ମୁଡିସ୍ ରିପୋର୍ଟ : ଆମେରିକାର ଆଉ ୬ ବ୍ୟାଙ୍କକୁ ଡୁବିଯିବାର ଭୟ

ୱାଶିଂଟନ୍ : ଆମେରିକାରେ ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସ୍ଭିବି) ଦେବାଳିଆ ହେବା ପରେ ପରେ ସିଗ୍ନେଚର ବ୍ୟାଙ୍କ ମଧ୍ୟ ସାମୟିକ ଭାବେ ବନ୍ଦ ହୋଇଯାଇଛି, ଯାହାକୁ ନେଇ ସାରା ପୁଞ୍ଜିବଜାର ଦୋହଲିଯାଇଛି। ଏହା ମଧ୍ୟରେ ଆମେରିକାର ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ନେଇ ଆଉ ଏକ ବଡ଼ ଖବର ଆସିଛି। ମୁଡିସ୍ ଇନଭେଷ୍ଟର୍ସ ସର୍ଭିସ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆମେରିକାର ଆଉ ୬ ବ୍ୟାଙ୍କକୁ ଡୁବିଯିବାର ଭୟ ରହିଛି। ଏହି ବ୍ୟାଙ୍କଗୁଡିକ ହେଉଛି ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ, ଜିଓନ୍ସ, ୱେଷ୍ଟର୍ଣ୍ଣ ଆଲିଆନ୍ସ, କୋମେରିକା, ୟୁଏମ୍ବି ଫାଇନାନ୍ସିଆଲ୍ କର୍ପ ଏବଂ ଇନ୍ଟ୍ରଷ୍ଟ ଫାଇନାନ୍ସିଆଲ୍ କର୍ପୋରେସନ।
ମୁଡିସ୍ ମଧ୍ୟ ଏହି ସବୁ ବ୍ୟାଙ୍କର ରେଟିଂକୁ ଡାଉନଗ୍ରେଡ୍ କରିଛି। ଅପରପେକ୍ଷ ଆମେରିକାର ନିୟାମକ ଏବଂ ଫେଡେରାଲ ରିଜର୍ଭ ଏହା ନିଶ୍ଚିତ କରିଛନ୍ତି ଯେ ପରିସ୍ଥିତି ୨୦୦୮ କିମ୍ବା ଲେହମାନ ବ୍ରଦର୍ସ ଭଳି ନୁହେଁ, କିନ୍ତୁ ରେଟିଂ ଏଜେନ୍ସିମାନେ ଏଥିରେ ସହମତ ନୁହଁନ୍ତି। ଏହାସହିତ ମୁଡିସ୍ ଏହି ବ୍ୟାଙ୍କଗୁଡିକର ବ୍ୟାଙ୍କ ଜମାକାରୀଙ୍କୁ ବୀମାଭୁକ୍ତ ଜମା ଉପରେ ନିର୍ଭରଶୀଳତା ଏବଂ ସେମାନଙ୍କ ସମ୍ପତ୍ତି ପୋର୍ଟଫୋଲିଓରେ କ୍ଷତି ହେବାର ଆଶଙ୍କା ବିଷୟରେ ଚେତାଇ ଦେଇଛି।
ସୋମବାର ମୁଡିସ୍ ନ୍ୟୁୟର୍କ ଭିତ୍ତିକ ସିଗ୍ନେଚର ବ୍ୟାଙ୍କର ଋଣ ମୂଲ୍ୟାୟନକୁ ଜଙ୍କ୍ ବର୍ଗରେ ସ୍ଥାନିତ କରିଛି। ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ରେଟିଂ ଏଜେନ୍ସି ସିଗ୍ନେଚର ବ୍ୟାଙ୍କକୁ ‘ସି’ ରେଟିଂ ଦେଇଥିଲା। ଏହାବ୍ୟତୀତ ସିଗ୍ନେଚର ବ୍ୟାଙ୍କର ଭବିଷ୍ୟତ ମୂଲ୍ୟାୟନ ପ୍ରତ୍ୟାହାର କରିନେଇଛି। ଆମେରିକାର ବ୍ୟାଙ୍କିଙ୍ଗ କ୍ଷେତ୍ର ପାଇଁ ମୁଡିଙ୍କ ଏହି ପଦକ୍ଷେପ ଏକ ପ୍ରମୁଖ ପ୍ରତିବନ୍ଧକ ଭାବରେ ବିବେଚନା କରାଯାଉଛି। ବର୍ତ୍ତମାନର ସଙ୍କଟକୁ ଆମେରିକାର ବ୍ୟାଙ୍କିଙ୍ଗ ଇତିହାସରେ ତୃତୀୟ ବୃହତ ବିପର୍ଯ୍ୟୟ ବୋଲି ବିବଚେନା କରାଯାଉଛି। ଆଜିର କାରବାରରୋ ଆମେରିକାର ବ୍ୟାଙ୍କଗୁଡିକର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଉଛି। ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ ସେୟାର ମୂଲ୍ୟରେ ରେକର୍ଡ ୬୨% ଏବଂ ୱେଷ୍ଟର୍ଣ୍ଣ ଆଲାଇନ୍ସ ୪୭% ହ୍ରାସ ପାଇଛି। ଡଲାସ୍ ଭିତ୍ତିକ କୋମେରିକା ବ୍ୟାଙ୍କର ୨୮%, ୟୁଏମ୍ବି ଫାଇନାନ୍ସିଆଲ୍ କର୍ପର ୧୬%, ଏବଂ ଜିଓନ୍ସର ସେୟାର ମୂଲ୍ୟରେ ୨୬% ହ୍ରାସ ଘଟିଛି।
ସୋମବାର ଆମେରିକାରେ ବଜାର କାରବାର ଆରମ୍ଭ ହେବା ମାତ୍ରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ସେୟାରଗୁଡିକର ମୂଲ୍ୟରେ ହ୍ରାସ ଘଟିବା ବଜାରରେ ହା ହା କାର ଖେଳିଯାଇଥିଲା। ପ୍ରାୟ ଏକ ଡଜନ ଆଞ୍ଚଳିକ ବ୍ୟାଙ୍କରେ କାରବାର ସାମୟିକ ଭାବେ ବନ୍ଦ ହୋଇଯାଇଥିଲା। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଉଭୟ ବ୍ୟାଙ୍କର ଜମାକାରୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନଙ୍କ ଟଙ୍କା ସୁରକ୍ଷିତ ଅଛି। ଯେଉଁମାନେ ବ୍ୟାଙ୍କଗୁଡିକର ପତନ ପାଇଁ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।