ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହିଳାମାନଙ୍କୁ ଶକ୍ତି ଯୋଗାଉଛି ମିଶନ ଶକ୍ତି: ଜୈବିକ ପ୍ରଣାଳୀରେ ୫୦ ଏକର ଜମିରେ ଚାଷ କରିଛନ୍ତି ମା’, ରୋଜଗାର ଦେଇଛି ଜିଆଖତ ଓ ଧନିଚା ଉତ୍ପାଦନ

୩୨ ପ୍ରକାର ଦେଶୀଧାନ ଚାଷ ଅନ୍ୟ ପାଇଁ ଉଦାହରଣ

ନୟାଗଡ଼: ମହିଳାମାନଙ୍କୁ ସଶକ୍ତ କରିଛି ମିଶନ ଶକ୍ତି । ଦିନକୁ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ମଧ୍ୟ ପୁରଣ ହେଉଥିବା ଦେଖାଯାଇଛି । ମହିଳାମାନେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟୁଛନ୍ତି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତର ୫୦ ଜଣ ମହିଳା ୫୦ ଏକର ଚାଷ ଜମିରେ ଜୈବିକ ପ୍ରଣାଳୀରେ ଚାଷ କରି ସଫଳତା ପାଇଥିବା ଦେଖାଯାଇଛି । ରୋହିବାଙ୍କ ପଞ୍ଚାୟତ ମା ବୈଷ୍ଣବୀ ଦେବୀ ମହାସଂଘ ଅଧିନରେ ୩୧ଟି ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି । ସେଗୁଡ଼ିକ ମଧ୍ୟରୁ ୫୦ ଜଣ ସଦସ୍ୟା ଏମବିକେ ପୂଷ୍ପଲତା ଗୈାଡ଼ଙ୍କ ନେତୃତ୍ୱରେ ଜୈବିକ ପ୍ରଣାଳୀରେ ଚାଷ କରିବା ପାଇଁ ଆଗଭର ହୋଇଥିଲେ । ଏଥିପାଇଁ କିଛି କିଛି ପାଣ୍ଠି ସଂଗ୍ରହ କରିବା ସହ ମିଶନ ଶକ୍ତିରୁ ସହଯୋଗ ପାଇଥିଲେ । ସେମାନେ ଜିଆଖତ ପ୍ରସ୍ତୁତ କରିବା ସହ ବିଲରେ ଧନିଚା ବୁଣି ଖତ କରିଥିଲେ । ପ୍ରତ୍ୟେକ ମହିଳା ୫୦ ଏକର ଜମିରେ ଚାଷ କରି ବେଶ୍ ଲାଭବାନ ହୋଇଥିବା ବେଳେ ଚଳିତ ବର୍ଷ ୩୨ ପ୍ରକାର ଦେଶୀ ଧାନ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା ଜଣାଯାଇଛି ।

୨୫୦ ଗ୍ରାମ ଲେଖାଏଁ ଦେଶୀ ଧାନ ବିହନ ସଂଗ୍ରହ କରି ମହିଳାମାନେ ଚଳିତ ବର୍ଷ ଚାଷ କରିଥିଲେ । ସବୁ ବିହନରୁ ୧୦ରୁ ୧୨ କେଜି ଧାନ ଉତ୍ପାଦନ କରିଛନ୍ତି । ଆଗକୁ ଦେଶୀ ଧାନ ଚାଷ ଅଧିକ ପରିମାଣରେ କରିବା ପାଇଁ ମହିଳାମାନେ ଆଗ୍ରହୀ ଥିବା ଜଣାଯାଇଛି । ସବୁଠାରୁ ବଡ଼ କଥା ହେଉଛି, ମହିଳାମାନେ କଳାଚାଉଳ ଧାନ ଚାଷ କରି ଉତ୍ପାଦନ କରିଛନ୍ତି । ଏହି ଔଷଧିୟ ଚାଉଳର ଚାହିଦା ବେଶ ଅଧିକ ରହିଥିବା ବେଳେ ଏହା ସେମାନଙ୍କୁ ବିଶେଷ ଲାଭ ଦେବ ବୋଲି ଜଣାଯାଇଛି । ମହିଳାମାନେ ପ୍ରସ୍ତୁତ କରୁଥିବା ଜିଆଖତ ଏବଂ ଧନିଚା ଚାଷରୁ ସଂଗ୍ରହ କରୁଥିବା ମଞ୍ଜିକୁ ମଧ୍ୟ ବଜାରରେ ବିକ୍ରି କରି ଲାଭବାନ ହେଉଥିବା ଜଣାଯାଇଛି । ମିଶନ ଶକ୍ତି ବିଭାଗ ଏବଂ ଓରମାସ ଏଥିପାଇଁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ସୂଚନା ମିଳିଛି । ଆଗକୁ ଜୈବିକ ପ୍ରଣାଳୀରେ ଚାଷ କରିବା ପାଇଁ ଲୋକମାନଙ୍କୁ ସଚେତନ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏମବିକେ ସୂଚନା ଦେଇଛନ୍ତି । ଉକ୍ତ ପଞ୍ଚାୟତର ସୀମାରାଣୀ ପାତ୍ର, ରିନା ସେଠୀ, ଦମୟନ୍ତି ପ୍ରଧାନ, ଲକ୍ଷ୍ମୀପ୍ରିୟା ରାଉତ, ମଲ୍ଲୀ ନାୟକ, କୋକିଳ ନାୟକ ପ୍ରମୂଖ ଜୈବିକ ଚାଷ ଉପରେ ଗୁରୁତ୍ୱ ଦେବା ସହ ଲୋକଙ୍କୁ ସଚେତନ କରୁଥିବା ଜଣାଯାଇଛି । ମିଶନ ଶକ୍ତି ବିଭାଗ ଏହି ଅଞ୍ଚଳରେ ଜୈବିକ ଚାଷ କଷ୍ଲର ପାଇଁ ପ୍ରଚେଷ୍ଟା ଜାରି ରଖିଛି । ଏହା ଦ୍ୱାରା ରସାୟନିକ ସାର ବ୍ୟବହାର କମିବା ସହ ଉତ୍ତମ ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.