ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୂତ ନାଁରେ ଶ୍ରମକାର୍ଡ କରି ଅର୍ଥ ଆତ୍ମସାତ୍‌

ରାୟଗଡ଼ା : ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲେ ହେଁ ଭୂତଙ୍କ ନାଁରେ ପଞ୍ଜୀକରଣ ହେଉଛି ନୂତନ ଶ୍ରମକାର୍ଡ। ମିଳୁଛି ସମସ୍ତ ସରକାରୀ ସୁବିଧା । ପୁଣି ମୃତ୍ୟୁକାଳୀନ ଆର୍ଥିକ ସହାୟତା ସକାଶେ ଶ୍ରମ କାର୍ଯ୍ୟାଳୟରେ ହେଉଛି ଅାବେଦନ । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଉକ୍ତ ଫାଇଲକୁ ବିଭାଗୀୟ ଅଧିକାରୀ ଯାଞ୍ଚ କରିବା ପରେ ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ କରୁଛନ୍ତି ସୁପାରିସ । ତେବେ ଉକ୍ତ ଆର୍ଥିକ ସହାୟତା ମୃତ ହିତାଧÒକାରୀଙ୍କ ନାଁରେ ଉଠାଇ ବିଭାଗୀୟ ଅଧିକାରୀ ଓ ଦଲାଲ ଅର୍ଥ ହଡ଼ପ କରୁଥିବା ଜଣାପଡିଛି । ଶ୍ରମ କାର୍ଯ୍ୟାଳୟରେ ଏଭଳି ଅନେକ ମୃତ ହିତାଧିକାରୀଙ୍କ ନାମରେ କାର୍ଡ କରି ସରକାରୀ ପାଣ୍ଠିରୁ ଅର୍ଥ ଆତ୍ମସାତ୍‌ କରାଯାଉଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି।

ଅନୁସନ୍ଧାନରୁ ଜଣାପଡିଛି ଯେ ରାୟଗଡ଼ା ସଦର ବ୍ଲକ ଅଧୀନ କୋତାପେଟା ଢେପାସାହିର କୁମାରୀ ବେହେରା ନାମକ ଜଣେ ମହିଳା ଗତ ୨୦୧୯ମସିହା ଅକ୍ଟୋବର ୨୯ରେ ମୃତ୍ୟୁବରଣ କରିଥିଲେ । ତେବେ ମୃତ୍ୟୁର ଦୁଇବର୍ଷ ପରେ ଅର୍ଥାତ୍‌ ୨୦୨୧ ମସିହା ଅଗଷ୍ଟ ୧୩ରେ ତାଙ୍କ ନାମରେ ଶ୍ରମକାର୍ଡ ପଞ୍ଜୀକରଣ ହୋଇଛି। ଏହା କିପରି ହୋଇଛି, ଶ୍ରମିକଙ୍କ ବିନା ଉପସ୍ଥିତିରେ କାହାକୁ ଓ କାହିଁକି କାର୍ଡ ହସ୍ତାନ୍ତର କରାଯାଇଛି, ତାହା ତଦନ୍ତ ସାପେକ୍ଷ। ଶ୍ରମ ଅଧିକାରୀ ଅଜାଣତରେ ନା ଜାଣିଶୁଣି ମୃତବ୍ୟକ୍ତିଙ୍କ ନାମରେ ଶ୍ରମ କାର୍ଡ ପଞ୍ଜୀକରଣ କରି ପରବର୍ତ୍ତି ମୁହୂର୍ତ୍ତରେ ତାଙ୍କ ନାମରେ ମୃତ୍ୟୁକାଳୀନ ସରକାରୀ ସହାୟତା ହଡ଼ପ ନିମନ୍ତେ ଏହା କରିଛନ୍ତି ତାହା ଏବେ ବିରାଟ ପ୍ରଶ୍ନ ସୃଷ୍ଟି କରିଛି ।

