ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆହୁରି ସଶକ୍ତ ହେବେ ରାଜ୍ୟର ମହିଳା, ପ୍ରତ୍ୟେକ ପଞ୍ଚାୟତରେ ଖୋଲିବ ମିଶନ ଶକ୍ତି ମାର୍କେଟ୍‌‌ ବିଲ୍ଡିଂ

ଭୁବନେଶ୍ୱର : ମହିଳା ସଶକ୍ତିକରଣ, ସାମାଜିକ ଓ ଆର୍ଥିକ ସମାନତା ହାସଲର ବାର୍ତ୍ତାବହ ସାଜିଛି ମିଶନ୍‌‌ ଶକ୍ତି। ରାଜ୍ୟର ୭୦ ଲକ୍ଷ ମହିଳା ଆଜି ନିଜ ପାଇଁ ନିଜେ ସୃଷ୍ଟି କରିଛନ୍ତି ପରିଚୟ। ସେହି ମହିଳାମାନଙ୍କ ହାତ ମୁଠାକୁ ଟାଣ କରିବା ଲକ୍ଷ୍ୟରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ମାର୍କେଟ୍‌‌ ବିଲ୍ଡିଂ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ଏସ୍‌‌ଏଚ୍‌‌ଜିଙ୍କୁ ଅଧିକ ପରିମାଣର ଋଣ ସହାୟତା ଦେବା ପାଇଁ ସବୁ ବ୍ୟାଙ୍କକୁ ପତ୍ର ଲେଖିଛି ରାଜ୍ୟ ଅର୍ଥ ବିଭାଗ। ଏହି ଅର୍ଥର ସୁବିନିଯୋଗ ପାଇଁ ଏସ୍‌‌ଏଚ୍‌‌ଜିଙ୍କୁ ଆବଶ୍ୟକ ତାଲିମ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଛି ରଣନୀତି।

ସୂଚନା ଅନୁସାରେ ରାଜ୍ୟର ୩ ଲକ୍ଷ ଏସ୍‌‌ଏଚ୍‌‌ଜିଙ୍କୁ ଇତିମଧ୍ୟରେ ୮ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଦିଆଯାଇଛି। ବିନା ସୁଧରେ ୫ ଲକ୍ଷ ଟଙ୍କା ପାର୍ଯ୍ୟନ୍ତ ଋଣ ମଞ୍ଜୁର କରାଯାଉଛି। ପୂର୍ବରୁ ସର୍ବାଧିକ ଋଣ ସୀମା ୩ ଲକ୍ଷ ଥିଲା। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଋଣ ଉପରେ ସୁଧ ବାବଦରେ ୨୦୦ କୋଟି ଟଙ୍କା ଏସ୍‌‌ଏଚ୍‌‌ଜିଙ୍କ ଆକାଉଣ୍ଟରେ ଫେରସ୍ତ କରିବା ପାଇଁ ଲକ୍ଷ୍ୟ ରହିଛି। ସେହିପରି ଆଗାମୀ ୫ ବର୍ଷ ଭିତରେ ୫୦ ହଜାର କୋଟି ଟଙ୍କାର ଋଣ ସହାୟତା ଦିଆଯିବ। ଋଣ ଫେରସ୍ତ ବାବଦରେ ୧୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମହିଳା ଏସ୍‌‌ଏଚ୍‌‌ଜିଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆଉ ଏକ ପାଦ ଆଗକୁ ନେଇ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ମାର୍କେଟ୍‌‌ ବିଲ୍ଡିଂ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏ ନେଇ ମିଶନ୍‌‌ଶକ୍ତି ବିଭାଗକୁ ସୁପାରିସ କରାଯାଇଛି। ମିଶନ୍‌‌ ଶକ୍ତି ମହିଳାଙ୍କ ଉତ୍ପାଦ ବିକ୍ରି ପାଇଁ ୫୦୦ ଖୁଚୁରା ବିକ୍ରୟ କେନ୍ଦ୍ର ଖୋଲାଯିବ। ଏଥିସହ ଭୁବନେଶ୍ୱରରେ ଏକ ମିଶନ୍‌‌ ଶକ୍ତି ବୁଟିକ୍‌‌ ଖୋଲାଯିବ। ଏବେ ସୁଦ୍ଧା ରାଜ୍ୟର ୩୦୦ ଏସ୍‌‌ଏଚ୍‌‌ଜି ସେମାନଙ୍କ ଉତ୍ପାଦର ଅନଲାଇନ୍‌‌ ମାର୍କେଟିଂ ପାଇଁ ଫ୍ଲିପ୍‌‌କାର୍ଟ ସହିତ ଅନୁବନ୍ଧିତ ହୋଇଛନ୍ତି।

