୨୦୦ ଟଙ୍କା ପାଇଁ ହତ୍ୟା; ପ୍ରତ୍ୟକ୍ଷଦର୍ଶୀଙ୍କୁ ୪୦ ହଜାର

କାକିରିଗୁମ୍ମା : କୋରାପୁଟ ଜିଲ୍ଲାର କାକିରିଗୁମ୍ମା ଥାନା ଅଧୀନ ଲଛମଣି ଗ୍ରାମରେ କେବଳ ୨୦୦ ଟଙ୍କା ପାଇଁ ଜଣଙ୍କୁ ହତ୍ୟା କରାଯାଇଛି। ତା’ ପରେ ଘଟଣାରେ ନିରବ ରହିବା ପାଇଁ ମୃତକଙ୍କ ପୁଅକୁ ଅଭିଯୁକ୍ତ ୪୦ହଜାର ଟଙ୍କା ଯାଚିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଏନେଇ କାକିରିଗୁମ୍ମା ଥାନାରେ ଏତଲା ଦିଆଯାଇଛି। ସୂଚନାନୁଯାୟୀ, ଲଛମଣି ଗ୍ରାମର ନିସ୍ତୁ ଜାମ୍ବେକାଙ୍କ ବାପା ସଦା ଜାମ୍ବେକାଙ୍କ ୨୧ ତାରିଖ ଅପରାହ୍ନରେ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ସ୍ୱାଭାବିକ  ମୃତ୍ୟୁ ଭାବି ଗ୍ରାମବାସୀଙ୍କ ଉପସ୍ଥିତିରେ ୨୨ ତାରିଖ ପୂର୍ବାହ୍ନରେ ସ୍ଥାନୀୟ ଶ୍ମଶାନରେ ଶବ ସତ୍କାର କରିଥିଲେ। ଶନିବାର ପୂର୍ବାହ୍ନରେ ଗ୍ରାମର ବିଦ୍ୟା ସାଉଁନ୍ତା ମୃତକଙ୍କ ପୁଅ ନିସ୍ତୁ ଜାମ୍ବେକା ଘରକୁ ଯାଇ ତାଙ୍କ ବାପାଙ୍କ ମୃତ୍ୟୁର କାରଣ ବଖାଣିବା ସହ କଥା ପ୍ରଘଟ ନ କରିବାକୁ ୪୦ ହଜାର ଟଙ୍କା ଯାଚିବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା।

ଅଭିଯୁକ୍ତ ବିଦ୍ୟାଙ୍କ କହିବାନୁଯାୟୀ, ବିଦ୍ୟା ଦୁଇଟି କାଠଗଣ୍ଡି ଦେବା ନିମନ୍ତେ ସଦା ଜାମ୍ବେକାକୁ କିଛିଦିନ ପୂର୍ବରୁ ୨୦୦ ଟଙ୍କା ଦେଇଥିଲା। ବହୁଦିନ ଧରି କାଠଗଣ୍ଡି ନ ଦେବାରୁ ସେ ଉତ୍ତ୍ୟକ୍ତ ହୋଇ ସଦାକୁ ଗାଁ ମୁଣ୍ଡରେ ପ୍ରବଳ ପିଟିଥିଲେ। ବିଦ୍ୟାର ମାଡ଼ରେ ସଦାଙ୍କ ମୃତ୍ୟୁ ହୋଇଥିବା ଓ ସେ ତା ବାପାକୁ ପିଟିବା ବେଳେ ଗ୍ରାମର କେତେକ ମହିଳା ଦେଖିଥିବାରୁ ଭୟଭୀତ ହୋଇ ପୁଅ ନିସ୍ତୁକୁ ସତକଥା କହିବା ସହ ଏଭଳି ଭୁଲ ପାଇଁ ୪୦ ହଜାର ଟଙ୍କା ଯାଚିଥିବା କହିଥିଲା । କଥା ଆଉ କେଉଁଠି ପ୍ରଘଟ ନକରି ଟଙ୍କା ନେଇ ଚୁପ୍ ରହିବାକୁ ବିଦ୍ୟା ସାଉଁନ୍ତା ମୃତ ସଦା ଜାମ୍ବେକାଙ୍କ ପୁଅ ନିସ୍ତୁଙ୍କୁ କହିଥିଲେ। ହେଲେ ନିସ୍ତୁ ଟଙ୍କା ନ ନେଇ  ଗ୍ରାମବାସୀଙ୍କ ଦ୍ବାରା ଏକ ବୈଠକ କରି ଘଟଣା ସମ୍ପର୍କରେ ଜଣାଇବା ପରେ ବିଦ୍ୟା ବିରୁଦ୍ଧରେ ଥାନାରେ ଏତଲା ଦେବାକୁ ନିଷ୍ପତ୍ତି ହୋଇଥିଲା। ଗ୍ରାମବାସୀଙ୍କ ପରାମର୍ଶକ୍ରମେ ନିସ୍ତୁ ଶନିବାର କାକିରିଗୁମ୍ମା ଥାନାରେ ବାପାଙ୍କୁ ଅଭିଯୁକ୍ତ ବିଦ୍ୟା ସାଉଁନ୍ତା ହତ୍ୟା କରିଥିବା ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ଏତଲା ଗ୍ରହଣ କରି  ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave a comment