ସରି ଆସୁଛି ଶ୍ରମ ଦିବସ : ଡିସେମ୍ବର ୧୫ ପରେ ଘରେ ବସିବେ ‘ମନରେଗା’ ଶ୍ରମିକ

ଭୁବନେଶ୍ୱର: ପ୍ରତିକୂଳ ପରିସ୍ଥିତିରେ ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀକୁ ‘ମନରେଗା’ ମାଧ୍ୟମରେ କାର୍ଯ୍ୟ ଯୋଗାଇ ଦିଆଯାଇଥାଏ। ବର୍ଷ ତମାମ ବିଭିନ୍ନ ସରକାରୀ ନିର୍ମାଣ, ଖନନ ଆଦି କାର୍ଯ୍ୟ ଏହା ଦ୍ୱାରା କରାଯାଏ। ନିୟମିତ କାମ ଏବଂ ମଜୁରୀ ପ୍ରଦାନ ସମାଜର ନିମ୍ନବର୍ଗ ହାତକୁ ରୋଜଗାର ଦେଇଥାଏ। ମାତ୍ର ରାଜ୍ୟଗୁଡ଼ିକର ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ଶ୍ରମ ଦିବସ ମଞ୍ଜୁରୀ ଏବଂ ସାମଗ୍ରୀ ବାବଦ ଦେୟ ପ୍ରଦାନ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି। ହେଲେ ଚଳିତ ବର୍ଷ ପାଇଁ ରାଜ୍ୟକୁ ମିଳିଥିବା ଶ୍ରମ ଦିବସ ଖୁବ୍ଶୀଘ୍ର ସରିବାକୁ ଯାଉଛି।
ଏପଟେ ସାମଗ୍ରୀ ବାବଦ ଦେୟର ବକେୟା ବୃଦ୍ଧି ପାଇବାରେ ଲାଗିଛି। ୨୦ରୁ ୨୨ ଦିନ ମଧ୍ୟରେ ପର୍ଯ୍ୟାପ୍ତ ଶ୍ରମ ଦିବସ ମଞ୍ଜୁର ନ ହେଲେ ଆସନ୍ତା ଡିସେମ୍ବର ତୃତୀୟ ସପ୍ତାହରେ ମନରେଗା ଅଧୀନସ୍ଥ କାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ଯଥାଶୀଘ୍ର ଶ୍ରମ ଦିବସ ମଞ୍ଜୁର ନ ହେଲେ ଡିସେମ୍ବର ୧୫ ତାରିଖ ପରେ ମନରେଗା ଶ୍ରମିକ ଘରେ ବସିରହିବା ଏକପ୍ରକାର ନିଶ୍ଚିତ। ଅପରପକ୍ଷରେ ମନରେଗା କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ବାବଦ ଦେୟର ବକେୟା ନିୟମିତ ପ୍ରଦାନ କରୁନାହିଁ। ଶେଷ ଥର ପାଇଁ ୪୦୦ କୋଟି ଟଙ୍କାର ବକେୟା ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସାମଗ୍ରୀ ବାବଦରେ ବକେୟା ୨୦୦ କୋଟି ଟଙ୍କା ଛୁଇଁଲାଣି। ସାମଗ୍ରୀ ବାବଦ ସହାୟତା ନ ମିଳୁ ନଥିବାରୁ କାର୍ଯ୍ୟ ମନ୍ଥର ହେଉଛି ଏବଂ ଧାର୍ଯ୍ୟ ଲକ୍ଷ୍ୟ ଠିକ୍ ସମୟରେ ପୂରଣ ହୋଇପାରୁ ନାହିଁ।
ଗତ ଦୁଇ ଆର୍ଥିକ ବର୍ଷ (୨୦୨୦-୨୧ ଏବଂ ୨୦୨୧-୨୨)ରେ ମହାମାରୀ ପରିସ୍ଥିତି ସତ୍ତ୍ବେ ରାଜ୍ୟ ଯଥାକ୍ରମେ ୨୦.୫୦ ଲକ୍ଷ ଏବଂ ୨୦.୨୪ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିଥିଲା। ଏଣୁ ସ୍ୱାଭାବିକ ଭାବେ ଚଳିତ ଆର୍ଥିକ ବର୍ଷ (୨୦୨୨-୨୩) ରେ ରାଜ୍ୟକୁ ଅଧିକ ଶ୍ରମ ଦିବସ ମଞ୍ଜୁର ହେବା କଥା; ମାତ୍ର କେନ୍ଦ୍ର ପକ୍ଷରୁ ମାତ୍ର ୧୪ କୋଟି ଶ୍ରମ ଦିବସ ମଞ୍ଜୁର କରାଯାଇଥିଲା। ସଦ୍ୟତମ ସୂଚନାନୁଯାୟୀ, ଏବେ ସୁଦ୍ଧା ୧୨ କୋଟି ୬୭ ଲକ୍ଷ ୭୩ ହଜାର ଶ୍ରମ ଦିବସ ସୃଷ୍ଟି ହୋଇଗଲାଣି। ଏହା ମଞ୍ଜୁର ହୋଇଥିବା ଶ୍ରମ ଦିବସର ପ୍ରାୟ ୯୧%। ଯେଉଁ ହାରରେ ସଫଳତାର ସହ ତୃଣମୂଳରେ ମନରେଗା କାର୍ଯ୍ୟାନ୍ୱୟନ ହେଉଛି, ଆସନ୍ତା ଡିସେମ୍ବର ୧୫ ସୁଦ୍ଧା ଧାର୍ଯ୍ୟ ଶ୍ରମ ଦିବସ ଶେଷ ହେବାକୁ ଯାଉଛି।