ମିଶନଶକ୍ତି ବିଭାଗର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି, ମିଶନ୍‌‌ ଶକ୍ତି ବିଭାଗ ଜରିଆରେ ରାଜ୍ୟ ସରକାର ମହିଳା ସଶକ୍ତିକରଣ କ୍ଷେତ୍ରରେ ସମଗ୍ର ବିଶ୍ୱ ଆଗରେ ଉଦାହରଣ ସୃଷ୍ଟି କରିଛନ୍ତି। ୭୦ ଲକ୍ଷ ମହିଳାଙ୍କୁ ନେଇ ବିଶାଳ କର୍ମବଳ ସୃଷ୍ଟି କରାଯାଇଛି। ସ୍ଥାନୀୟ ବଜାରର ଚାହିଦାକୁ ଦୃଷ୍ଟିରେ ରଖି ଏସ୍‌‌ଏଚ୍‌‌ଜିଙ୍କ ଉତ୍ପାଦ ବ୍ରିକି ପାଇଁ ଲକ୍ଷ୍ୟ ରହିଛି। ଏଥିପାଇଁ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ପୂର୍ବରୁ ସହରର ମୁଖ୍ୟାଳୟରେ ପ୍ରଶିକ୍ଷଣ ଦିଆଯାଉ ଥିଲା। କିନ୍ତୁ ଏବେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବ୍ଲକସ୍ତରରେ ଆରମ୍ଭ ହୋଇଛି। ପ୍ରତି ବ୍ଲକ, ପଞ୍ଚାୟତରେ ମିଶନ୍‌‌ ଶକ୍ତି ବଜାର, ମିଶନ୍‌‌ ଶକ୍ତି କାଫେ ଖୋଲାଯାଉଛି। ଜିଲ୍ଲାସ୍ତରରେ ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି। ଏହା ଦ୍ୱାରା ଆମର ଏସ୍‌‌ଏଚ୍‌‌ଜି ଗୋଷ୍ଠୀ ଗୁଣାତ୍ମକ ସାମଗ୍ରୀ ଉତ୍ପାଦନ କରିବା ସହିତ ବିକ୍ରି ପାଇଁ ଉପଯୁକ୍ତ ବଜାର ପାଇପାରିବେ ବୋଲି ସେ କହିଛନ୍ତି।

ରାଜ୍ୟର ମହିଳା ଏସ୍‌‌ଏଚ୍‌‌ଜି ମାନେ ଯେପରି ବ୍ୟାଙ୍କ ଋଣ ପାଇବାରେ ସମସ୍ୟା ଭୋଗିବେ ନାହିଁ ସେଥିପାଇଁ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ସବୁ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଋଣ ହାର ବୃଦ୍ଧି କରିବା ପାଇଁ ପରାମର୍ଶ ଦିଆଯାଇଛି। ୨୦୨୨-୨୩ରେ ଏସ୍‌‌ଏଚ୍‌‌ଜିଙ୍କୁ ବ୍ୟାଙ୍କଗୁଡ଼ିକ ହାରାହାରି ୨.୮୫ ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରିଛନ୍ତି। ‘୫-ଟି’ଉପକ୍ରମ ଅଧୀନରେ ମିଶନ ଶକ୍ତି ମହିଳାମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ଏଣିକି ପ୍ରତି ଏଚ୍‌‌ଏଚ୍‌‌ଜିକୁ ଏସ୍‌‌ଏମ୍‌‌ଇରେ ପରିଣତ କରିବା ପାଇଁ ଲକ୍ଷ୍ୟ ରହିଛି। ଗତବର୍ଷ ୮୭୫୦ କୋଟି ଟଙ୍କା ବ୍ୟାଙ୍କ ଋଣ ଦେବାକୁ ଲକ୍ଷ୍ୟ ଥିବା ବେଳେ ୭୮୬୩ କୋଟି ଟଙ୍କା ଦିଆଯାଇଛି। ମିଶନ୍‌‌ ଶକ୍ତି ମହିଳାଙ୍କ ପାଇଁ ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ୭୮୭୮ଟି ଗୃହ ନିର୍ମାଣ କରାଯିବ। ଗୃହ ନିର୍ମାଣ ଦାୟିତ୍ୱ ପଞ୍ଚାୟତିରାଜ ବିଭାଗ ଉପରେ ନ୍ୟସ୍ତ କରାଯାଇଛି। ଏଥିରେ ସଭାଗୃହ, ବିକ୍ରୟ କେନ୍ଦ୍ର, କାର୍ଯ୍ୟାଳୟ, ଶୌଚାଳୟ ଆଦି ନିର୍ମାଣ କରାଯିବ।

Leave A Reply

Your email address will not be published.