ମୁନିଗୁଡା ମୁଖ୍ୟ ରାସ୍ତାରେ ବିଦେଶୀ ମଦ ଦୋକାନ ଖୋଲିବା ବିରୋଧରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ମୁନିଗୁଡା: ରାୟଗଡା ଜିଲ୍ଲା ମୁନିଗୁଡା ପୂର୍ବତଟ ଷ୍ଟେସନ ରୋଡ଼ର ମୁଖ୍ୟ ରାସ୍ତା ପାର୍ଶ୍ୱରେ ବିଦେଶୀ ମଦ ଦୋକାନ ଖୋଲିବାର ପ୍ରତିବାଦ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରି ମୁନିଗୁଡା ମହିଳା ସ୍ୱୟଂ ସହାୟିକା ଦଳର ସଭାନେତ୍ରୀ ଓ ସଦସ୍ୟା ମାନଙ୍କ ସହ ସଚେତନ ପ୍ରତିନିଧି ବୃନ୍ଦମାନେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରେରଣା କରିଥିବା ଜଣାପଡିଛି ।

ଏଥିସହ ଏହାର ନକଲ ମୁନିଗୁଡା ତହସିଲଦାର ଦେବାଶିଷ ଗୌଡ଼ଙ୍କୁ ପ୍ରଦାନ କରାଯାଇଛି। ଉକ୍ତ ସ୍ମାରକ ପତ୍ରରେ ରାଜ୍ୟ ସରକାର ରାଜସ୍ବ ଆଦାୟ ନାମରେ ଯେଉଁ ମାନଙ୍କୁ ଲାଇସେନ୍ସ ଦେଉଛନ୍ତି ସେମାନେ ନୀତି ନିୟମର ଉଲଙ୍ଘନ କରି ଯେଉଁଠି ନାଇ ସେଠାରେ ମଦ ଦୋକାନ ଖୋଲୁଛନ୍ତି ଯାହାକୁ ନେଇ ବିରୋଧ କରାଯାଇଛି।

ବର୍ତମାନ ମୁନିଗୁଡାରେ ନୂଆ କରି ଯେଉଁଠାରେ ବିଦେଶୀ ମଦ ଦୋକାନ ଖୋଲୁଛି ସେଠାରେ ଅନେକ ପରିବାର ପିଲାଛୁଆଙ୍କୁ ନେଇ ବସବାସ କରୁଛନ୍ତି। ଏଠାରେ ଯଦି ମଦ ଦୋକାନ ଖୋଲା ଯାଏ ତାହାହେଲେ ପାରିବାରିକ ଅଶାନ୍ତି, ପାଠ ପଢ଼ାରେ ବାଧା ଆସିବା ସହ ପାରିବାରିକ ବିଶୃଙ୍ଖଳା ଦେଖାଦେବ। ତେଣୁ ଏପରି ଏକ ସମ୍ବେଦନଶୀଳ ସ୍ଥାନରେ ଏହି ବିଦେଶୀ ମଦ ଦୋକାନ ନକରି ତୁରନ୍ତ ଏହାର ସ୍ଥାନାନ୍ତରତ ପାଇଁ ନିର୍ଦେଶ ଦେବାକୁ ନିବେଦନ କରୁଛୁ ବୋଲି ଉକ୍ତ ସ୍ମାରକ ପତ୍ର ଉଲ୍ଲେଖ ଅଛି।

ଉକ୍ତ ସ୍ମାରକ ପତ୍ରରେ ମହିଳା ମହାସଂଘର ସଭାନେତ୍ରୀ ହେମ ମାଝୀ, ସମ୍ପାଦିକା ମିନାକ୍ଷୀ ପାଢ଼ୀ, ମା ମାର୍କମା ଆଞ୍ଚଳିକ ମଞ୍ଚ ସଭାନେତ୍ରୀ କାନ୍ତାରୀ କସ୍ତୁରୀ, ସମ୍ପାଦିକା ସନ୍ଧ୍ୟାରାଣୀ ମଲ୍ଲିକ, ମା ମଝିଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀ ସଭାନେତ୍ରୀ ସୁଜାତା ପ୍ରଧାନ, ମୁନିଗୁଡା ସମିତି ସଭ୍ୟା ଲାବଣ୍ୟ ପାଣିଗ୍ରାହୀ, ସରପଞ୍ଚ ଜଗା ଶବର, ନିରଞ୍ଜନ ସାହୁ, ଅମ୍ବିକା ନାୟକ, ହେମଲତା ନାୟକ, ପୁଷ୍ପଲତା ପାଣିଗ୍ରାହୀ ପ୍ରମୁଖ ସ୍ଵାକ୍ଷର କରିଛନ୍ତି। ଏହାର ଅବିକଳ ନକଲ ଅବକାରୀ ଆରକ୍ଷୀ ଅଧିକ୍ଷକ, ରାୟଗଡା ପୁଲିସ ଆରକ୍ଷୀ ଅଧିକ୍ଷକ, ରାୟଗଡା ମୁନିଗୁଡା ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ, ଥାନା ଅଧିକାରୀ, ସରପଞ୍ଚଙ୍କୁ ପ୍ରେରଣ କରାଯାଇଥିବା ଜଣାପଡିଛି।

Leave a comment