ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚୌଦ୍ୱାର ମଣ୍ଡଳ କାରାଗାରରେ କାର୍ଯ୍ୟକ୍ଷମ ହେବ ‘ମିଶନ ଶକ୍ତି’, ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର

କଟକ : ମିଶନ ଶକ୍ତିରେ ବଢ଼଼ାଇବ କଏଦୀଙ୍କ ଶକ୍ତି। ରାଜ୍ୟ ସରକାର ଏଥିନିମନ୍ତେ ଯୋଜନା ପ୍ରସ୍ତୁତ କରିଛନ୍ତି। ଏକ ଟିମ୍‍ ଚୌଦ୍ୱାର ମଣ୍ଡଳ କାରଗାରକୁ ଆସି ପରିଦର୍ଶନ କରି ଫେରିଥିବା ବେଳେ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଜେଲ୍‍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜେଲ୍‌ରେ ଥମ ଥର ପାଇଁ ମାଣ୍ଡିଆ ବିସ୍କୁଟ୍‍ ପ୍ରସ୍ତୁତ ହେବ। ଏଥିନିମନ୍ତେ ସମସ୍ତ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଜେଲ୍‍ ସୁପରିନ୍‌ଟେଣ୍ଡେଣ୍ଟ୍‍ ପ୍ରଦୀପ କୁମାର ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମିଶନ ଶକ୍ତି କଏଦୀଙ୍କୁ ଅଧିକ କୁଶଳୀ କରିବା କ୍ଷେତ୍ରରେ କାର୍ଯ୍ୟ କରୁଛି। ଅନ୍ୟପକ୍ଷରେ ଜେଲ୍‍ର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷିରେ ନୂଆ ହାଇସିକ୍ୟୁରିଟି ସିଷ୍ଟମ୍‍ ଆସନ୍ତା ଦୁଇ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବାର ଯୋଜନା ରହିଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି।

କଏଦୀମାନେ ଜେଲ୍‌ରେ ଖାଇବା ତେଲ, ବେସନ, ହଳଦୀଗୁଣ୍ଡ, ଫିନାଇଲ, କପଡ଼ା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ବଜାରରେ ମଧ୍ୟ ଏହି ସାମଗ୍ରୀର ଚାହିଦା ଭଲ ରହିଛି। ଏହାକୁ ଦୃଷ୍ଟିରେ ରଖି କଏଦୀଙ୍କୁ ଅଧିକ ତାଲିମପ୍ରାପ୍ତ କରିବା ନେଇ ମିଶନ ଶକ୍ତି ଉପରେ ଗୁରୁତ୍ୱ ଦିଆଯାଉଛି। କଏଦୀମାନଙ୍କୁ ଟେଲରିଂ, କାଠ ଓ ପ୍ଲାଷ୍ଟିକ ସାମଗ୍ରୀ ପ୍ରସ୍ତୁତି, ବିଦ୍ୟୁତ୍‍ ଓ ଅନ୍ୟାନ୍ୟ ସାମଗ୍ରୀ ମରାମତି, ଖଦି ଓ ଏମ୍ରୋଡୋରୀ ବସ୍ତ୍ର ତିଆରି କରିବା ନିମନ୍ତେ ପ୍ରଶିକ୍ଷଣ ଦିଆଯିବ। ସେହିଭଳି ଜେଲ୍‍ର ସୁରକ୍ଷା ଦିଗ ପ୍ରତି କର୍ତ୍ତୃପକ୍ଷ ଅଧିକ ଧ୍ୟାନ ଦେଉଛନ୍ତି। ଆସନ୍ତା ମାସ ଠାରୁ ଜେଲ୍‍ରେ ୪-ଜି ଜାମର୍‍ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ନୂଆ ସିସିଟିଭି, ୱାକିଟକି, ବଡ଼ିବର୍ଣ୍ଣ କ୍ୟାମେରା ଓ ମେଟାଲ୍‍ ଡିଟେକ୍ଟର ଭଳି ବିଭିନ୍ନ ନୂଆ ଟେକ୍ନଲୋଜିର ସିକ୍ୟୁରିଟି ପ୍ରଡକ୍ଟ ଅଣାଯାଇ ଜେଲ୍‍ରେ ଖଞ୍ଜାଯିବ। ଜେଲରେ ନୂଆ ୫ଟି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ବିଭିନ୍ନ ପୁରଣା ବୈଦ୍ୟୁତିକ ସାମଗ୍ରୀ ବଦଳାଇ ନୂତନ ସାମଗ୍ରୀ ଲଗାଯିବ।

