ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇସ୍ରୋ ବୈଜ୍ଞାନିକ ନମ୍ବି ନାରାୟଣନଙ୍କ ଗିରଫ ଥିଲା ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର, ଫସାଇଥିଲା ଆମେରିକା ଗୁଇନ୍ଦା ଏଜେନ୍ସି ସିଆଇଏ

କୋଚି : ନବେ ଦଶକର ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ର ଗୁପ୍ତଚର ମାମଲା ଏକ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ଥିଲା। ବୈଜ୍ଞାନିକ ସୂଚନା ଲିକ୍‌ ହେବାର ଖବର କାଳ୍ପନିକ ଥିଲା। ଏହି ମାମଲାରେ ବୈଜ୍ଞାନିକ ନମ୍ବି ନାରାୟଣନଙ୍କୁ ବେଆଇନ ଭାବେ ଗିରଫ କରାଯାଇଥିଲା। ୧୯୯୪ର ଏହି ଗୁପ୍ତଚର ମାମଲାରେ ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନକୁ ବିରୋଧ କରି ସିବିଆଇ ଶୁକ୍ରବାର କେରଳ ହାଇକୋର୍ଟରେ ଏହି ତଥ୍ୟ ଉପସ୍ଥାପନ କରିଛି।

ସୂଚନା ଅନୁଯାୟୀ ଏହି ଗୁପ୍ତଚର ମାମଲା ସମୟରେ ନମ୍ବି ନାରାୟଣନ ଇସ୍ରୋର ଲିକ୍ବିଡ ପ୍ରୋପେଲାଣ୍ଟ ଇଞ୍ଜିନର ବୈଜ୍ଞାନିକ ଥିଲେ। ତାଙ୍କୁ ଏଥିରେ ଫସା ଯାଇଥିଲା। ସିବିଆଇ ହାଇକୋର୍ଟରେ କହିଛି ଯେ ନମ୍ବି ନାରାୟଣନଙ୍କ ଗିରଫ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲା। ଏହି ଦାବିର ସମର୍ଥନରେ ମଙ୍ଗଳବାର କେସ୍‌ ଡାଏରୀ ଦାଖଲ କରାଯିବ। ଏହି ମାମଲାରେ ଅଭିଯୁକ୍ତଙ୍କୁ ଜେରା କରାଯିବାର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ସେମାନଙ୍କୁ ଆଗୁଆ ଜାମିନ ଦିଆଯାଇପାରିବ ନାହିଁ।

ସୂଚନାଯୋଗ୍ୟ ଯେ ୧୯୯୪ରେ ନମ୍ବି ନାରାୟଣନ କ୍ରାୟୋଜନିକ ଇଞ୍ଜିନର ଜ୍ଞାନକୌଶଳକୁ ମାଳଦ୍ବୀପର ଜଣେ ନାଗରିକ ରସିଦାଙ୍କ ମାଧ୍ୟମରେ ପାକିସ୍ତାନକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ କେରଳ ପୁଲିସ ନମ୍ବି ନାରାୟଣନଙ୍କ ସହିତ ଇସ୍ରୋର ପୂର୍ବତନ ଉପ-ନିର୍ଦ୍ଦେଶକ ଡି ଶଶିକୁମାରନ ଏବଂ ରସିଦାଙ୍କ ମାଳଦ୍ବୀପ ବନ୍ଧୁ ଫୌଜିଆ ହସନଙ୍କୁ ଗିରଫ କରାଯାଇଥିଲା। ଗିରଫ ସମୟରେ ନାରାୟଣନ କ୍ରାୟୋଜନିକ ଇଞ୍ଜିନର ପ୍ରକଳ୍ପ ନିର୍ଦ୍ଦେଶକ ଥିଲେ। ତେବେ ଯାଞ୍ଚ ପରେ ନମ୍ବି ନିର୍ଦୋଷ ଥିବା ଜଣାପଡ଼ିଥିଲା। ପରେ ସୁପ୍ରିମକୋର୍ଟ ୧୯୯୮ରେ ତାଙ୍କୁ ଜେଲ୍‌ରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ବେ ତାଙ୍କୁ ଆହୁରି ୫୦ ଦିନ ପର୍ଯ୍ୟନ୍ତ ଜେଲ୍‌ରେ ରଖା ଯାଇଥିଲା।

ଏହି ମାମଲାକୁ ନେଇ ନମ୍ବି ନାରାୟଣନ ଏକ ପୁସ୍ତକ ଲେଖିଛନ୍ତି। ଭାରତର ମହାକାଶ କାର୍ଯ୍ୟକ୍ରମକୁ ରୋକିବା ପାଇଁ ଆମେରିକା ଗୁଇନ୍ଦା ଏଜେନ୍ସି ସିଆଇଏ ଏହି ଷଡ଼ଯନ୍ତ୍ର ରଚିଥିଲା ଏବଂ ଫସାଇ ଥିଲା ବୋଲି ସେ ପୁସ୍ତକରେ ଦାବି କରିଛନ୍ତି। ଇସ୍ରୋ ଗୁପ୍ତଚର ମାମଲାରେ ନମ୍ବି ନାରାୟଣ ଫସିଥିବା ସମୟରେ କେରଳରେ କଂଗ୍ରେସ ସରକାର ଥିଲା। ନମ୍ବି ନାରାୟଣଙ୍କ ବେଆଇନ ଗିରଫରେ କେରଳର ସରକାରର ପୂର୍ବତନ ବଡ଼ ଅଧିକାରୀ ସାମିଲ ଥିଲେ ବୋଲି ସିବିଆଇ ତଦନ୍ତରୁ ଜଣାପଡିଛି।

ଏହି ମାମଲାରେ କେରଳର ପୂର୍ବତନ ଡିଜିପି ସିବି ମାଥ୍ୟୁସ୍‌, ୨ ଜଣ ଅବସରପ୍ରାପ୍ତ ଏସ୍‌ପି କେକେ ଜୋସୁଆ ଏବଂ ଏସ୍‌ ବିଜୟନ ଅଭିଯୁକ୍ତ ଅଛନ୍ତି। ଏହା ମଧ୍ୟରେ ନମ୍ବି ନାରାୟଣଙ୍କ ଜୀବନୀକୁ ନେଇ ଏକ ଚଳଚ୍ଚିତ୍ର ‘ରକେଟ୍ରି: ଦ ନମ୍ବି ଇଫେକ୍ଟ’ ମୁକ୍ତିଲାଭ କରିସାରିଛି। ଅଭିନେତା ଆର୍‌ ମାଧବାନ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ସହିତ ଅଭିନୟ ମଧ୍ୟ କରିଛନ୍ତି।

Leave A Reply

Your email address will not be published.