ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଘ ସହ ୨୦ ମିନିଟ୍‌ ଲଢ଼ି ପୁଅକୁ ବଞ୍ଚାଇଲା ମାଆ

ଓମରିଆ : ମାଆର ପଣତକାନି ଛୁଆକୁ ସବୁ ବିପଦରୁ ରକ୍ଷା କରିଥାଏ। ଏହି ଲୋକ କଥାକୁ ସତ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ଜଣେ ମହିଳା। ସେ ପୁଅକୁ ମରଣ ମୁହଁରୁ ଟାଣି ଆଣିଛନ୍ତି। ମଧ୍ୟପ୍ରଦେଶ ବାନ୍ଧବଗଡ଼ ଟାଇଗର ରିଜର୍ଭ (ବାଘ ସଂରକ୍ଷେଣ କେନ୍ଦ୍ର)ରେ ୨୦ ମିନିଟ ପର୍ଯ୍ୟନ୍ତ ଲଢ଼େଇ କରି ବାଘ ପଞ୍ଝାରୁ ପୁଅକୁ ଛଡ଼ାଇ ଆଣିଛନ୍ତି।

ଏହି ଲଢ଼େଇରେ ମହିଳା ଗୁରୁତର ଆହତ ହୋଇଥିଲେ ବି ହାର୍‌ ମାନି ନ ଥିଲେ। ବାଘର ନଖ ଫୁସ୍‌ଫୁସ୍‌ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ ମଧ୍ୟ ମହିଳା ସାହସର ସହ ବାଘର ମୁକାବିଲା କରିଥିଲେ। ପରିଶେଷରେ ବିଜୟୀ ହୋଇଥିଲେ। ସୂଚନା ଅନୁଯାୟୀ ମାନପୁର ବଫର ଜୋନ୍‌କୁ ଲାଗି ରହିଥିବା ରୋହନିଆ ଗ୍ରାମରେ ଏହି ଘଟଣା ଘଟିଥିଲା। ଏଠାକାର ଜ୍ବାଳାମୁଖୀ ବସ୍ତିରେ ରହୁଥିବା ଭୋଳା ଚୌଧୁରୀଙ୍କ ପତ୍ନୀ ଅର୍ଚ୍ଚନା ରବିବାର ସକାଳ ପ୍ରାୟ ୧୦ଟା ସମୟରେ ନିଜର ୧୫ ମାସର ଶିଶୁ ପୂତ୍ରକୁ ଶୌଚ ପାଇଁ ନିକଟସ୍ଥ ପଡ଼ିଆକୁ ନେଇ ଯାଇଥିଲେ।ଏହି ସମୟରେ ଲତା ଗହଳିରେ ଛପି ରହିଥିବା ବାଘ ତାର ବାଡ଼ ଡେଇଁ ଶିଶୁକୁ ପଞ୍ଛାରେ ଚାପି ଦେଇଥିଲା।

ପୁଅକୁ ବଞ୍ଚାଇବା ପାଇଁ ଅର୍ଚ୍ଚନା ବାଘ ସହ ଲଢ଼େଇ କରିଥିଲେ। ଏହି ସମୟରେ ମହିଳା ଆହତ ହୋଇଥିଲେ ମଧ୍ୟ ପରାସ୍ତ ହୋଇ ନ ଥିଲେ। ସେ ୨୦ ମିନିଟ୍‌ ପର୍ଯ୍ୟନ୍ତ ବାଘର ମୁକାବିଲା କରିଥିଲେ। ଏହି ଲଢ଼େଇର ଶଦ୍ଦ ଶୁଣି ବସ୍ତିର ଲୋକ ଠେଙ୍ଗାବାଡ଼ି ଧରି ଆସିବାରୁ ବାଘ ଜଙ୍ଗଲ ଭିତରକୁ ପଳାଇ ଥିଲା। ଏହି ଲଢ଼େଇରେ ଉଭୟ ମାଆପୁଅ ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ମାଆ ଗୁରୁତର ଥିବାବେଳେ ଶିଶୁର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କୁହାଯାଉଛି।

Leave A Reply

Your email address will not be published.