ରାଜନୀତି କରିବା ପୂର୍ବରୁ ଶାଳୀନତା ଓ ସଂସ୍କାର ଶିକ୍ଷା କରନ୍ତୁ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହୀନ ମନ୍ତବ୍ୟ ପଦ୍ମପୁରବାସୀ ବରଦାସ୍ତ କରିବେ ନାହିଁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଏବଂ ସର୍ବମାନ୍ୟ ନେତା; ତାଙ୍କର କୌଣସି ତୁଳନା ନାହିଁ। ମାତ୍ର ଅତୀତର ଅଭିଜ୍ଞତାରୁ ବିଜେପି କିଛି ଶିକ୍ଷାଲାଭ କରିଥିବା ମନେ ହେଉନାହିଁ, ହୀନ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅସମ୍ମାନ କରିବାରେ ଲାଗିଛି। ବିଜୁ ଜନତା ଦଳର କର୍ମୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସାଧାରଣ ଜନତାଙ୍କୁ ଆକ୍ରମଣରେ ପାରଙ୍ଗମତା ହାସଲ କରିଛି। ଏହାକୁ ସହ୍ୟ କରିବା କିମ୍ବା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେକୌଣସି ଅପମାନସୂଚକ ମନ୍ତବ୍ୟକୁ ବରଦାସ୍ତ କରିବାକୁ ଓଡ଼ିଶାବାସୀପ୍ରସ୍ତୁତ ନାହାନ୍ତି।

ବିଜେପୁର ପରି ପଦ୍ମପୁରରେ ମଧ୍ୟ ବିଜେପିକୁ ଭୋଟର ଉପଯୁକ୍ତ ଜବାବ ଦେବେ ବୋଲି ଚେତାଇ ଦେଇଛି ବିଜେଡି। ଅନୁରୂପ ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୀତି କରିବା ପୂର୍ବରୁ ଶାଳୀନତା ଓ ସଂସ୍କାର ଶିକ୍ଷା କରନ୍ତୁ। ନ ହେଲେ ରାଜନୈତିକ ଫାଇଦା ପାଇଁ ହୀନ ରାଜନୀତି ଆପଣଙ୍କୁ ଓ ଆପଣଙ୍କ ଦଳକୁ ବେଶ୍‍ ମହଙ୍ଗା ପଡ଼ିବ ବୋଲି କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡ଼. ସସ୍ମିତ ପାତ୍ର। ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପାତ୍ର କହିଛନ୍ତି ଯେ ୨୦୧୮ ମସିହା ବିଜେପୁର ଉପନିର୍ବାଚନ ସମୟରେ ବିଜେପି କର୍ମୀଙ୍କ ଚପଲ ଫିଙ୍ଗାର ଜବାବ ବିଜେପୁରବାସୀ ବେଶ୍‍ ଭଲ ଭାବରେ ଦେଇଥିଲେ। ବିଜେଡି ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲା। ମାତ୍ର ସେହି ପରାଜୟରୁ ବିଜେପି କିଛି ଶିଖିପାରିଲା ନାହିଁ। ପଦ୍ମପୁରରେ ନିର୍ବାଚନ ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରୟୋଗ କରିଥିବା ଅପଶବ୍ଦର ଜବାବ ପଦ୍ମପୁର ଭୋଟର ନିଶ୍ଚିତ ଦେବେ। ତେଣୁ ଆପଣ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଯେତେବେଳେ ବି କିଛି କହୁଛନ୍ତି, ଦୟାକରି ସୌଜନ୍ୟତା ଓ ଶାଳୀନତା ରକ୍ଷା କରନ୍ତୁ ବୋଲି ଡ. ପାତ୍ର ଶ୍ରୀ ପ୍ରଧାନଙ୍କୁ ପରାମର୍ଶ ଦେଇଛନ୍ତି ସସ୍ମିତ ପାତ୍ର। ସେ ପୁଣି କହିଛନ୍ତି ଯେ ପଦ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ ବିଶାଳ ସମାବେଶରେ ଲୋକଙ୍କ ଉତ୍ସାହ ଓ ସମର୍ଥନ ଦେଖି ବିଜେପି ଓ ଦେଖି ଆପଣ ବିଚଳିତ ଓ ଭୟଭୀତ ହୋଇ ପଡ଼ିଥିବା ଜଣାପଡୁଛି। ଆପଣ ଭଲଭାବେ ଜାଣି ସାରିଲେଣି ଯେ ପଦ୍ମପୁରରେ ବିଜେପି ଏକ ବୃହତ ପରାଜୟ ଆଡକୁ ଅଗ୍ରସର ହେଉଛି। ତେଣୁ ଏହି ବାସ୍ତବତାକୁ ଦୟାକରି ସ୍ୱୀକାର କରି ହୀନ ରାଜନୀତି ଠାରୁ ଦୂରେଇ ରୁହନ୍ତୁ ବୋଲି ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସସ୍ମିତ କହିଛନ୍ତି।

ସେ ପୁଣି କହିଛନ୍ତି ଯେ ବିଜେପି ଦଳର ନେତାମାନେ ସଭାସମିତିରେ ପ୍ରକାଶ୍ୟରେ ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ତଥା ନିଜ ପିତାଙ୍କୁ ହରାଇଥିବା ଜଣେ ଆଦିବାସୀ ଝିଅକୁ ଅଶାଳୀନ, ଅରୁଚିକର ଓ ଅପମାନସୂଚକ ମନ୍ତବ୍ୟ ଦେଇ ଲାଞ୍ଛିତ କରିଛନ୍ତି। ମହିଳାଙ୍କୁ କିପରି ସମ୍ମାନ ଦିଆଯାଏ ତାହା ବିଜେପି ନେତାମାନେ ପ୍ରଥମେ ଶିଖିବା ଆବଶ୍ୟକ। ଆମ ସମସ୍ତଙ୍କର ବି ଝିଅ ଓ ଭଉଣୀ ଅଛନ୍ତି। ଆମେ ସଭାସମିତିରେ ସେମାନଙ୍କୁ ଏଭଳି ଅପମାନିତ ଓ ଲାଞ୍ଛିତ ହେବାକୁ ଛାଡିଦେଇ ପାରିବା କି ବୋଲି ଡ଼ ପାତ୍ର ପ୍ରଶ୍ନ କରିଛନ୍ତି। ହୀନ ଓ ତଳସ୍ତରର ରାଜନୀତି କରୁଥିବା ନିଜ ଦଳର ନେତା ଓ କର୍ମୀଙ୍କ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କାହିଁକି ଚୁପ୍‍ ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ।

ଶ୍ରୀ ପ୍ରଧାନଙ୍କୁ ଆହ୍ୱାନ ଦେଇ ଡ.ପାତ୍ର କହିଛନ୍ତି ଯେ ଜିଏସ୍‍ଟି କାଉନସିଲ ବୈଠକରେ ଓଡ଼ିଶାର ଅର୍ଥମନ୍ତ୍ରୀ କେନ୍ଦୁପତ୍ର ଉପରେ ୧୮% ଜିଏସ୍‍ଟି ଲାଗୁ କରିବା ପ୍ରସ୍ତାବକୁ ବାରମ୍ୱାର ବିରୋଧ କରିଛନ୍ତି। ଆମ ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ରକୁ ଚିଠି ଲେଖି କେନ୍ଦୁପତ୍ର ଉପରୁ ୧୮% ଜିଏ୍‍ଟିକୁ ବିରୋଧ କରିଛନ୍ତି। ଆପଣ ଜଣେ କେନ୍ଦ୍ରମନ୍ତ୍ରୀ ; ଆପଣଙ୍କ ବିଧାୟକ ପ୍ରାର୍ଥୀ ନିଜକୁ କେନ୍ଦୁପତ୍ର ତୋଳାଳିଙ୍କ ନେତା ବୋଲି କହୁଛନ୍ତି। ମାତ୍ର ଆପଣ କିମ୍ୱା ଆପଣଙ୍କ ବିଧାୟକ ପ୍ରାର୍ଥୀ କେବେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି କେନ୍ଦୁପତ୍ର ଉପରୁ ୧୮% ଜିଏସ୍‍ଟି ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି କି? ଆପଣ ପଦ୍ମପୁରବାସୀଙ୍କୁ କାହିଁକି ଏଭଳି ମିଛ କହି ଭୁଅାଁ ବୁଲାଉଛନ୍ତି?