ହିତାଧିକାରୀଙ୍କୁ ନିଜ ହାତରେ ସିଧାସଳଖ କାର୍ଡ ପ୍ରଦାନ କରାଯାଇ କାର୍ଯ୍ୟାଳୟର ରେଜିଷ୍ଟରରେ ସ୍ୱାକ୍ଷର କରାଯିବା ପରେ ସମ୍ପୃକ୍ତ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରାଯିବା ନେଇ ସରକାରୀ ନିର୍ଦ୍ଦେଶ ରହିଛି । କିନ୍ତୁ ମୃତ ମହିଳା ଜଣକ କିଭଳି ଭାବେ ଶ୍ରମ କାର୍ଯ୍ୟାଳୟରେ ପହଞ୍ଚି କାର୍ଡ ନେଇଛନ୍ତି, ସେନେଇ ମଧ୍ୟ ଶ୍ରମ କାର୍ଯ୍ୟାଳୟ ଅଧିକାରୀଙ୍କ ଭୂମିକାକୁ ନେଇ ସନ୍ଧେହ ସୃଷ୍ଟି ହୋଇଛି । ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଉଛି । ଯଦ୍ୱାରା ହିତାଧିକାରୀ ଶ୍ରମିକଙ୍କୁ ଦୁର୍ଘଟଣା ଜନିତ ଆର୍ଥିକ ସହାୟତା, ମୃତ୍ୟୁକାଳୀନ ଆର୍ଥିକ ସହାୟତା, ଚିକିତ୍ସା ସହାୟତା, ବିବାହ ଲାଗି ଆଥିିକ ସହାୟତା, ମାତୃତ୍ୱ ସମେତ ଅବସରକାଳୀନ ସୁବିଧା ଆଦି ପ୍ରଦାନ କରାଯାଉଛି। ଏଥିପାଇଁ ସରକାରୀ ତହବିଲରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ।

କିନ୍ତୁ ପରିତାପର ବିଷୟ, ବିଭାଗୀୟ ଅଧିକାରୀ ଓ ଦଲାଲଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ହିତାଧିକାରୀଙ୍କ ନାଁରେ ମିଥ୍ୟା ତଥ୍ୟ ପ୍ରଦାନ କରି ଶ୍ରମ କାର୍ଡ କରାଯାଇ ହିତାଧିକାରୀଙ୍କୁ ଉପରୋକ୍ତ ସୁବିଧା ପ୍ରଦାନ ବାବଦକୁ ଆସୁଥିବା ଅନୁଦାନ ରାଶିକୁ ଆତ୍ମସାତ କରାଯାଉଛି। ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ଯସ୍ମିନ ସାହୁଙ୍କୁ ପଚାରିବାରୁ ସମ୍ପୃକ୍ତ ଘଟଣା ସମ୍ପୂର୍ଣ୍ଣ ବେଆଇନ ଅଟେ । ଅନ୍‌ଲାଇନ ଆବେଦନ ବେଳେ କୌଣସି କାରଣ ଯୋଗୁଁ ବିଳମ୍ବ ଘଟିବାରୁ ହିତାଧିକାରୀଙ୍କ ମୃତ୍ୟୁ ପରେ କାର୍ଡ ଜାରି ହୋଇପାରେ। ସାମ୍ପ୍ରତିକ ସମୟରେ ମୃତ୍ୟୁକାଳୀନ ସହାୟତା ପ୍ରଦାନ ହେବନି । ଏଭଳି ଅନୈତିକ କାର୍ଯ୍ୟରେ ଯେଉଁ ବ୍ୟକ୍ତି ଲିପ୍ତ ରହିଛନ୍ତି, ସେମାନଙ୍କ ନାମରେ ଥାନାରେ ମାମଲା ଦାୟର କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀମତି ସାହୁ ସୂଚନା ଦେଇଛନ୍ତି । 

Leave A Reply

Your email address will not be published.