ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା , ଜେଲ୍ ଗଲା ରଙ୍ଗିଲା ମାଷ୍ଟର
ନନ୍ଦନକାନନ : ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ କୋଚିଂ ସେଣ୍ଟରର ଶିକ୍ଷକଙ୍କୁ ଝାରପଡ଼ା ଜେଲ୍ ଯିବାକୁ ପଡ଼ିଛି। ସୂଚନା ଅନୁସାରେ ସୁବୋଧ ଭୂୟାଁ ନାମକ ଜଣେ ବ୍ୟକ୍ତି ଶୈଳଶ୍ରୀ ବିହାର ଅଞ୍ଚଳରେ ଏକ ଘରୋଇ କୋଚିଂ ସେଣ୍ଟର୍ କରିଛନ୍ତି । ଗତକାଲି ସନ୍ଧ୍ୟାରେ ଏକ୍ସଟ୍ରା କ୍ଲାସ ପାଇଁ ସେ କିଛି ପିଲାଙ୍କୁ କୋଚିଂ ସେଣ୍ଟର୍କୁ ଡାକିଥିଲେ । ପ୍ରାୟ ୧୫ ଜଣ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢ଼ିବା ପାଇଁ କୋଟିଂ ସେଣ୍ଟର୍କୁ ଆସିଥିଲେ। ତେବେ ସେମାନଙ୍କ ମଧ୍ୟରୁ ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାଙ୍କୁ ପାଠ ପଢ଼ାଇବା ବାହାନାରେ ଏକୁଟିଆ ଡାକିନେଇ ସୁବୋଧ ଅସଦାଚରଣ କରିଥିଲା।
ନାବାଳିକା ଜଣଙ୍କ କୌଣସି ମତେ ତା’ କବଳରୁ ଖସି ଆସି ପାଟି କରିଥିଲେ। ଫଳରେ ଅନ୍ୟ ପିଲାମାନେ ସେଠାରେ ପହଞ୍ଚି ଘଟଣା ବିଷୟରେ ଛାତ୍ରୀଙ୍କ ପରିବାରକୁ ଜଣାଇଥିଲେ। ପରେ ସ୍ଥାନୀୟ ଲୋକେ ଓ ପରିବାର ଲୋକେ ପହଞ୍ଚି ସୁବୋଧକୁ କାବୁ କରି ପୁଲିସ ଜିମା ଦେଇଥିଲେ । ଗତକାଲି ପୁଲିସ ସୁବୋଧକୁ ଅଟକ ରଖି ପଚରାଉଚରା କରିଥିଲା । ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଆଜି ସୁବୋଧକୁ ଗିରଫ କରି ଝାରପଡ଼ା ଜେଲ୍ ପଠାଯାଇଥିବା ଥାନା ଅଧିକାରୀ ପ୍ରଦୀପ ରାଉତ ସୂଚନା ଦେଇଛନ୍ତି।