ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୦୨୩-୨୪ ହେବ ନିଯୁକ୍ତି ଓ ରୂପାନ୍ତରଣର ବର୍ଷ : ଗଣଶିକ୍ଷା ବିଭାଗରେ ନିଯୁକ୍ତି ପାଇବେ ୫୧ ହଜାରରୁ ଅଧିକ ଶିକ୍ଷକ

ଭୁବନେଶ୍ୱର : ଗଣଶିକ୍ଷା ବିଭାଗ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ନିଯୁକ୍ତି ଓ ରୂପାନ୍ତରଣର ବର୍ଷ ହେବ। ମିଳିବ ରେକର୍ଡ଼ ସଂଖ୍ୟକ ନିଯୁକ୍ତି। ଗୁଣାତ୍ମକ ଶିକ୍ଷାଦାନ ପାଇଁ ଗୁଣାତ୍ମକ ଭିତ୍ତିଭୂମିର ବିକାଶ ସହ କୌଣସି ବର୍ଗର କର୍ମଚାରୀ ପଦ ଖାଲି ନ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଗଣଶିକ୍ଷା ବିଭାଗରେ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ୫୧ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରାଯିବା ସହ ଅଣଶିକ୍ଷକ କର୍ମଚାରୀ ପଦ ପୂରଣ ପାଇଁ ସବୁ ବର୍ଗରେ ପ୍ରଚେଷ୍ଠା ଜାରି ରହିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଜେଟ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାଶ ପ୍ରସ୍ତାବିତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଛନ୍ତି। ଚଳିତ ବର୍ଷ ବଜେଟରେ ଶିକ୍ଷା କ୍ଷେତ୍ରର ଅଭିବୃଦ୍ଧି, ବିକାଶ, ଭିତ୍ତିଭିୂମି ଉନ୍ନୟନ ଓ ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ବଜେଟ ବିଗତ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୫ପ୍ରତିଶତ ବୃଦ୍ଧି ପାଇଛି। ସ୍କୁଲ ଓ ଗଣଶିକ୍ଷାର ସାମଗ୍ରିକ ବିକାଶ ପାଇଁ ମୋଟ ୨୨,୫୨,୭୮୦.୨୩ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ପ୍ରଶାସନିକ ଖର୍ଚ୍ଚ ପାଇଁ ୧୨,୮୬,୨୮୪.୨୩ ଲକ୍ଷ ଏବଂ କାର୍ଯ୍ୟକ୍ରମ ଖର୍ଚ୍ଚ ୯,୬୬,୪୯୬.୦୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ୫୩ ହଜାରରୁ ଅଧିକ ନୂତନ ନିଯୁକ୍ତି ପ୍ରଦାନ କରାଯିବ। ଏହାସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଉ ୨୩୬ଟି ଛାତ୍ରନିବାସ ନୂତନ ଭାବରେ ନିର୍ମାଣ କରାଯିବ।

୨୦୨୨-୨୩ ଆର୍ଥିକ ବର୍ଷରେ ସ୍କୁଲ ୟୁନିଫର୍ମ ଓ ଅନ୍ୟାନ୍ୟ ସହାୟକ ସାମଗ୍ରୀ ପାଇଁ ପୂର୍ବରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୬୦୦ଟଙ୍କା ପ୍ରଦାନ କରାଯାଉଥିବାବେଳେ ଏବେ ତାହାକୁ ବୃଦ୍ଧି କରାଯାଇ ୧ହଜାର ଟଙ୍କା କରାଯାଇଛି। ଏହି ଯୋଜନା ନିମନ୍ତେ ୨୩୪୪୬ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ସରକାରୀ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପିଲାଙ୍କ ପାଇଁ ନୋଟ୍‌‌ ବୁକର ବ୍ୟବସ୍ଥା କରାଯାଇଛି। ଶିକ୍ଷା ଅନୁଷ୍ଠାନଗୁଡିକର ଭିତ୍ତିଭୂମିର ବିକାଶ ପାଇଁ ୨୭୭୮.୨୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ପ୍ରଥମିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନିମନ୍ତେ ୧୭ କୋଟି, ସୈନିକ ସ୍କୁଲ ନିର୍ମାଣ ପାଇଁ ୮.୫କୋଟି, ମାଧ୍ୟମିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ପାଇଁ ୨୬.୫୦କୋଟି ଓ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ଲାଗି ୬୮କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ପାଇଁ ୧କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବାବେଳେ ‘୫-ଟି’ ବିଦ୍ୟାଳୟ ରୂପାନ୍ତରଣ, ମୋ ସ୍କୁଲ ଅଭିଯାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରି ଅଭିନବ ଯୋଜନା ବାବଦକୁ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯାଇଛି। ନୂଆ ଯୋଜନା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜିଲ୍ଲା, ବ୍ଲକ, ବିଦ୍ୟାଳୟ, ପ୍ରଧାନଶିକ୍ଷକ, ଶିକ୍ଷକ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ସିଆରସିସି,ଏସଏମସି, ବିଇଓ, ଡିଇଓ, ପୁରାତନ ଛାତ୍ର କମିଟି ଓ ଡାଏଟଗୁଡ଼ିକ ପାଇଁ ୧୩୮.୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଅପରପକ୍ଷେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧିନରେ ୫୧,୫୩୫ଟି ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୦୭୦ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ୧୦୪୫.୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ନବମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସାଇକେଲ ଯୋଗାଇଦେବା ପାଇଁ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଅଧୀନରେ ୧୫୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୧୯୧୮.୧୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହାସହ ଶିକ୍ଷକମାନଙ୍କ ପ୍ରଶିକ୍ଷଣ ନିମିତ୍ତ ୬୦୬୨ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ‘ନ୍ୟୁ ଇଣ୍ଡିଆ ଲିଟେରାସି ଯୋଜନା’ରେ ୭୧୫.୬୨ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯିବା ସହ ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୂତନ ଭାବରେ ନିର୍ମାଣ କରାଯିବ।

Leave A Reply

Your email address will not be published.