ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାକୁ ଭିତ୍ତିଭୂମୀ, ସହାୟତା ଓ ସମ୍ବଳ ପ୍ରଦାନ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ- ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ କରି ମିଳିତ ସଂସଦ ଅଧିବେଶନରେ ଓଡ଼ିଶାର ପୁଣି ହକ ମାଗିଛି ବିଜେଡି । ଦଳୀୟ ସାଂସଦ ମାନସ ମଙ୍ଗରାଜ ଏ ନେଇ ଅନେକ ପ୍ରସଙ୍ଗ ଗୃହରେ ଉଠାଇଛନ୍ତି । ଦେଶରେ ବିକାଶରେ ଭିତ୍ତିଭୂମି ଖୁବ ଜରୁରୀ । ଓଡ଼ିଶା ପରି ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟର ଉନ୍ନତି ପାଇଁ କେନ୍ଦ୍ରର ସହଯୋଗ ଓ ସମର୍ଥନ ନିହାତି ଆବଶ୍ୟକ । ଏପରି ସ୍ଥିତିରେ କୃଷି, ଶିଳ୍ପ ଓ ସେବା କ୍ଷେତ୍ର ସହ ଜାତୀୟ ରାଜପଥ, ରେଳପଥ, ମୋବାଇଲ ସଂଯୋଗୀକରଣ, ଡିଜିଟାଲ ସଂଯୋଗୀକରଣ, ବ୍ୟାଙ୍କିଂ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ରର ସହଯୋଗ ଜରୁରୀ ।

ନିରନ୍ତର ସମର୍ଥନ ଯୋଗାଇ ଦେଲେ ଓଡ଼ିଶାର ବିକାଶ ଆହୁରି ଶୀଘ୍ର ହେବ । କଟକ ଭୁବନେଶ୍ବରରେ ଜାତୀୟ ରାଜପଥରେ ଦୀର୍ଘ ବର୍ଷ ହେଲା କାମ ଚାଲୁ ରହିଛି । ଏପରିକି ରାଜ୍ୟ ଅନେକ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହାର ଉନ୍ନତି ପାଇଁ କେନ୍ଦ୍ର ତତ୍ପର ହେବା ଆବଶ୍ୟକ । ଉପକୂଳ ରାଜପଥ ଏବେ ଫାଇଲ ତଳେ ଚାପି ହୋଇରହିଛି । ଗୋଟିଏ ହେଲେ ବି ଇଟା ପଡିନାହିଁ । ରେଳବାଇ କ୍ଷେତ୍ରରେ ଓଡ଼ିଶା ବୈମାତୃକ ମନୋଭାବର ଶିକାର ହୋଇଚାଲିଛି ।

ରାଜ୍ୟ ସରକାର ମାଗଣା ଜମି ପ୍ରଦାନ ସହ ନିର୍ମାଣ କାମର ୫୦ ପ୍ରତିଶତ ନିଜେ ବହନ କରୁଛନ୍ତି । ତା ସତ୍ତ୍ବେ ମଧ୍ୟ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ପ୍ରକଳ୍ପ ହୋଇପାରୁନି । ସେହିପରି ପାରାଦୀପ-ହରିଦାସପୁର ପ୍ରକଳ୍ପ ମାଲବାହୀ ଟ୍ରେନ ଯାଉଛି । ହେଲେ ଯାତ୍ରୀବାହୀ ପାଇଁ ଅନୁମତି ମିଳିପାରୁନି । ଫଳରେ କେନ୍ଦ୍ରାପଡ଼ାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ଘୁଞ୍ଚି ଘୁଞ୍ଚି ଚାଲିଛି । ପୁରୀ-କୋଣାର୍କ ୩୫ କିଲୋମିଟର ରେଳପଥ ପାଇଁ ଜମି ଓ ନିର୍ମାଣ ଖର୍ଚ୍ଚ ବାବଦକୁ ୫୦ ପ୍ରତିଶତ ବହନ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରେଳବାଇର କିଛି ପ୍ରତିକ୍ରିୟା ଆସୁନି ।

ସେହିପରି ଜଳେଶ୍ବର-ଦୀଘା ପ୍ରକଳ୍ପ ମଧ୍ୟ ପଡିରହିଛି । ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ପଶ୍ଚିମବଙ୍ଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ରାଜ୍ୟର ୧୨ଟି ରେଳ ଷ୍ଟେସନର ଆଧୁନିକୀକରଣ ପାଇଁ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇପାରିନି। ପୁରୀ, ଭଦ୍ରକ, ବ୍ରହ୍ମପୁର, କଟକ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ରାୟଗଡ଼ା, ସମ୍ବଲପୁର, ବାଲେଶ୍ବର, ଝାରସୁଗୁଡ଼ା, ରାଉରକେଲା ଏବଂ ଭୁବନେଶ୍ବରକୁ ଆନ୍ତର୍ଜାତିକ ସ୍ତରରେ ପରିଣତ କରିବା କାମ ସରିଲାନି ।

ରାଜ୍ୟର ପଶ୍ଡିମ ଓ ଦକ୍ଷିଣରେ ମୋବାଇଲ ସଂଯୋଗୀକରଣ ବେଶ ଦୁର୍ବଳ । ଏହା ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାବେଳେ ଏଥିପ୍ରତି କେନ୍ଦ୍ର ଧ୍ୟାନ ଦେବା ଆବଶ୍ୟକ। ଅନେକ ପଞ୍ଚାୟତରେ ବ୍ୟାଙ୍କ ସେବା ନାହିଁ । ଯଦିଓ ସିଧା ସଳଖ ବ୍ୟାଙ୍କ ସେବା ମିଳିପାରୁଛି ତେବେ ଅଧିକାଂଶ ପଞ୍ଚାୟତରେ ନିଜସ୍ବ ଗୃହ ନଥିବାରୁ ବ୍ୟାଙ୍କ ସେବା ବ୍ୟାହତ ହେଉଛି । ଏସବୁ କ୍ଷେତ୍ରରେ କେନ୍ଦ୍ରର ସିଧା ହସ୍ତକ୍ଷେପ ଓ ସହଯୋଗ ଲୋଡିଛନ୍ତି ସାଂସଦ ମାନସ ମଙ୍ଗରାଜ ।

Leave A Reply

Your email address will not be published.