ଜେଲ୍‌ରେ ଲାଗିଥିବା ୨ଜି ଜାମର୍‍ ଅଚଳ ଅବସ୍ଥାରେ ରହିଛି। ଏହାର ସୁଯୋଗ ନେଇ ଅପରାଧୀମାନେ ଖୁବ୍‍ ସହଜରେ ଜେଲରେ ମୋବାଇଲ ଫୋନ୍‍ ବ୍ୟବହାର କରିପାରୁଛନ୍ତି। ଅନେକ ସମୟରେ ଜେଲ ଭିତରୁ ଅପରାଧର ବ୍ଲ୍ୟୁ-ପ୍ରିଣ୍ଟ୍‍ ପ୍ରସ୍ତୁତ୍‍ କରାଯାଉଥିବା ଅଭିଯୋଗ ହେଉଛି। ଏଣିକି ୪ଜି ଜାମର ଲାଗିବା ପରେ ମୋବାଇଲ ବ୍ୟବହାର ଉପରେ କଟକଣା ଲଗା ଯାଇ ପାରିବ। ପରିସରରେ ସୁରକ୍ଷା ନିମନ୍ତେ ପୂର୍ବରୁ ୯୬ଟି ସିସି କ୍ୟାମେରା ରହିଛି। ଯାହାକି ଯଥେଷ୍ଟ ନୁହେଁ। ତେବେ ୨ମାସ ମଧ୍ୟରେ ୪୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯିବ। ଏଥିସହ ଜେଲ୍‌ର ପ୍ରବେଶ ପଥ ସମ୍ମୁଖ ଭାଗରେ ମାତ୍ର ଦୁଇଟି କ୍ୟାମେରା ରହିଛି। ଯେଉଁଥିପାଇଁ ବିଭିନ୍ନ ସମୟରେ ଜେଲ୍‍ ବାହାରୁ ନିଶା ସାମଗ୍ରୀ ଭିତରକୁ ପ୍ରବେଶ ହେଉଥିବା ଅଭିଯୋଗ ହେଉଛି। ଯଦି ଠିକ୍‍ ଭାବେ ସିକ୍ୟୁରିଟି ପ୍ରଡକ୍ଟଗୁଡ଼ିକ ଲଗାଯାଏ, ତେବେ ଏସବୁ ଅବ୍ୟବସ୍ଥାକୁ ରୋକା ଯାଇ ପାରିବ ବୋଲି ଜେଲ୍‍ କର୍ତ୍ତୃପକ୍ଷ କହିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟର ବୃହତ୍ତମ କାରାଗାର ମଧ୍ୟରେ ଚୌଦ୍ୱାର ଜେଲ୍‍ ଅନ୍ୟତମ। ୧୯୯୧ରେ ଏହା ସ୍ଥାପିତ ହୋଇଥିଲା। ଏଠାରେ ୯୬୧ ଜଣ କଏଦୀଙ୍କୁ ରଖାଯିବାର ବ୍ୟବସ୍ଥା ରହିଥିବା ବେଳେ ଏହାଠାରୁ ଯଥେଷ୍ଟ ଅଧିକ କଏଦୀ ରହିଛନ୍ତି। ଜେଲରେ ଥିବା କଏଦୀମାନେ ସଜା କାଟିବା ପରେ କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ୍‍ ହୋଇପାରିବେ ଏହା ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ମିଶନ ଶକ୍ତି ସହ ସାମିଲ୍‍ ହେଲେ କଏଦୀମାନେ ଅଧିକ ସ୍ୱାବାଲମ୍ବୀ ହୋଇପାରିବେ। ଗୋଟିଏ ପଟରେ ଜେଲ୍‍ କର୍ତ୍ତୃପକ୍ଷ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ଅନ୍ୟପଟରେ କଏଦୀଙ୍କୁ ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର ଶିଖାଉଛନ୍ତି।

Leave A Reply

Your email address will not be published.