ପିଶାଚୀ ସାଜିଲା ମା’: ତିନି ବର୍ଷ ପୁଅର ଗଳାକାଟି କଲା ହତ୍ୟା

କୋରାପୁଟ: ମା’ ସାଜିଲା ପିଶାଚିନୀ । ଯାହାକୁ ଜନ୍ମ ଦେଇଥିଲା, ଧାରୁଆ ଅସ୍ତ୍ରରେ ତା’ ବେକ କାଟି ଦେଲା। ଯେଉଁ ରକ୍ତରେ ଜନ୍ମ ଦେଇଥିଲା, ସେଇ ରକ୍ତ ନିଗାଡ଼ି ଜୀବନ ନେଲା । ନିଜ ୩ ବର୍ଷ ପୁଅର ଗଳାକାଟି ଅତି ନୃଶଂସ ଭାବେ ହତ୍ୟା କଲା ମାଆ । ଗୋଟେପଟେ ପଣା ସଂକ୍ରାନ୍ତିର ଉତ୍ସବ ଚାଲିଥିବାବେଳେ ଅନ୍ୟପଟେ ଏଭଳି ବିଭତ୍ସ ଘଟଣା ସମସ୍ତଙ୍କୁ ବାକ୍ ଶୂନ୍ୟ କରିଦେଇଛି । ଏପରି ଲୋମଟାଙ୍କୁରା ଘଟଣା କୋରାପୁଟ ସଦର ଲୁକୁମାରି ଗାଁରେ ଘଟିଛି । ଘଟଣାସ୍ଥଳରେ କୋରାପୁଟ ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଗତ ରାତିରେ ଗ୍ରାମରେ ଚଇତି ପରବ ଥିବା ବେଳେ ଆଜି ଭୋର ସମୟରେ ଘଟଣା ଘଟିଛି ଏ ଘଟଣା । ତେବେ କାହିଁକି ଓ କେଉଁ କାରଣ ପାଇଁ ନିଜ ଜନ୍ମ କଲା ପୁତ୍ର ସନ୍ତାନଙ୍କୁ ବିଭତ୍ସ ହତ୍ୟା କରିଛି ? ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ପୁଅକୁ ହତ୍ୟା କରିଛି ନା କିଛି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା କରିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।