ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଲେଶ୍ବରରେ ବିଭତ୍ସ ହତ୍ୟା :ଭେଣ୍ଡିଆ ପୁଅକୁ ମାରି ଘରେ ପୋତିଦେଲା ମା‘, ୧୧ ଦିନ ପରେ ଜଣାପଡିଲା ସତ

ବାଲେଶ୍ୱର : ନିଜ ପୁଅକୁ ହତ୍ୟା କରି ଘର ଭିତରେ ପୋତିଦେଲା ମାଆ । ବିଶ୍ୱାସ ନ ହେଲେ ମଧ୍ୟ ଏମିତି ଘଟଣା ଘଟିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଇଚ୍ଛାପୁର ପୋଖରୀ ଗାଁରେ ଘଟିଛି ଏହି ଘଟଣା । ଜନ୍ମକଲା ପୁଅକୁ ନିର୍ମମ ଭାବେ ନିଜ ବଡ଼ ପୁଅ ସହ ମିଶି ହତ୍ୟା କରି ଶୋଇବା ଘରେ ଲୁଣ ଦେଇ ପୋତି ଦେଇଥିଲା ମାଆ । ଏହି ଜଘନ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ହତ୍ୟାର ୧୧ ଦିନ ପରେ ଜଣାପଡ଼ିଥିଲା । ବଡ଼ କଥା ହେଲା ସାନ ଭାଇର ପିଣ୍ଡ ଶ୍ରାଦ୍ଧ କରି ବଡ଼ ଭାଇ ଫେରିବା ପରେ ହିଁ ସାମ୍ନାକୁ ଆସିଥିଲା ସତ । ଏହି ହତ୍ୟାକାଣ୍ଡ ଘଟିଛି ବାହାନଗା ଜାତୀୟ ରାଜପଥ ନିକଟସ୍ଥ ଇଚ୍ଛାପୁର ପୋଖରୀ ନିକଟରେ । ୨୨ ବର୍ଷୀୟ ସାନ ପୁଅକୁ ମାରି ଘରେ ପୋତି ଦେଇଥିଲେ ଉଭୟ ମାଆ ଓ ବଡ଼ ପୁଅ ।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଫେବୃଆରୀ ୧୨ ତାରିଖ ରାତି ୧୧ଟାରେ ମଦ ପିଇ ସାନ ପୁଅ ବଳରାମ ଜେନା ଘରକୁ ଫେରିବା ପରେ କୌଣସି କଥାକୁ ନେଇ ମାଆ ଶୁକୁରୀ ଜେନା (୫୫ ବର୍ଷ) ଓ ବଡ଼ ଭାଇ ଜଗବନ୍ଧୁ ଜେନାଙ୍କ (୩୨ ବର୍ଷ) ମଧ୍ୟରେ ବଚସା ହୋଇଥିଲା । ଏହା ଉଗ୍ର ରୂପ ଧାରଣ କରିବା ପରେ ଶୁକୁରୀ ଓ ଜଗବନ୍ଧୁ ମିଶି ବଳରାମ ଜେନାଙ୍କୁ ଏକ ଶାବଳରେ ଆକ୍ରମଣ କରିଥିଲେ । ଫଳରେ ବଳରାମଙ୍କର ମୃତ୍ୟୁ ଘଟିଥିଲା । ବଳରାମଙ୍କ ମୃତ ଦେହକୁ ଶୁକୁରୀ ଓ ଜଗବନ୍ଧୁ ଶୋଇବା ଘର ଭିତରେ ଏକ ଗାତ ଖୋଳି ଲୁଣ ଦେଇ ପୋତି ଦେଇଥିଲେ ବୋଲି ପୋଲିସ ଅନୁସନ୍ଧାନରୁ ଜଣାପଡ଼ିଛି । ହେଲେ ସେତେବେଳେ ଏହି ଘଟଣା ସମ୍ପର୍କରେ କାହାରିକୁ କିଛି ଜଣାପଡ଼ି ନ ଥିଲା । ଘଟଣା ଜଣାପଡ଼ିବା ପରେ ସୋର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାଆ ଓ ବଡ଼ ପୁଅକୁ ଗିରଫ କରିଛି ।

