ବଢିବ ବିଧାୟକଙ୍କ ଦରମା, ଖୁବଶୀଘ୍ର ବିଧାନସଭା ଉପଦେଷ୍ଟା କମିଟି ବାଚସ୍ପତିଙ୍କୁ ପ୍ରଦାନ କରିବ ରିପୋର୍ଟ

ଭୁବନେଶ୍ବର : ବଢିବ ବିଧାୟକଙ୍କ ଦରମା । ବିଧାନସଭାର ଉପେଦଷ୍ଟା କମିଟି ବୈଠକରେ ଏନେଇ ଆଲୋଚନା ଶେଷ ହୋଇଛି । ଖୁବଶୀଘ୍ର ବିଧାୟକଙ୍କ ଦରମା ବୃଦ୍ଧି ନେଇ ବାଚସ୍ପତିଙ୍କୁ ଉପଦେଷ୍ଟା କମିଟିର ରିପୋର୍ଟ ଦିଆଯିବ । ଏହାପରେ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ । ଏହାପୂର୍ବରୁ ବିଧାନସଭା ଅଧିବେଶନରେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ଯାହାକୁ ଆଧାର କରି ଉପଦେଷ୍ଟା କମିଟି ଏ ବାବଦରେ ଆଲୋଚନା କରିଛି ।

ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ୨ ଲକ୍ଷରୁ ଅଢେଇ ଲକ୍ଷ ରହିଛି । ଓଡ଼ିଶାରେ ବିଧାୟକଙ୍କ ଦରମା କମ ରହିଛି । ସବୁ ମିଶିକି ୯୮ ହଜାର ବିଧାୟକମାନେ ପାଉଛନ୍ତି । ଖୁବଶୀଘ୍ର ଦରମା ବୃଦ୍ଧି ନେଇ ବାଚସ୍ପତିଙ୍କୁ ରିପୋର୍ଟ ଦିଆଯିବ। ଏଥି ସହିତ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ମଧ୍ୟ ଆଲୋଚନା ହୋଇଛି । ସେହିଭଳି ପୂର୍ବତନ ବିଧାୟକଙ୍କୁ ମିଳୁଥିବା ଚିକିତ୍ସା ଖର୍ଚ୍ଚ ମଧ୍ୟ ବୃଦ୍ଧି କରିବାକୁ ଆଲୋଚନା ହୋଇଛି। ଉପଦେଷ୍ଟା କମିଟି ଏ ବାବଦରେ ବାଚସ୍ପତିଙ୍କୁ ରିପୋର୍ଟ ଦେବେ। ଏହାପରେ ସବିଶେଷ ନିଷ୍ପତ୍ତି ନେବେ ରାଜ୍ୟ ସରକାର ।

ସୂଚନାଯୋଗ୍ୟ ୨୦୨୨ ଜୁଲାଇରେ ହୋଇଥିବା ବିଧାନସଭା ବୈଠକ ସମୟରେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିଥିଲା। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଥିଲେ ବିଜେପି,କଂଗ୍ରେସ ଓ ବିଜେଡି । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ପ୍ରସଙ୍ଗ ଉଠାଇ କହିଥିଲେ ଶେଷ ଥର ପାଇଁ ୧୩.୦୯.୨୦୧୭ ରେ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଆଉ ଏବେ ସବୁ ରେଟ ବି ବଢିଛି ତେଣୁ ବିଧାୟକ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ଦାବି କରିଥିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ।

ଅନ୍ୟ ରାଜ୍ୟର ବିଧାୟକ ମାନେ ଅଧିକ ଟଙ୍କା ଦରମା ପାଉଥିବା ବେଳେ ଆମ ରାଜ୍ୟରେ ତାହା ବହୁତ କମ ରହିଛି । ଓଡ଼ିଶାରେ ବିଧାୟକ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ କୁ ମିଶାଇ ମୋଟ ୯୮ ହଜାର ରହିଛି ତେଣୁ ତାକୁ ବଢାଯାଉ । ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି ମଧ୍ୟ ଦରମା ବଢ଼ାଇକୁ ଦାବି କରିଥିଲେ । ଅନେକ ସାମାଜିକ କାର୍ଯ୍ୟକ୍ରମକୁ ଯାଉଛନ୍ତି ତେଣୁ ଖର୍ଚ୍ଚ ବଢୁଛି । ଏହା ସହ ପୂର୍ବତନ ବିଧାୟକ ମାନେ ପେନସନ ମାତ୍ର ୩୦ ହଜାର ପାଉଛନ୍ତି ତେଣୁ ଉଭୟ ପୂର୍ବତନ ବିଧାୟକଙ୍କ ପେନସନ ଏବଂ ବିଧାୟକ ମାନଙ୍କ ଦରମା ବଢ଼ାଇବାକୁ ଦାବି କରିଥିଲେ ତାରା । ଅନ୍ୟପଟେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ କହିଛନ୍ତି ଦରମା, ପେନସନ ଏବଂ ମେଡ଼ିକାଲ ଆଲାଉନସ୍ ବଢ଼ାଇବାକୁ ଦାବି କରିଥିଲେ।

ଏହାପରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏକ କମିଟି ଗଠନ କରିଥିଲେ।  ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିବାବେଳେ ଏଥିରେ କଂଗ୍ରେସ ଓ ବିଜେପିର ସଦସ୍ୟ ରହିଥିଲେ।  ଉକ୍ତ ଟିମ୍‌ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବିଚାର ବିମର୍ଶ କରିବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଯାହାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ପ୍ରଦାନ କରାଯିବ। ଏହାପରେ ସବିଶେଷ ନିଷ୍ପତ୍ତି ରାଜ୍ୟ ସରକାର ନେବେ ।

Leave a comment