। ତେବେ ଆସନ୍ତୁ ଜାଣିବା ବିଶ୍ବର ସର୍ବବୃହତ ଏହି ଷ୍ଟାଡିୟମରେ କଣ ରହିଛି ସୁବିଧା….

୧୯୮୨ ମହିହାରେ ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ ଦ୍ୱାରା ନିର୍ମିତ ହୋଇଥିଲା ମୋଟେରା ଷ୍ଟାଡିୟମ। ପ୍ରଥମେ ଏହି ଷ୍ଟାଡିୟମରେ ୫୩ ହଜାର ଦର୍ଶକ ବସିବାର କ୍ଷମତା ଥିଲା। ଏହାକୁ ୨୦୦୬ରେ ନବୀକରଣ କରାଯାଇଥିଲା। ଏହାପରେ ଯେତେବେଳେ ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ କ୍ରିକେଟ୍ ଆସୋସିଏସନର ସଭାପତି ଥିଲେ ସତେବେଳେ ଏପରି ଷ୍ଟାଡିୟମ ତିଆରି କରିବାର ପରିକଳ୍ପନା କରିଥିଲେ। ଯାହା ପରେ ୨୦୧୫ରେ ମୋଟେରା ଷ୍ଟାଡିୟମକୁ ସମ୍ପୁର୍ଣ୍ଣ ଭାଙ୍ଗି ଦିଆଯାଇଥିଲା ଏବଂ ୨୦୧୭ରେ ପୁର୍ନଃନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଯାହା ୨୦୨୦ ମସିହାରେ ସମ୍ପୁର୍ଣ୍ଣ ହୋଇଥିଲା।

ଏହି ଐତିହାସିକ ଷ୍ଟାଡିୟମ ନିର୍ମାଣ ପାଇଁ ତିନୋଟି କମ୍ପାନୀ ନିଲାମରେ ସାମିଲ ହୋଇଥିଲେ। ତେବେ ପାଖାପାଖି ୮ଶହ କୋଟି ଟଙ୍କାରେ ଲାର୍ସନ୍‌ ଓ ଟର୍ବୋ ଏହାର ନିର୍ମାଣ ଦାୟିତ୍ୱ ପାଇଥିଲା। ଏହି ଷ୍ଟାଡିୟମ ଅଲିମ୍ପିକ୍ ଆକାରର ୩୨ଟି ଫୁଟବଲ୍ ପଡ଼ିଆକୁ ଗିଳିବାର  କ୍ଷମତା ରଖିଛି। ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡକୁ ତିଆରି କରିଥିବା ଅଷ୍ଟ୍ରେଲୀୟ ପ୍ରସିଦ୍ଧ ସ୍ଥପତି ପୋପୁଲସ୍ ଏହାର ଡିଜାଇନ୍ କରିଛନ୍ତି। ତେବେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ ପରି ଏଠାରେ କୌଣସି ସ୍ତମ୍ଭର ବ୍ୟବହାର କରାଯାଇ ନାହିଁ। । ୬୩ ଏକର ଜମିରେ ନିର୍ମିତ ଏହି ଷ୍ଟାଡିୟମର ବିଶେଷତ୍ୱ ହେଉଛି ଏଥିରେ ଚାରୋଟି ଡ୍ରେସିଂ ରୁମ୍, ଗୋଟିଏ ଅଲିମ୍ପିକ୍ ସାଇଜ୍ ସୁଇମିଂ ପୁଲ୍, ୭୬ଟି କର୍ପୋରେଟ୍ ବକ୍ସ ଅଛି। ପ୍ରତି କର୍ପୋରେଟ୍ ବକ୍ସରେ ଅତି କମରେ ୨୫ ଜଣ ବସି ମ୍ୟାଚ୍ ଉପଭୋଗ କରିପାରିବେ। ଷ୍ଟାଡିୟମରେ ଥିବା ସମସ୍ତ ୭୬ଟି ଯାକ କର୍ପୋରେଟ୍ ବକ୍ସକୁ ୨୫ ବର୍ଷ ପାଇଁ ୨.୫ କୋଟି ଟଙ୍କା ଦରରେ ଲିଜ୍ ଦିଆଯାଇଛି।

 

ଏହାବାଦ ଏଠାରେ ଗୋଟିଏ ଇନଡୋର କ୍ରିକେଟ୍ ଏକାଡେମୀ, ବ୍ୟାଡମିଣ୍ଟନ୍, ଟେନିସ୍ କୋଟ, ସ୍କ୍ୱାସ୍, ଟେବୁଲ୍ ଟେନିସ୍, ତିନୋଟି ଅଭ୍ୟାସ ପଡ଼ିଆ,ଆଥଲେଟଙ୍କ ପାଇଁ ୪ଟି ଡ୍ରେସିଂ ରୁମ୍, ଫୁଡ୍ କୋର୍ଟ,ଅଲମ୍ପିକ ଲେଭଲ ସୁଇମ୍ପିଙ୍ଗ ପୁଲ୍  ଓ ଗୁଜୁରାଟ କ୍ରିକେଟ ଆସୋସିଏସନ୍ କ୍ଲବ ହାଉସ  ଓ ୫୦ଟି ରୁମ୍ ଅଛି।

