ଜେଲ ଗଲେ କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ

ତୁରେକେଲା: ଜେଲ ଗଲେ କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ। ଗତକାଲି ସର୍ବସମ୍ମୁଖରେ ଗଣ୍ଡଗୋଳ କରିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ଆଜି ଜେଲ ହାଜତକୁ ପଠାଇ ଦିଆଯାଇଛି। ସେଜି ଗିରଫ ହେବା ପରେ ଆଜି ପାଟନାଗଡ଼ ଏସଡିଜେଏମ କୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଜାମିନ ଆବେଦନ ଖାରଜ କରିବାକୁ ତାଙ୍କୁ ଜେଲ ଯିବାକୁ ପଡ଼ିଛି। ସେଜିଙ୍କ ସହ ତାଙ୍କର ଆଉ ୫ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିଲେ। ସେମାନଙ୍କୁ ମଧ୍ୟ କୋର୍ଟ ଆଜି ଜାମିନ ଦେଇ ନାହାନ୍ତି। ଫଳରେ ସେଜିଙ୍କ ସହ ସେମାନେ ମଧ୍ୟ ଜେଲ ଯାଇଛନ୍ତି।
ସୂଚନା ଅନୁଯାଯୀ, ଏକ ସିନେମା ହଲ୍ରେ ଦାଦାଗିରି ସହ ମାରପିଟ୍ କରିବା, ବନ୍ଧୁକ ଦେଖାଇ ସିନେମା ହଲ୍ ମାଲିକଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ଗତକାଲି ଗିରଫ ହୋଇଛଥିଲେ କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ ସେଜି ସିଂ। ଅନ୍ୟ ପକ୍ଷରେ ସେଜି ସିଂହଙ୍କ ଦ୍ୱାରା ପରିଚାଳିତ ଜିମ୍ରେ ପୁଲିସ ଚଢ଼ଉ କରିଥିଲା, ସେଠାରୁ ପେଟିପେଟି ମଦ ଓ ଲକ୍ଷାଧିକ ଟଙ୍କା ଜବତ ହୋଇଥିଲା। ପୂର୍ବରୁ ଶ୍ରୀ ସିଂଙ୍କ ନାମରେ ବେଆଇନ ପଥର କ୍ୱାରୀ ଚଳାଇବା, ଦାଦାବଟି ଦାବି କରିବା, ଗଣ୍ଡଗୋଳ କରିବା, ଅନ୍ୟକୁ ଧମକଚମକ ଦେବା ପରି ଅଭିଯୋଗ ରହିଥିଲା। ମାତ୍ର ଗତକାଲୀ ସେଜି ସିଂ ସବୁକୁ ଅତିକ୍ରମ କରି ବନ୍ଧୁକ ଦେଖାଇ ସିନେମା ହଲ୍ ମାଲିକଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା।
କୌଣସି କାରଣରୁ ବିଧାୟକ ଶ୍ରୀ ସାଲୁଜାଙ୍କ ପୁଅ ସେଜି ସିଂ ସହ ଆଲିଶାନ ସିଲେମା ହଲ୍ ମାଲିକଙ୍କ ପୁଅଙ୍କ ସହ ବିବାଦ ସୃଷ୍ଟି ହୋଇଥିଲା। ବୁଧବାର ସେଜି ଓ ତାଙ୍କର ସାଥୀମାନେ ସିନେମା ହଲରେ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଥିଲେ। ବନ୍ଧୁକ ଦେଖାଇ ଘଟଣାସ୍ଥଳରେ ଆତଙ୍କରାଜ ସୃଷ୍ଟି କରିଥିଲେ। ଏପରିକି ସିନେମା ହଲ୍ ମାଲିକଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ଧମକଚମକ ଦେଇଥିଲେ।
ଏ ସମ୍ପର୍କରେ ସ୍ଥାନୀୟ ପୁଲିସକୁ ସିନେମା ହଲ୍ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଖବର ପାଇ ବେଲପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେଜିଙ୍କ ଆତଙ୍କରାଜ ଥମି ନ ଥିଲା। ପୁଲିସ କର୍ମଚାରୀଙ୍କ ସହ ସେଜି ଯୁକ୍ତିତର୍କ କରିଥିଲେ ଓ ତାଙ୍କର ସହଯୋଗୀମାନେ ସିନେମା ହଲ୍ରେ ଲାଗିଥିବା ସିସିଟିଭି ହାର୍ଡ଼ ଡ଼ିସ୍କକୁ ଧରି ପଳାଇବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ ତତ୍ପରତା ପ୍ରକାଶ କରି ସେଜି ସିଂକୁ ବାଟରେ ଗିରଫ କରିବାକୁ ସକ୍ଷମ ହୋଇଥିଲେ।