ଅନ୍ୟପକ୍ଷରେ, ପୂର୍ବ ବର୍ଷଗୁଡ଼ିକ ତୁଳନାରେ ‘ମନରେଗା’ ବାବଦରେ କେନ୍ଦ୍ର ସରକାର ବଜେଟ ହ୍ରାସ ପାଇବାରେ ଲାଗିଛି। ଏହାଦ୍ୱାରା ଶ୍ରମ ଦିବସ ଏବଂ ଦେୟ ଆପେ ଆପେ ହ୍ରାସ ପାଉଛି। ରାଜ୍ୟଗୁଡ଼ିକର ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ଏହାକୁ ବିଚାର କରୁନାହିଁ। ଚଳିତ ବର୍ଷ ସମଗ୍ର ଦେଶ ପାଇଁ ୭୩,୦୦୦ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା। ଏହା ପୂର୍ବବର୍ଷ ଏହି ରାଶିର ପରିମାଣ ୧.୧୦ କୋଟି ରହିଥିଲା। ଓଡ଼ିଶା, କେରଳ, ତାମିଲନାଡୁ ଏବଂ ରାଜସ୍ଥାନ ଭଳି ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଅଛି। ଅଧିକାଂଶ ରାଜ୍ୟ ହାରାହାରି ଠାରୁ ଉତ୍ତମ ସ୍ଥିତିରେ କାର୍ଯ୍ୟାନ୍ୱୟନ କରୁଛନ୍ତି। ମାତ୍ର ୟୁପି ଓ ବିହାର ଭଳି ରାଜ୍ୟରେ ଏହା ଯେଉଁଭଳି ଭାବେ ଲାଗୁ ହେବା କଥା, ତାହା ହୋଇ ନ ଥିବା କେନ୍ଦ୍ର ସରକାର ଅନୁଭବ କରିଛନ୍ତି।
କିଛିଦିନ ତଳେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ସଚିବ ଅମରଜିତ ସିହ୍ନାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ଏହାର ଉପଲବ୍ଧି ମୂଲ୍ୟାଙ୍କନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବିଭିନ୍ନ ରାଜ୍ୟର ସ୍ଥିତିକୁ ବିଚାର କରାଯାଇ ଆସନ୍ତା ଆର୍ଥିକ ବର୍ଷରେ ଶ୍ରମ ଦିବସ ଆବଣ୍ଟନ କରାଯିବ। ସିହ୍ନା କମିଟି ଆସନ୍ତା ଫେବୃୟାରୀ ଶେଷ ସପ୍ତାହ ସୁଦ୍ଧା ରିପୋର୍ଟ ପ୍ରଦାନ କରିବ। ହେଲେ ଏହି କମିଟି ରିପୋର୍ଟକୁ ଆଳ କରି ଚଳିତ ଆର୍ଥିକ ପ୍ରାୟ ୪ ମାସ ପାଇଁ ଶ୍ରମ ଦିବସକୁ ସଙ୍କୁଚିତ କରା ନ ଯାଉ ବୋଲି ଦାବି କରାଯାଇଛି। ଆଗାମୀ ୪ ମାସ ପାଇଁ ରାଜ୍ୟ ପକ୍ଷରୁ ଅତିରିକ୍ତ ୧୦ରୁ ୧୧ କୋଟି ଶ୍ରମ ଦିବସ ଦାବି କରାଯିବାର ସମ୍ଭାବନା ରହିଛି। ମାତ୍ର କେନ୍ଦ୍ର ପକ୍ଷରୁ ସମଗ୍ର ଦେଶ ପାଇଁ ଧାର୍ଯ୍ୟ ୭୩,୦୦୦ କୋଟି ଟଙ୍କାରୁ ୫୯,୪୨୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ସାରା ଦେଶ ପାଇଁ ବ୍ୟୟ ବରାଦ ମଧ୍ୟ ଡିସେମ୍ବର ମଧ୍ୟ ଭାଗରେ ସରିବାକୁ ଯାଉଛି। ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ବଳକା ଆର୍ଥିକ ବର୍ଷ ପାଇଁ ମାତ୍ର ୨୫୦୦୦ କୋଟି ଟଙ୍କା ବ୍ୟୟ ବରାଦ ବୃଦ୍ଧି କରିପାରନ୍ତି। ଏହାକୁ ହିସାବ କଲେ ଓଡ଼ିଶା ଭଳି ରାଜ୍ୟ ଆବଶ୍ୟକ ଶ୍ରମ ଦିବସ ପାଇ ନ ପାରେ ବୋଲି ଆଶଙ୍କା କରାଯାଉଛି।