ହତ୍ୟାର ୧୧ ଦିନ ପର୍ଯ୍ୟନ୍ତ ଏହି ଘଟଣାକୁ ସମସ୍ତଙ୍କ ଜ୍ଞାତରୁ ଲୁଚାଇ ରଖିଥିଲେ ଶୁକୁରୀ ଓ ତାଙ୍କ ବଡ଼ ପୁଅ ଜଗବନ୍ଧୁ । ସାନ ପୁଅ କୁଆଡ଼େ ଚାଲି ଯାଇଛି ବୋଲି କହୁଥିଲେ ସେମାନେ । ଏପରିକି ଏହି ହତ୍ୟା ବିଷୟରେ ସେମାନେ ଘରର ମୁରବୀ ତଥା ମୃତକର ପିତା ବାଇଧର ଜେନାଙ୍କୁ ବି ଜଣାଇ ନ ଥିଲେ । ଲୋକଙ୍କୁ ଲୁଚାଇ ସୁଦ୍ଧି କ୍ରିୟା କରିଥିଲେ ପରିବାର ।
ଗଙ୍ଗା ନଦୀରେ ସାନ ଭାଇର ଅସ୍ଥି ବିସର୍ଜନ ପାଇଁ ଜଗବନ୍ଧୁ ଯାଇଥିଲା । ରବିବାର ଦିନ ସେ ଘରକୁ ଫେରିବା ପରେ ସାଙ୍ଗମାନଙ୍କ ସହିତ ମଦ୍ୟପାନ କରୁଥିବା ସମୟରେ ଏହି ହତ୍ୟା ସମ୍ପର୍କରେ କହିଦେଇଥିଲା, ଯାହା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।

ପୁଅକୁ ହତ୍ୟା କରିଥିବା ନେଇ ପୁଲିସ ଆଗରେ ବଳରାମର ମା‘ ଶୁକୁରୀ ସତ ମାନିଛନ୍ତି। ଏନେଇ ସେ କହିଛନ୍ତି ଯେ ‘‘ସେ (ସାନ ପୁଅ ବଳରାମ) ସବୁ ଦିନ ମଦ ପିଇ ଘରକୁ ଆସେ ଓ ମୋତେ ମାଡ଼ ମାରେ । ଅଶ୍ଳୀଳ ବ୍ୟବହାର ବି କରେ । ମଦ ନିଶାରେ ନିଜ ଜନ୍ମକଲା ମା’କୁ ବି ଅଶ୍ଳୀଳ ବ୍ୟବହାର କରିବାକୁ ସେ ଚେଷ୍ଟା କରୁଥିଲା । ମୁଁ ତାକୁ ଅଟକେଇବା ପାଇଁ ପାଖରେ ଏକ ଶାବଳ ଆଣି କାନ୍ଥକୁ ପିଟୁଥିଲି, ହେଲେ ଶାବଳଟି କାନ୍ଥ ବଦଳରେ ତା’ କାନ ମୂଳରେ ବାଜି ଯାଇଥିଲା । ତେଣୁ ସଙ୍ଗେ ସଙ୍ଗେ ତା’ର ମୃତ୍ୟୁ ହୋଇଯାଇଥିଲା। ବଳରାମର ମଦ ନିଶାରେ ଏ ଭଳି ଆକ୍ରମଣ ଓ ଖରାପ ବ୍ୟବହାର ଯୋଗୁଁ ତା’ ସ୍ତ୍ରୀ ନିଜ ଛୋଟ ଝିଅ ସହ ବାପ ଘରେ ରହୁଛି ବୋଲି ସେ କହିଛନ୍ତି । ଅନ୍ୟପଟେ ମୃତକର ଅଭିଯୁକ୍ତ ବଡ଼ ଭାଇ ଜଗବନ୍ଧୁ ଜେନା କହିଛି ଯେ ସେ ହତ୍ୟା କରିନାହାନ୍ତି । ‘‘ମୋ’ ମା’ ଏହି ହତ୍ୟା କରିଛି । ସବୁ ବେଳେ ସେ (ବଳରାମ) ମା’କୁ ଆକ୍ରମଣ କରେ । ସେ ଦିନ ମଧ୍ୟ ମାଡ଼ ମାରୁଥିଲା । ଏଇ ସମୟରେ ମା’ର ଆକ୍ରମଣରେ ତା’ର ମୃତ୍ୟୁ ହେଲା । ମା’କୁ କାଳେ ଜେଲ୍‌ ହୋଇଯିବ, ସେହି ଭୟରେ ଆମେ ଶବକୁ ପୋତିଦେଇଥିଲୁ,’’ କହିଛି ବଳରାମ ।

Leave A Reply

Your email address will not be published.