ରେଳବାଇ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ୱନ୍ଦ୍ୱରେ ଅଛନ୍ତି ବୋଲି କଟାକ୍ଷ କରିଛନ୍ତି ଡ଼. ସସ୍ମିତ ପାତ୍ର। ନୂଆ ରେଳଲାଇନ କେଉଁଠି ନିର୍ମାଣ ହେବ, ସେ ଦାୟିତ୍ୱ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଉପରେ ନ୍ୟସ୍ତ କରାଯାଇଛି। ତଥାପି ପଦ୍ମପୁର ରେଳଲାଇନ ପାଇଁ ଆଗଭର ହୋଇ ଓଡ଼ିଶା ସରକାର ୩୦୦ କୋଟି ଟଙ୍କା ଏବଂ ମାଗଣାରେ ଜମି ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶାବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ କେତେ ପ୍ରତିବଦ୍ଧତା ରହିଛି ତାହା ଏଥିରୁ ପ୍ରମାଣିତ ହେଉଛି। ଯଦି ଆପଣ ଚାହୁଁଛନ୍ତି ଯେ ଓଡ଼ିଶାରେ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ରେଳଲାଇନ ନିର୍ମାଣ କରନ୍ତୁ, ତେବେ ଆପଣଙ୍କ ରେଳ ମନ୍ତ୍ରଣାଳୟ ଓଡ଼ିଶାରୁ ୩୦ ହଜାର କୋଟି ଟଙ୍କାର ରାଜସ୍ୱ ନେବା ବନ୍ଦ କରିଦେଉ। ଆମେ ଏହି ଅର୍ଥ ନିଜ ପାଖରେ ରଖି ନିଜ ପାଇଁ ଅନେକ ରେଳପଥ ନିର୍ମାଣ କରିପାରିବୁ। ନୂତନ ପଦ୍ମପୁର ଜିଲ୍ଲା ଗଠନ ଏବଂ ପାଇକମାଳରେ ଏନ୍‍ଏସି ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ବଡ଼ ନିଷ୍ପତ୍ତି ନେଇଛନ୍ତି, ତାହାକୁ ଆପଣ ସ୍ୱାଗତ କରିବା କଥା। ପଦ୍ମପୁରବାସୀ ଓ ପାଇକମାଳବାସୀଙ୍କ କଲ୍ୟାଣ ଓ ବିକାଶ ଲାଗି ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପ୍ରତି ଆପଣଙ୍କର ସର୍ବନିମ୍ନ ସୌଜନ୍ୟ ଓ ସମ୍ମାନ ରହିବା ଆଶା କରାଯାଏ। ମାତ୍ର ଆପଣ ଏହାକୁ ମଧ୍ୟ ଅପମାନିତ କରିଛନ୍ତି। ଏହା ଆପଣଙ୍କ ହୀନ ରାଜନୈତିକ ଉଦ୍ଦେଶ୍ୟକୁ ଦର୍ଶାଉଛି।

ଧମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସସ୍ମିତ କହିଛନ୍ତି ଯେ ଆପଣଙ୍କ ବୟାନରୁ ଜଣାପଡ଼ୁଛି ଯେ ୨୦୧୯ ପରେ ଆପଣ କେବେ ବିଜେପୁର ଯାଇ ନାହାନ୍ତି। ଯଦି ଆପଣ ବିଜେପୁର ଯାଇଥାନ୍ତେ, ତାହେଲେ ଆପଣ ବିଜେପୁରରେ ହୋଇଥିବା ବିପୁଳ ବିକାଶର ଚିତ୍ର ଦେଖି ଜାଣି ପାରିଥାନ୍ତେ। ୨୦୨୩ ଡିସେମ୍ୱର ମାସରେ ବିଜେପୁରରେ ହେବାକୁ ଥିବା ଗଙ୍ଗାଧର ମେହେର ମେଗା ଜଳସେଚନ ପ୍ରକଳ୍ପର ଉଦ୍‍ଘାଟନୀ ଉତ୍ସବକୁ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ଆପଣଙ୍କୁ ନିମନ୍ତ୍ରଣ କରୁଛୁ। ସେଦିନ ଆପଣ ବିଜେପୁରରେ ହୋଇଥିବା ବିଶାଳ ରୂପାନ୍ତରଣକୁ ପ୍ରତ୍ୟକ୍ଷ କରିପାରିବେ। ଦୟାକରି ଆପଣ ଏହି ମାସ ଓ ବର୍ଷକୁ ଡାଏରିରେ ଲେଖି ରଖନ୍ତୁ। ଆମେ ଉଦ୍‍ଘାଟନୀ ଉତ୍ସବରେ ଆପଣଙ୍କ ସଦୟ ଉପସ୍ଥିତିକୁ ଅପେକ୍ଷା କରିବୁ। ଡ. ପାତ୍ର ଆହୁରି କହିଛନ୍ତି, ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଏବଂ ନବୀନ ପଟ୍ଟନାୟକ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ କି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିଛନ୍ତି। ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏଥିପାଇଁ ତାଙ୍କୁ ଫୋନ୍‍ କରି ପଚାରୁଛନ୍ତି, ଆପଣ ଏହା କଲେ କିପରି? ଆପଣ ଜଣେ କେନ୍ଦ୍ରମନ୍ତ୍ରୀ। ଆପଣଙ୍କ ମନ୍ତ୍ରଣାଳୟ ଅଧୀନରେ ଥିବା ଅଧିକାଂଶ ଯୋଜନା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଛି। ମାତ୍ର ଆପଣ କାହିଁକି ଏହି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପଦକୁ ଏଯାଏ ନିୟମିତ କରିବାକୁ ସମର୍ଥ ହୋଇନାହାନ୍ତି? ଯେତେବେଳେ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କିଛି ଭଲ କାର୍ଯ୍ୟ କରୁଛନ୍ତି, ଈର୍ଷା ପରାୟଣ ହୋଇ ଆପଣ ଏହାକୁ ସମାଲୋଚନା କରୁଛନ୍ତି କାହିଁକି? ମୁଖ୍ୟମନ୍ତ୍ରୀଙ୍କ ଭଲ କାମକୁ ସ୍ୱାଗତ କରିବାକୁ ଆପଣ ଉଦାରତା ଦେଖାଇ ପାରୁନାହାନ୍ତି କାହିଁକି?

