ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମା’ଙ୍କୁ ମିଳିବ ବାହନ: ମିଶନ ଶକ୍ତି ମହିଳାଙ୍କ କାର୍ଯ୍ୟ ଦକ୍ଷତା ଓ ଗତିଶୀଳତା ବୃଦ୍ଧି ଯୋଜନା

ସାଇକଲ ଯୋଗାଇଦେବ ନଗର ଉନ୍ନୟନ ବିଭାଗ

ଭୁବନେଶ୍ୱର: ମିଶନ ଶକ୍ତିର ମା’ମାନଙ୍କ ହାତମୁଠାକୁ ଟାଣ କରିବା ସହ ସେମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା ପ୍ରଣୟନ କରିଛନ୍ତି। ବିନା ସୁଧରେ ଏସ୍‌‌ଏଚ୍‌‌ଜିଗୁଡ଼ିକ ରାଜ୍ୟ ସରକାର ବ୍ୟାଙ୍କ ମାଧ୍ୟମରେ କୋଟି କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଥିବାବେଳେ ବିଭିନ୍ନ ସରକାରୀ ସେବାରେ ସେମାନଙ୍କୁ ନିୟୋଜିତ କରିଛନ୍ତି। ଏହିକ୍ରମରେ ମିଶନ ଶକ୍ତି ମାଆମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଗତିଶୀଳ କରାଇବା ଲକ୍ଷ୍ୟରେ ମିଶନ ଶକ୍ତି ମହିଳାମାନଙ୍କୁ ବାହନ ଯୋଗାଇ ଦେବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ରାଜ୍ୟର ସମସ୍ତ ସହରାଞ୍ଚଳରେ କାର୍ଯ୍ୟ କରୁଥିବା ମିଶନ ଶକ୍ତି ମହିଳା ଏବଂ ପୌରାଞ୍ଚଳରେ ବିଭିନ୍ନ ସେବାରେ ନିୟୋଜିତ ଥିବା କିନ୍ନରମାନଙ୍କୁ ସାଇକଲ ପ୍ରଦାନ କରାଯିବ।
ସମ୍ପ୍ରତି ବିଭିନ୍ନ ଯୋଜନାରେ ନିୟୋଜିତ ଗୋଷ୍ଠୀଗୁଡିକ କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ବିଭିନ୍ନ ସ୍ଥାନରେ ବୁଲିବା ପାଇଁ ପଡ଼ୁଛି; ତେଣୁ କମ୍‌‌ ସମୟ ମଧ୍ୟରେ ଅଧିକ ଅଞ୍ଚଳ ଯାତାୟାତ ପାଇଁ ସାଇକଲ ଉପଯୋଗୀ ହୋଇ ପାରିବ। ଏଥିନିମନ୍ତେ ହିତାଧିକାରୀ ଚିହ୍ନଟ ନିମନ୍ତେ ପୌରାଞ୍ଚଳରେ ‘ମୁକ୍ତା’ ଯୋଜନା ଅଧୀନରେ ଏକ କମିଟି ଗଠନ କରାଯିବ। ଏହି କମିଟି ସୁପାରିସ ଆଧାରରେ ହିତାଧିକାରୀଙ୍କୁ ସାଇକଲ ଯୋଗାଇ ଦିଆଯିବ।

ବର୍ତ୍ତମାନ ମୁକ୍ତା, ଆହାର, ଜଳସାଥୀ, ସ୍ୱଚ୍ଛ ସୁପରଭାଇଜର, ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳ, ବର୍ଜ୍ୟଜଳ ବିଶୋଧନ ପ୍ଲାଣ୍ଟ ଆଦି କାର୍ଯ୍ୟକାରୀ ହେଉଛି। ଏଥିରେ ମହିଳା ଗୋଷ୍ଠୀ, ମିଶନ ଶକ୍ତି, କିନ୍ନର ଆଦି କାର୍ଯ୍ୟ କରୁଛନ୍ତି। ଜଳକର ଆଦାୟଠାରୁ ଆରମ୍ଭ କରି ଜଳର ମାନ ପରୀକ୍ଷା, ସଫେଇ କାର୍ଯ୍ୟରେ ବିଭିନ୍ନ ସ୍ଥାନକୁ ଯିବା ସହିତ ପରିମଳ ପାଇଁ ମଧ୍ୟ ମିଶନ ଶକ୍ତିର ମହିଳାମାନେ ବିଭିନ୍ନ ସ୍ଥାନ ବୁଲୁଛନ୍ତି। ଏଭଳି ମହିଳାମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ ସେମାନଙ୍କୁ ସାଇକଲ ପ୍ରଦାନ କରିବାକୁ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି। ଏହି ସାଇକଲଗୁଡିକ ସମସ୍ତ ପୌରସଂସ୍ଥାର କ୍ରୟ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ କେଉଁ ପୌରାଞ୍ଚଳରେ କେତେ ଜଣ ହିତାଧିକାରୀ ରହିଛନ୍ତି ଓ କେଉଁ ଯୋଜନାରେ କାର୍ଯ୍ୟରତ ହିତାଧିକାରୀଙ୍କ ପାଇଁ କେତେ ସାଇକଲ ଆବଶ୍ୟକ ରହିଛି, ତାହା ଚିହ୍ନଟ ପାଇଁ ମୁକ୍ତା ଯୋଜନାକୁ ଦାୟିତ୍ୱ ଦିଆଯାଇଛି।

ଏଥିପାଇଁ ପୌରାଞ୍ଚଳସ୍ତରରେ ଗୋଟିଏ କମିଟି ଗଠନ କରାଯିବ। ଏହି କମିଟି ହିତାଧିକାରୀ ଚୟନ ସହିତ ପ୍ରତି ମାସରେ କାର୍ଯ୍ୟରତ ସଦସ୍ୟ ଏବଂ ଗୋଷ୍ଠୀମାନଙ୍କର ବ୍ୟାଙ୍କ୍‌‌ ଖାତାର ଅନୁଧ୍ୟାନ କରିବ। କମିଟି ହିତାଧିକାରୀଙ୍କ ତାଲିକା ଚୂଡାନ୍ତ କରିବା ପରେ ତାହାକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ। ରାଜ୍ୟ ସରକାର ଏହାକୁ ଅନୁମୋଦନ କରିବାପରେ ପୌରସଂସ୍ଥା ସ୍ତରରେ ସାଇକଲଗୁଡିକ ଉପଯୁକ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଯଦି ଜଣେ ମହିଳା ଏକାଧିକ ଯୋଜନାରେ ସାମିଲ ହୋଇ କାର୍ଯ୍ୟ କରୁଥିବେ, ତେବେ ତାଙ୍କୁ ଗୋଟିଏ ଯୋଜନାରେ ହିତାଧିକାରୀ ବୋଲି ଗ୍ରହଣ କରାଯିବ। ଏଭଳି ସାଇକଲ ଯୋଗାଣ ଫଳରେ ପୌରାଞ୍ଚଳରେ ଗୋଷ୍ଠୀଭିତ୍ତିକ ଉନ୍ନୟନ କାର୍ଯ୍ୟଗୁଡିକ ଅଧିକ ଭାବେ ତ୍ୱରାନ୍ୱିତ ହୋଇପାରିବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

Leave A Reply

Your email address will not be published.