ଷ୍ଟାଡିୟମରେ ମୋଟ ୧୧ ଟି ମାଟି ପିଚ୍ ରହିଛି। ସେଥିରେ ୬ ଟି ନାଲି ଏବଂ ୫ ଟି କଳା ମାଟିରେ ପ୍ରସ୍ତୁତ କରାଯାଇଛି । ମୁଖ୍ୟ ଏବଂ ଅଭ୍ୟାସ ପିଚ୍ ପାଇଁ ଉଭୟ ରଙ୍ଗୀନ ମାଟି ବ୍ୟବହାର କରିବାରେ ଏହା ପ୍ରଥମ ଷ୍ଟାଡିୟମ। ଏହାର ଡ୍ରେନେଜ୍ ବ୍ୟବସ୍ଥା ଏତେ ଭଲ ଯେ ମାତ୍ର ୩୦ ମିନିଟ୍ ମଧ୍ୟରେ ଏଠାରୁ ବର୍ଷା ଜଳ ନିଷ୍କାସନ କରାଯାଇ ପାରିବ ।ଷ୍ଟାଡିୟମରେ ଅତ୍ୟାଧୁନିକ ଏଲଇଡି ଫ୍ଲୋଡ୍ ଲାଇଟର ସୁବିଧା ରହିଛି। ଯାହା ବାୟୁମଣ୍ଡଳକୁ ଗରମ କରିବ ନାହିଁ ଏବଂ ଦର୍ଶକ ତଥା କ୍ରିକେଟରଙ୍କୁ ଆରାମ ପ୍ରଦାନ କରିବ। ଏହି ଷ୍ଟାଡିୟମର ଏକ ଅଭିନବ ବୈଶିଷ୍ଟ୍ୟ ହେଉଛି ୯ ଡିଗ୍ରୀ ଉଚ୍ଚତାରେ ୩୬୦ ଡିଗ୍ରୀ ପୋଡିୟମ୍ କନ୍ସୋର୍ସ ଦର୍ଶକଙ୍କୁ ଆରାମ ପ୍ରଦାନ କରିବ। ଏବଂ ସମସ୍ତ ଦର୍ଶକଙ୍କୁ ସମାନ ଦୃଶ୍ୟ ପ୍ରଦାନ କରିବ।

ଡିଜାଇନ୍ ହୋଇଥିବା କର୍ପୋରେଟ୍ ବାକ୍ସଗୁଡ଼ିକର ପ୍ରତ୍ୟେକଟିରେ ୨୫ ଜଣ ବସିବାର କ୍ଷମତା ଅଛି । ୧୫୦ ଟନ୍ ଏୟାର-କୁଲିଂ ଟାୱାର ଷ୍ଟାଡିୟମରେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିଣ କରିବ। ଖେଳିବାକୁ ଆସିଥିବା ଉଭୟ ଦଳ ପାଇଁ ବିରାଟ ଡ୍ରେସିଂ ରୁମର ବ୍ୟବସ୍ଥା କରାଯାଇଛି । ଏହାସହ ଅଲଗା ଅତ୍ୟାଧୁନିକ ଜିମ୍ ମଧ୍ୟ ସ୍ଥାପନ କରାଯାଇଛି।

ଖେଳାଳି ଏବଂ ଭିଭିଆଇପି ପ୍ରବେଶ ଦ୍ୱାର ନିକଟରେ ଏକ ସ୍ବତନ୍ତ୍ର ଲନ୍‌ ନିର୍ମାଣ କରାଯାଇଛି । ଷ୍ଟାଡିୟମରେ ଅଟୋଗ୍ରାଫ୍ ଗ୍ୟାଲେରୀରେ ଏପର୍ୟ୍ୟନ୍ତ ଖେଳାଯାଇଥିବା ଆଇପିଏଲ୍ ଏବଂ ବିଶ୍ବ କପ୍ ମ୍ୟାଚ୍ ଦଳର ଖେଳାଳିଙ୍କ ଅଟୋଗ୍ରାଫ୍ ବ୍ୟାଟ୍ ସଂଗ୍ରହ ଆକର୍ଷଣର କେନ୍ଦ୍ର ପାଲଟିଛି । ବିଶ୍ବ ପ୍ରସିଦ୍ଧ କ୍ରିକେଟରଙ୍କ ଫଟୋଗ୍ରାଫ୍ ବିଶିଷ୍ଟ “ହଲ୍ ଅଫ୍ ଫେମ” ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବ।

Leave A Reply

Your email address will not be published.