ଡ଼ ପାତ୍ର କହିଥିଲେ ଯେ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଖୋଦ୍‍ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି। କିନ୍ତୁ ଏହା ପରେ ବିଜେପି ଓଡ଼ିଶାର ଗ୍ରାମାଞ୍ଚଳରେ ଆବାସ ନିର୍ମାଣକୁ ଚକ୍ରାନ୍ତ କରି ବନ୍ଦ କରି ଦେଇଛି କାହିଁକି? କାହିଁକି ଆପଣ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଗୃହ ନିର୍ମାଣକୁ ବନ୍ଦ କରିଦେଲେ? ଆପଣ ଏହି ପ୍ରଶ୍ନର କୌଣସି ଉତ୍ତର ଦେଇନାହାନ୍ତି। ପଦ୍ମପୁରର ଚାଷୀମାନଙ୍କୁ ଏଯାଏ ଫସଲବୀମା ରାଶି ମିଳିପାରିଲା ନାହିଁ। ଏ ପ୍ରଶ୍ନର ଉତ୍ତର ମଧ୍ୟ ଆପଣଙ୍କ ନିକଟରେ ନାହିଁ। ପଦ୍ମପୁରରେ ଆପଣଙ୍କ ଦଳର ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିବାକୁ ଗଲାବେଳେ ଚାଷୀ ସଂଗଠନମାନେ ତାଙ୍କୁ ଅଟକାଇଲେ। ଚାଷୀଙ୍କ ଆକ୍ରୋଶ ଫଳରେ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ଏ ନେଇ କେନ୍ଦ୍ର ଉପରେ ଚାପ ପକାଇବା ଯୋଗୁଁ ୪୮ ଘଣ୍ଟା ଭିତରେ ଫସଲବୀମା ମିଳିଲା। ଏହା ସତ ନା ନୁହେଁ? କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ସବୁ ପ୍ରଶ୍ନର ଉତ୍ତର ଦିଅନ୍ତୁ।

ଯେଉଁ ବିଜେପି ନେତାମାନେ ବାପାଙ୍କୁ ହରାଇଥିବା ଜଣେ ଓଡ଼ିଆ ଆଦିବାସୀ ଝିଅ ବର୍ଷା ସିଂ ବରିହାଙ୍କୁ ଅଶାଳୀନ ଓ ଅରୁଚିକର ଶବ୍ଦ ପ୍ରୟୋଗ କରି ପ୍ରକାଶ୍ୟରେ ଅପମାନିତ ଓ ଲାଞ୍ଛିତ କରିଛନ୍ତି, ସେମାନଙ୍କ ବିରୋଧରେ ଆପଣ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପଦ୍ମପୁରବାସୀ ଆଶା କରିଥିଲେ। ମାତ୍ର ଆପଣ ତାହା କଲେ ନାହିଁ। ପଦ୍ମପୁରବାସୀ ଏହା ମଧ୍ୟ ଆଶା କରିଥିଲେ ଯେ ପଦ୍ମପୁରକୁ ନୂତନ ଜିଲ୍ଲା ଏବଂ ପାଇକମାଳରେ ନୂତନ ଏନ୍‍ଏସି ଗଠନ ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଆପଣ ସ୍ୱାଗତ କରିବେ। ମାତ୍ର ଆପଣ ତାହା କଲେ ନାହିଁ। ପଦ୍ମପୁରବାସୀ ଭାବିଥିଲେ, ଆପଣ କେନ୍ଦୁପତ୍ର ଉପରୁ ୧୮% ଜିଏସ୍‍ଟି ପ୍ରତ୍ୟାହାର, ନୂତନ ରେଳଲାଇନ ନିର୍ମାଣ, ଫସଲବୀମା ରାଶି ପ୍ରଦାନ ଏବଂ ଗ୍ରାମୀଣ ଆବାସ ଯୋଜନାରେ ଗୃହ ନିର୍ମାଣ ଭଳି ବିଭିନ୍ନ ଦାବିକୁ ମଧ୍ୟ ଆପଣ ସମର୍ଥନ କରିବେ। ମାତ୍ର ଆପଣ ତାହା ବି କଲେ ନାହିଁ। ଏହି କାରଣରୁ ପଦ୍ମପୁରବାସୀ ଆପଣ ଏବଂ ବିଜେପିକୁ ନେଇ ଦୁଃଖିତ ଏବଂ ମର୍ମାହତ। ତେଣୁ ଆସନ୍ତା ୫ ତାରିଖ ଦିନ ହେବାକୁ ଯାଉଥିବା ଉପନିର୍ବାଚନରେ ପଦ୍ମପୁରବାସୀ ବିଜେପିକୁ ଏହାର ଉଚିତ ଜବାବ ଦେବେ ବୋଲି ଡ଼ ପାତ୍ର କହିଛନ୍ତି।

Leave a comment